ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆଜିଠାରୁ ଆରମ୍ଭ ହୋଇଥିବା ୩୯ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍-୨୦୧୯)ରେ ଓଡ଼ିଶା ମଣ୍ଡପ ଉଦ୍ଘାଟିତ ହୋଇଯାଇଛି।
ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ଓ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓଡ଼ିଶା ମଣ୍ଡପକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଅବସରରେ ରାଜ୍ୟ ସରକାରଙ୍କ (ଗଣମାଧ୍ୟମ ଲୋକସମ୍ପର୍କ) ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ସରକାରଙ୍କ ଆବାସିକ କମିସନର ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ। ଆଇଆଇଟିଏଫ୍-୨୦୧୯ର ଥିମ୍ ‘ଇଜ୍ ଅଫ୍ ଡୁଇଂ ବିଜ୍ନେସ’ ରହିଥିବାରୁ ସେହି ଅନୁଯାୟୀ ଓଡ଼ିଶା ମଣ୍ଡପକୁ ସଜାଯାଇଛି। ଓଡ଼ିଶା ମଣ୍ଡପରେ ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଂଜିନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା , ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସମ୍ପର୍କିତ ଷ୍ଟଲ୍ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଆଇଆଇଟିଏଫ୍-୨୦୧୯ ଅବସରରେ ଚଳିତ ମାସ ୨୧ରେ ପ୍ରଗତି ମଇଦାନର ହଂସଧ୍ବନୀ ଥିଏଟରରେ ଓଡ଼ିଶା ଦିବସ ପାଳନ କରାଯିବ। ପ୍ରଗତି ମଇଦାନରେ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆଇଆଇଟିଏଫ୍-୨୦୧୯ରେ ଆଫଗାନିସ୍ତାନ ସହଯୋଗୀ ରାଷ୍ଟ୍ର ଓ ଦକ୍ଷିଣ କୋରିଆ ଫୋକସ୍ ରାଷ୍ଟ୍ର ରୂପେ ଭାଗ ନେଇଛନ୍ତି। ଏହି ମେଳାକୁ ସର୍ବସାଧାରଣ ୧୯ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପରିଦର୍ଶନ କରିପାରିବେ।