ଓଡ଼ିଶା ଖଣି ଦୁର୍ନୀତି ମାମଲା: ନିୟମ ୩୭ର ଉଲ୍ଲଂଘନ ନେଇ ସ୍ୱତନ୍ତ୍ର କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖଣିଜ ରିହାତି ଆଇନ ୧୯୬୦ର ନିୟମ ୩୭ର ଉଲ୍ଲଂଘନ ମାମଲାର ଅନୁଧ୍ୟାନ କରି ଏ ସଂକ୍ରାନ୍ତରେ ବିସ୍ତତ ରିପୋର୍ଟ ଦାଖଲ କରିବାପାଇଁ ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସ୍ୱତନ୍ତ୍ର କମିଠି ଗଠନ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ୨ କିମ୍ବା ୩ ଜଣିଆ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରିବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କମିଟିରେ କେଉଁସବୁ ପୂର୍ବତନ ବିଚାରପତି ସାମିଲ ହେବେ ସେ ସମ୍ପର୍କରେ କିଛି ନାମ ମଧ୍ୟ ଅବଗତ କରାଯାଇଛି। ଉକ୍ତ କମିଟି ରୁଲ୍‌ ୩୭ର ଉଲ୍ଲଂଘନ ସହିତ ଏମଏମଡିଆର ଆଇନର ସେକ୍ସନ୍‌ ୬ (ଖ)ର ଉଲ୍ଲଂଘନ ସମ୍ବନ୍ଧରେ ଅନୁଧ୍ୟାନ କରିବେ। ଖଣି ଲିଜ୍‌ଧାରୀ ଓ ଠିକାଦାରଙ୍କ ମଧ୍ୟରେ ଚୁକ୍ତି ମୁତାବକ ଖଣି ଖନନର ଅନିୟମିତତା ତଥା ଅତିରିକ୍ତ ଖଣି ଅଞ୍ଚଳର ଅଭିଯୋଗକୁ କମିଟି ଯାଞ୍ଚ କରିବେ। କମିଟି ନିକଟରେ ରୁଲ୍‌ ୩୭ର ଉଲ୍ଲଂଘନ କରିଥିବା ୭ ଜଣ ଖଣି ଲିଜ୍‌ଧାରୀ ଓ ସେକ୍ସନ୍‌ ୬ (ଖ)ର ଉଲ୍ଲଂଘନ କରିଥିବା ୪ ଜଣ ଲିଜ୍‌ଧାରୀ ଆବଶ୍ୟକୀୟ ନଥିପତ୍ର ସହ ସେମାନଙ୍କ ପକ୍ଷ ରଖିବେ। କମିଟି ଲିଜ୍‌ଧାରୀଙ୍କ ଆବେଦନକାରୀ କମନ୍‌ କଜ୍‌ ସଂସ୍ଥା, ରାଜ୍ୟ ସରକାର ସିଇସି ତଥା ନ୍ୟାୟମିତ୍ରଙ୍କ ପକ୍ଷ ମଧ୍ୟ ଶୁଣିବେ। କମିଟି ପ୍ରଥମ ଶୁଣାଣିର ୧୨ ସପ୍ତାହ ଭିତରେ ସୁପ୍ରିମକୋର୍ଟରେ ବିସ୍ତତ ରିପୋର୍ଟ ଦାଖଲ କରିବେ। କମିଟିର ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ପରବର୍ତ୍ତୀ ପଦକ୍ଷେପ ନେବେ। ଉଲ୍ଲେଖଯୋଗ୍ୟ ଓଡ଼ିଶାରେ ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟ କମନ୍‌ କଜ୍‌ ନାମକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୨ ତାରିଖରେ ଦୁର୍ନୀତିରେ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କଠାରୁ ୧୦୦ ପ୍ରତିଶତ ଜରିମାନା ଆଦାୟ ନିର୍ଦ୍ଦେଶ ଦେବା ସହିତ ରୁଲ୍‌ ୩୭ର ଉଲ୍ଲଂଘନ ପାଇଁ ଅଭିଯୋଗକାରୀମାନଙ୍କ ପକ୍ଷ ଶୁଣିବାପରେ ମାମଲାର ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ।

ସମ୍ବନ୍ଧିତ ଖବର