ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟର ଚାଷୀଙ୍କ ଆୟରେ ସାଂଘାତିକ ବୈଷମ୍ୟ ରହିଛି। ଗୋଟିଏ ପଟେ ପଞ୍ଜାବ, ହରିୟାଣା ଓ କେରଳର ଚାଷୀଙ୍କର ପରିବାର ପିଛା ମାସିକ ଆୟ ଅଧିକ ରହିଛି। ଅନ୍ୟପଟେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଚାଷୀ ପରିବାରଗୁଡ଼ିକ ଆୟ କ୍ଷେତ୍ରରେ ପଛରେ ପଡ଼ିଛନ୍ତି। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ନିକଟରେ ପ୍ରକାଶିତ ସର୍ବଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୨୧-୨୨ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

ରିପୋର୍ଟରୁ ଜଣାଯାଇଛି ପଞ୍ଜାବର ଚାଷୀ ପରିବାରଗୁଡ଼ିକର ମାସିକ ରୋଜଗାର ୨୦୨୧-୨୨ରେ ଦେଶରେ ସବୁଠୁ ଅଧିକ ଅର୍ଥାତ୍‌ ୩୧,୪୩୩ ଟଙ୍କାରେ ପହଞ୍ଚିଛି। ୨୦୧୨-୧୩ ବର୍ଷରେ ପଞ୍ଜାବରେ ଏହା ୧୮,୦୫୯ ଟଙ୍କା ରହିଥିଲା। ସେହିଭଳି ହରିୟାଣାରେ ଚାଷୀ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ୨୦୨୧-୨୨ରେ ୨୫,୬୬୫ ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୨-୧୩ରେ ଏହା ୧୪,୪୩୪ ‌ଟଙ୍କା ରହିଥିଲା। କେରଳ ଚାଷୀ ପରିବାରର ମାସିକ ହାରାହାରି ଆୟ ୨୨,୭୫୭ ‌ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୨-୧୩ରେ ଏହା ୧୧,୮୮୮ ଟଙ୍କା ରହିଥିଲା। ଚାଷୀ ପରିବାରର ଆୟ କ୍ଷେତ୍ରରେ କେରଳ ପଛକୁ ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ଏବଂ ପଞ୍ଚମ ସ୍ଥାନରେ ଗୁଜରାଟ ରହିଛି। 

ଦେଶରେ ହାରାହାରି ଆୟ ୧୩,୬୬୧ ଟଙ୍କା
ଜାତୀୟ ହାରାହାରିଠାରୁ ୧୩ ରାଜ୍ୟ ପଛରେ

କୃଷକ ପରିବାରଗୁଡ଼ିକର ଜାତୀୟ ହାରାହାରି ଆୟ ଦେଖିଲେ ଏହା ୧୩,୬୬୧ ଟଙ୍କା ରହିଛି। ଦେଶରେ କୃଷକ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଗତ ୫ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ଘଟିଛି। ୫ ବର୍ଷ ପୂର୍ବେ ଏହା ୮,୯୩୧ ଟଙ୍କା ରହିଥିଲା। କିନ୍ତୁ ବର୍ତ୍ତମାନ ୧୩ଟି ରାଜ୍ୟର କୃଷକ ପରିବାର ଜାତୀୟ ସ୍ତରର ଆୟ ତୁଳନାରେ ପଛରେ ପଡ଼ିଛନ୍ତି। ବିହାରରେ କୃଷକ ପରିବାରର ମାସିକ ହାରାହାରି ରୋଜଗାର ସବୁଠୁ କମ୍‌ ଅର୍ଥାତ୍‌ ୯୨୫୨ ଟଙ୍କା ଥିବାବେଳେ ଓଡ଼ିଶାରେ ୯୨୯୦ ଟଙ୍କା ଏବଂ ଝାଡ଼ଖଣ୍ଡରେ ୯୭୮୭ ଟଙ୍କା ରହିଛି। ଆୟ କ୍ଷେତ୍ରରେ ସବୁଠୁ ତଳେ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡ ସମେତ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛନ୍ତି। 

କୃଷକଙ୍କ ଆୟବୃଦ୍ଧି ସବୁ ରାଜ୍ୟରେ ସମାନ ରୂପରେ ହୋଇନାହିଁ। କିଛି ରାଜ୍ୟରେ କୃଷକଙ୍କ ଆୟରେ ବଡ଼ ବୃଦ୍ଧି ଘଟିଛି। ଅନ୍ୟ ରାଜ୍ୟଗୁଡ଼ିକରେ ଏହା କମ୍‌ ରହିଛି। ୨୦୧୬-୧୭ରେ ୧୮ଟି ରାଜ୍ୟରେ ଚାଷୀ ପରିବାରର ମାସିକ ହାରା‌ହାରି ଆୟ ୧୦ ହଜାର ଟଙ୍କାରୁ କମ୍‌ ରହିଥିଲା। ୧୦ଟି ରାଜ୍ୟରେ ୧୦ ହଜାର ଟଙ୍କାରୁ ଅଧିକ ରହିଥିଲା। ପଞ୍ଜାବ ଏକମାତ୍ର ରାଜ୍ୟ ଥିଲା ଯେଉଁଠି କୃଷକମାନଙ୍କ ପରିବାରର ଆୟ ୨୦ ହଜାର ଟଙ୍କାରୁ ଅଧିକ ଥିଲା। କିନ୍ତୁ ୨୦୨୧-୨୨ରେ ୩ଟି ରାଜ୍ୟରେ କୃଷକଙ୍କ ହାରାହାରି ଆୟ ୨୦ ହଜାର ଟଙ୍କାରୁ ଅଧିକ ରହିଛି। ଏକମାତ୍ର ରାଜ୍ୟ ପଞ୍ଜାବର ଚାଷୀଙ୍କ ମାସିକ ଆୟ ୩୦ ହଜାର ଟଙ୍କାରୁ ଅଧିକ ରହିଛି। ୨୦୧୬-୧୭ରେ ପଞ୍ଜାବ ଚାଷୀଙ୍କ ହାରାହାରି ମାସିକ ଆୟ ୨୩,୧୩୩ ଟଙ୍କା ଥିଲା। ତେଣୁ ସେମାନଙ୍କ ଆୟରେ ୮୩୦୦ ଟଙ୍କାର ବୃଦ୍ଧି ଘଟିଛି। ହରିୟାଣା ଚାଷୀଙ୍କ ଆୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୬-୧୭ରେ ହରିୟାଣା ଚାଷୀଙ୍କ ମାସିକ ଆୟ ୧୮,୪୯୬ ଟଙ୍କା ଥିବାବେଳେ ୨୦୧୬-୧୭ରେ ୧୮,୪୯୬ ଟଙ୍କା ଏବଂ ୨୦୨୧-୨୨ରେ ତାହା ୨୫୬୫୫ ଟଙ୍କାରେ ପହଞ୍ଚିଛି। ୟୁପିରେ ଚାଷୀ ପରିବାରର ମାସିକ ଆୟରେ ୬୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ପୂର୍ବରୁ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ଚାଷୀ ପରିବାରଗୁଡ଼ିକର ଆୟ ଭିନ୍ନ ଥିଲା। ସେଥିରେ ଓଡ଼ିଶାରେ ଚାଷୀ ପରିବାରଗୁଡ଼ିକର ମାସିକ ଆୟ ୫୧୧୨ ଟଙ୍କା ରହିଥିବା ଦର୍ଶାଯାଇଥିଲା।