ଭୁବନେଶ୍ବର/ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶା ଲିଙ୍କ୍ କଥା ଜଣାପଡ଼ିଛି। ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି। ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଛି। ମୁଜାମିଲର ହ୍ୱାଟ୍ସଆପରେ ଯାଞ୍ଚ ବେଳେ ଓଡ଼ିଶାର କିଛି ନମ୍ବର ସହ ମେସେଜ୍ ଓ ବାର୍ତ୍ତାଳାପ ହୋଇଥିବା ଜଣାପଡ଼ିଥିଲା। ସେହିପରି ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁ ଲିଙ୍କ୍ ରହିଥିବା କୁହାଯାଉଛି। ତେବେ ଓଡ଼ିଶାର କେଉଁମାନେ ମୁଜାମିଲ୍ର ସମ୍ପର୍କରେ ଥିଲେ? କାହିଁକି ସେମାନେ ମୁଜାମିଲ୍ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ? ଏହାର ଖୋଳତାଡ଼ କରିବ ଏନ୍ଆଇଏ। ମିଳିଥିବା ତଥ୍ୟରୁ ଏନ୍ଆଇଏ ଟିମ୍ କେତେକଙ୍କ ତାଲିକା କରିଛି। ବିଶେଷକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସଷ୍ଟି ହୋଇଛି। ଏ ସଂପର୍କରେ ଅଧିକ ତନାଘନା ପାଇଁ ଖୁବ୍ଶୀଘ୍ର ଏନ୍ଆଇଏର ଏକ ଟିମ୍ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି।
ପୂର୍ବରୁ ପୁରୀ ଓ କଟକକୁ ଆତଙ୍କବାଦୀ ଟାର୍ଗେଟ୍ କରିଥିବା କଥା ପଦାକୁ ଆସିଥିଲା। ସେହିପରି ଭଦ୍ରକ, କଟକ, ଯାଜପୁର ଓ ଭୁବନେଶ୍ବରରୁ ମଧ୍ୟ ଆତଙ୍କୀ ସଂଗଠନକୁ ଠାବ କରାଯାଇଥିବାର ଅନେକ ନଜିର ରହିଛି। ଦିଲ୍ଲୀର ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିବା ପରେ ସବୁଠି ଭୟ ସୃଷ୍ଟି ହୋଇଛି।
ଅନ୍ୟପଟେ ଆତଙ୍କୀଙ୍କ ସହ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିବା ପରେ ରାଜ୍ୟ ପୁଲିସ ଅଧିକ ସତର୍କ ହୋଇଯାଇଛି। ଓଡ଼ିଶାରେ ହାଇଆଲର୍ଟ ଜାରି ରହିଥିବା ବେଳେ ପର୍ଯ୍ୟଟନ ଋତୁ ଥିବାରୁ ଦେଶ ବିଦେଶରୁ ଓଡ଼ିଶାର ପୁରୀ, କୋଣାର୍କ ସମେତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ସେହିପରି ବର୍ତ୍ତମାନ କଟକ ବାଲିଯାତ୍ରା ପାଇଁ ମଧ୍ୟ ଲୋକଙ୍କ ଗହଳି ଜମୁଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ବିମାନବନ୍ଦର ଠାରୁ ଆରମ୍ଭ କରି ରେଳଷ୍ଟେସନ, ବସ୍ଷ୍ଟାଣ୍ଡ, ହୋଟେଲ୍, ମଲ୍ ଅଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ପର୍ଯ୍ୟଟନସ୍ଥଳୀ, ମନ୍ଦିର ଓ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ମଧ୍ୟ ପୁଲିସ ତୀକ୍ଷ୍ଣ ନଜର ରଖିଛି। ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବା ସହ ରାତ୍ରିକାଳୀନ ଚେକିଂ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଏନେଇ କମିସନରେଟ୍ ପୁଲିସ ସମେତ ସମସ୍ତ ଏସ୍ପିଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟର ନିର୍ଦ୍ଦେଶ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/07/8nN1Xhf2mB65DIeMP25x.png)