ସଂସଦରେ ଓଡ଼ିଶା ପ୍ରସଙ୍ଗ

ମହାନଦୀ ଜଳବିବାଦ: କମନ ଡାଟା ଫର୍ମାଟକୁ ଚୂଡ଼ାନ୍ତ କରିଛନ୍ତି ଟ୍ରିବ୍ୟୁନାଲ୍‌
ନୂଆଦିଲ୍ଲୀ : ଗତ ଛଅ ମାସ ମଧ୍ୟରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ କମନ୍‌ ଡାଟା ଫର୍ମାଟକୁ ଚୂଡ଼ାନ୍ତ କରିଛନ୍ତି ଏବଂ ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟମାନଙ୍କର ଅନୁରୋଧ କ୍ରମେ ୧୭ଟି ଅଣ-ଆବେଦକଙ୍କ ପାଖରୁ ଆବଶ୍ୟକୀୟ ନଥିପତ୍ର, ସୂଚନା ଓ ଦସ୍ତାବିଜ ଉପଲବ୍ଧ କରାଇବାପାଇଁ ନୋଟିସ ଜାରି କରିଛନ୍ତି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ସ୍ଥିତି ଓ ଗତ ଛଅ ମାସର ଅଗ୍ରଗତି ସଂପର୍କରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ରାଜ୍ୟସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଥିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ।

କେନ୍ଦ୍ର ସରକାର ଆନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ଧାରା ୪ ଅର୍ନ୍ତଗତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଗଠନ ମାର୍ଚ୍ଚ ୨୦୧୮ରେ କରିଥିଲେ। ବର୍ତ୍ତମାନ ଏହି ମାମଲା ଆନ୍ତଃରାଜ୍ୟ ଜଳବିବାଦ ଆଇନର ଧାରା ୫(୨) ଅର୍ନ୍ତଗତ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଟ୍ରିବ୍ୟୁନାଲ ୨୧ ଥର ଶୁଣାଣି କରିଛନ୍ତି,ଶେଷ ଶୁଣାଣି ଭିଡିଓ କନଫ୍ରେନସିଂ ଜରିଆରେ ଜୁନ୨୬,୨୦୨୧ରେ ହୋଇଥିଲା ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଶେଖାୱତ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ଓଡ଼ିଶାରେ ସର୍ବାଧିକ ୮୧୦ଟି ଜଳାଶୟର ପୁନରୁଦ୍ଧାର
ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୮୧୦ଟି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ୧୧ଟି ରାଜ୍ୟମାନଙ୍କୁ ମଧ୍ୟରୁ ଓଡ଼ିଶା ପୋଖରୀ ଓ ଜଳାଶୟର ପୁନରୁଦ୍ଧାର କାର୍ଯ୍ୟରେ ପ୍ରଥମ ସ୍ଥାନରେ ରହିଛି। ଏଥିପାଇଁ ଓଡ଼ିଶାକୁ ୧୪୫.୧୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଛି। ଲୋକସଭାରେ ଦେଶରେ ପୋଖରୀ ଓ ଜଳାଶୟଗୁଡିକର ପୁନରୁଦ୍ଧାର ସଂପର୍କିତ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହା କହିଛନ୍ତି।

ତଥ୍ୟ ଅନୁସାରେ, ଦେଶର ଗ୍ରାମୀଣ କ୍ଷେତ୍ରରେ ମୋଟ ୫,୧୬,୩୦୩ ଜଳାଶୟ ଓ ପୋଖରୀ ରହିଛି। ସେଥିମଧ୍ୟରୁ ୫୩ ହଜାରରୁ ଅଧିକ ପୋଖରୀ ଓ ଜଳାଶୟ ଜଳସେଚନ ଉପଯୋଗୀ ରହିନାହିଁ। ରାଜ୍ୟ ଓ କେନ୍ଦ୍ରଶାସିତ ପୋଖରୀ ଓ ଜଳାଶୟଗୁଡିକ ଅତିକ୍ରମଣମୁକ୍ତ କରିବାପାଇଁ କୁହାଯାଇଛି। ଏସବୁ ଜଳାଶୟଗୁଡିକର ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଦୁଇ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଂଜୁର କରାଯାଇଛି।

ବନାଗ୍ନି ଯୋଗୁଁ ଶିମିଳିପାଳର ୩୩୪.୩୫ ହେକ୍ଟର ପ୍ରଭାବିତ
ବନାଗ୍ନି ଯୋଗୁ ଶିମିଳିପାଳ ଜାତୀୟ ଅଭୟାରଣ୍ୟର ୩୩୪.୩୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି। ତେବେ ଏଥିରେ କାହାରି ଜୀବନହାନି ଘଟିନାହିଁ, କେହି ଆହତ ହୋଇନାହାନ୍ତି କିମ୍ବା ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇନାହିଁ। ଆଜି ରାଜ୍ୟସଭ‌ାରେ କେନ୍ଦ୍ର ପର୍ଯ୍ୟାବରଣ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଶମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରିପ୍ରେକ୍ଷୀରେ ଲିଖିତ ଉତ୍ତର ଦେଇ ଏହା କହିଛନ୍ତି। କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଆଧାରରେ କେନ୍ଦ୍ରମନ୍ତ୍ରୀ ଏହା ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସରକାରଙ୍କୁ ବୈଷୟିକ ପରାମର୍ଶ ଦେବାପାଇଁ ଗତ ମାର୍ଚ୍ଚ ମାସରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ମାର୍ଚ୍ଚ ୧୧ରୁ ୧୪ ତାରିଖ ମଧ୍ୟରେ ଶିମିଳିପାଳ ସମେତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଏତଦ୍‌ବ୍ୟତୀତ,ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଦ୍ବାରା ଦିନକୁ ଦୁଇଥର ସାଟେଲାଇଟ ସର୍ଭେ କରାଯାଇଥିଲା।

ଓଡ଼ିଶା ପାଇଁ ୪ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ମଂଜୁର
ଖେଲୋ ଇଣ୍ଡିଆ ଯୋଜନାରେ ଓଡ଼ିଶା ପାଇଁ ଚାରିଟି ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ରାଜ୍ୟସଭାରେ ବିଜେଡି ସାଂସଦ ମମତା ମହନ୍ତଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ମଂଜୁର ହୋଇଥିବା ଚାରିଟି ପ୍ରକଳ୍ପ ହେଲା; ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ମଲ୍ଟିପରପଜ ଇଣ୍ଡୋର ହଲ, ପୁରୀରେ ଇଣ୍ଡୋର ହଲ , ବୌଦ୍ଧ ଜିଲ୍ଲା ସଦରମହକୁମାରେ ସୁଇମିଙ୍ଗ ପୁଲ ଓ ବୁର୍ଲାର ଜିଲ୍ଲା କ୍ରୀଡ଼ା ପରିସରରେ ଇଣ୍ଡୋର ହଲର ନିର୍ମାଣ। ଏହି ଚାରିଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨୮୦୦ଲକ୍ଷ ଟଙ୍କା ମଂଜୁର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୧୧୩ ଲକ୍ଷ ଟଙ୍କା ଦିଆଯାଇଛି। ଚାରିଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୦୧୨.୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମଂଜୁର ପ୍ରକଳ୍ପଗୁଡ଼ିକ ମଧ୍ୟରୁ ବୌଦ୍ଧ ସଦର ମହକୁମାରେ ସୁଇମିଂ ପୁଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବାବେଳେ ବୁର୍ଲାରେ ଇଣ୍ଡୋର ହଲର ନିର୍ମାଣ କାର୍ଯ୍ୟ ୬୦ ପ୍ରତିଶତ , ପୁରୀର ଇଣ୍ଡୋର ହଲର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଓ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଇଣ୍ଡୋର ହଲର ନିର୍ମାଣ କାର୍ଯ୍ୟ ୪୦ ପ୍ରତିଶତ ସରିଥିବା କେନ୍ଦ୍ରମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର