ସଂସଦରେ ଓଡ଼ିଶା ପ୍ରସଙ୍ଗ : ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର ଚିନ୍ତା କରୁ

ନୂଆଦିଲ୍ଲୀ : ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଅନେକ ଉପଲବ୍ଧି ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ଯାହାର ଫାଇଦା ଓଡ଼ିଶାକୁ ମଧ୍ୟ ମିଳିଛି। ମାତ୍ର, ଆହୁରି ଅନେକ କିଛି ପ୍ରସଙ୍ଗ ରହିଛି, ଯେଉଁଥିରେ କେନ୍ଦ୍ର ଦୃଷ୍ଟିଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସାଂସଦ ଶ୍ରୀ ପଟ୍ଟନାୟକ ମଧ୍ୟ ଜାତିଭିତ୍ତିକ ଗଣନା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଗତକାଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସାଂସଦ ବିଜୟସାଇ ରେଡ୍ଡି ପଛୁଆ ବର୍ଗଙ୍କୁ ଜନଗଣନାରେ ସାମିଲ କରିବା ପାଇଁ କୌଣସି ପ୍ରସ୍ତାବ ନଥିବା କହିଥିଲେ ମଧ୍ୟ ଏହାର ପୁନର୍ବିଚାର କରାଯାଉ ।

ସାଂସଦ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରୁ ୮୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ, ଯାହାଦ୍ବାରା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯୋଜନା ଅନ୍ତର୍ଗତ ପାଣ୍ଠି ପଠାଇବାରେ ପ୍ରତିବନ୍ଧକ ଆସୁଛି। ଆଗାମୀ ଦିନ ମାନଙ୍କରେ ଟେଲି ଡେନ୍‌ସିଟି ଓ ବ୍ୟାଙ୍କିଙ୍ଗ୍ ଡେନସିଟି ବୃଦ୍ଧି କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ରକୁ ରାଜ୍ୟ କ୍ଲିନ୍ ଏନର୍ଜି ସେସ୍ ବାବଦରେ ଅର୍ଥ ଦେଉଥିବା ବେଳେ ଏନେଇ ଓଡ଼ିଶାକୁ ଏହି ପାଣ୍ଠି ଅନ୍ତର୍ଗତ କୌଣସି ଅର୍ଥ ଟ୍ରାନ୍ସଫର କରାଯାଉ ନାହିଁ ବୋଲି ସେ କହିଥିଲେ। ଏଥିସହିତ, ରାଜ୍ୟରେ ଅନେକ ରେଳ ପ୍ରକଳ୍ପର କାର୍ଯ୍ୟ ମନ୍ଥରତା ନେଇ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ, ରାଜ୍ୟରେ ନିରନ୍ତର ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ଫନୀ ପାଇଁ ମିଳିଥିବା ୪୫୦୦ କୋଟି ଟଙ୍କାର କ୍ଷତିପୂରଣ ଯଥେଷ୍ଟ ନୁହେଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର