ଓଡ଼ିଶାରେ ଖଣି ବନ୍ଦ ଯୋଗୁ ସାରା ଦେଶରେ ଲୁହାପଥର ଅଭାବ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଜରିମାନା ରାଶି ପ୍ରଦାନ କରି ନପାରିବାରୁ ଓଡ଼ିଶାରେ ଚଳିତମାସ ପହିଲାରୁ ୬ଟି ଲୁହାପଥର ଖଣି ବନ୍ଦ ହୋଇଯାଇଛି। ଏହି ୬ଟି ଖଣିରୁ ବର୍ଷକୁ ପ୍ରାୟ ୨୩ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ କ୍ଷମତା ରହିଛି। ଓଡ଼ିଶାରେ ଉକ୍ତ ୬ଟି ଖଣି ବନ୍ଦ ଯୋଗୁ ଦେଶରେ ଚଳିତ ତ୍ରୟମାସରେ ପ୍ରାୟ ୫.୫ ନିୟୁତ ଟନ୍‌ ଲୁହାପଥର ଅଭାବ ଦେଖାଦେଇଛି। ଫଳରେ ଜାନୁଆରିରେ ଟନ୍‌ ପିଛା ଲୁହାପଥର(ଲମ୍ପ୍‌) ଦର ୪୦୦ରୁ ୫୦୦ ଟଙ୍କା ବୃଦ୍ଧି ଘଟିଛି ବୋଲି କ୍ରେଡିଟ ରେଟିଂ ଏଜେନ୍ସି ଆଇସିଆର୍‌ଏ ପକ୍ଷରୁ କୁହାଯାଇଛି। ଏଥିଯୋଗୁଁ ଆଗାମୀ ଦିନରେ ଇସ୍ପାତ ଉତ୍ପାଦନ ମୂଲ୍ୟ ଟନ୍‌ ପିଛା ପ୍ରାୟ ୮୦୦ରୁ ୧୦୦୦ ଟଙ୍କା ବୃଦ୍ଧି ଘଟିବ ବୋଲି ମଧ୍ୟ ଆକଳନ କରାଯାଇଛି।ଭାରତୀୟ ଖଣି ଶିଳ୍ପ ମହାସଂଘ (ଫିମି)ର କହିବାନୁଯାୟୀ, ଦେଶରେ ଲୁହାପଥର ଯୋଗାଣ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିଛି। ଫିମିର ସାଧାରଣ ସମ୍ପାଦକ ଆର. କେ. ଶର୍ମାଙ୍କ ସୂଚନା ଅନୁଯାୟୀ, ଦେଶରେ ବର୍ଷକୁ ମୋଟ ୧୨୦ ନିୟୁତ ଟନ୍‌ର ଲୁହାପଥର ଆବଶ୍ୟକ ରହିଛି। ଏଥିରୁ ପ୍ରାୟ ୫୦ ପ୍ରତିଶତ ଲୁହାପଥର ଓଡ଼ିଶାରୁ ଉତ୍ତୋଳିତ ହୋଇଥାଏ। ଆଇସିଆରଏ ପକ୍ଷରୁ ଏହା କୁହାଯାଇଛି ଯେ, ଗତ ଡିସେମ୍ବର ୩୧ ସୁଦ୍ଧା ଜରିମାନା ପ୍ରଦାନ କରି ନଥିବା ଖଣି କମ୍ପାନିଙ୍କ ମଧ୍ୟରୁ କେତେକ ଖଣି ମାଲିକ ଜାନୁଆରିରେ ଜରିମାନା ରାଶି ଜମା କରିଛନ୍ତି। ଆଉ କେତେକ ଖଣିମାଲିକ ଜରିମାନା ରାଶି ଯୋଗାଡ଼ କରୁଛନ୍ତି। ତେଣୁ ଏମାନେ ମଧ୍ୟ ଶୀଘ୍ର ଜରିମାନା ଜମା କରିବା ଆଶା ରହିଛି।

ସମ୍ବନ୍ଧିତ ଖବର