ପଛରେ ରହିଗଲା ଓଡ଼ିଶା, ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ୧୪ଟି କାର୍ଯ୍ୟ ପ୍ରଣାଳୀ ତାଲିକାରେ ଓଡ଼ିଶା ନାହିଁ

ନୂଆଦିଲ୍ଲୀ : କୋଭିଡ୍-୧୯ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୧୮ ଓ ୨୦ ତାରିଖରେ ରାଜ୍ୟର ଅଧିକାରୀ, ଜିଲ୍ଲାପାଳ ତଥା ମ୍ୟୁନିସିପାଲ କମିସନରମାନଙ୍କ ସହିତ ଭର୍ଚୁଆଲ ବୈଠକ କରିଥିଲେ। ବୈଠକ ଅବସରରେ ଜିଲ୍ଲାମାନଙ୍କ ଦ୍ୱାରା କୋଭିଡ୍‌ର ପରିଚାଳନା ତଥା ମୁକାବିଲାକୁ ନେଇ ଜିଲ୍ଲାମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ନବପ୍ରବର୍ତ୍ତନ (ଇନୋଭେସନ୍) ଏବଂ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ (ବେଷ୍ଟ ପ୍ରାକ୍ଟିସେସ୍)କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ନବପ୍ରବର୍ତ୍ତନ ଓ ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ତାଲିକା ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ଏସିଏସ୍ (ସ୍ୱାସ୍ଥ୍ୟ), ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ) ତଥା ସଚିବ (ସ୍ୱାସ୍ଥ୍ୟ)ଙ୍କୁ ପଠାଇଛନ୍ତି।

ହେଲେ ପଠାଯାଇଥିବା ତାଲିକାରେ ଓଡ଼ିଶାର କୌଣସି ଇନୋଭେସନ୍ ଓ ବେଷ୍ଟ ପ୍ରାକ୍ଟିସେସ୍‌ ସଂପର୍କରେ ଉଲ୍ଲେଖ ନାହିଁ। ତାଲିକାରେ ୧୦ଟି ରାଜ୍ୟର ୧୪ଟି ନବପ୍ରବର୍ତ୍ତନ ଓ ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ସାମିଲ ଅଛି। ଏଥିରେ ଉତ୍ତର ପ୍ରଦେଶର ୩ଟି, ହରିଆଣା ଓ ମହାରାଷ୍ଟ୍ରର ୨ଟି ଲେଖାଏଁ ତଥା ମଧ୍ୟପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ବିହାର ଓ କେରଳର ଗୋଟିଏ ଲେଖାଏ ଉପଲବ୍ଧି ସାମିଲ ରହିଛି। ଏସବୁ ନବପ୍ରବର୍ତ୍ତନ ଏବଂ ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀକୁ ରାଜ୍ୟମାନଙ୍କର ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ଦୋହରାଇ ଯାଇପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଗତକାଲି ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଓଡ଼ିଶାର ତିନି ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର