ନୂଆଦିଲ୍ଲୀ : ଖଣିଜ ରିହାତି ଆଇନ ୧୯୬୦ର ନିୟମ ୩୭ର ଉଲ୍ଲଂଘନ ମାମଲାର ଅନୁଧ୍ୟାନ କରି ଏ ସଂକ୍ରାନ୍ତ ବିସ୍ତତ ରିପୋର୍ଟ ଦାଖଲ କରିବାପାଇଁ ଆଜି ସୁପ୍ରିମକୋର୍ଟ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟର ଦୁଇ କିମ୍ବା ତିନି ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏହି କମିଟି ଗଠନ କରାଯିବ। କମିଟିରେ କେଉଁସବୁ ପୂର୍ବତନ ବିଚାରପତି ରହିବେ ସେମାନଙ୍କ ନାମ ଉପରେ ଆଲୋଚନା ହୋଇଛି। ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କ ନାମ ପ୍ରକାଶ ପାଇବ। ଉକ୍ତ କମିଟି ରୁଲ୍ ୩୭ର ଉଲ୍ଲଂଘନ ସହିତ ଏମଏମଡିଆର ଆଇନର ସେକ୍ସନ୍ ୬(ଖ)ର ଉଲ୍ଲଂଘନ ସମ୍ବନ୍ଧରେ ମଧ୍ୟ ଅନୁଧ୍ୟାନ କରିବ। ମାମଲାର ବିଚାର କରୁଥିବା ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖଣି ଲିଜ୍ଧାରୀ ଓ ଠିକାଦାରଙ୍କ ମଧ୍ୟରେ ଚୁକ୍ତି ମୁତାବକ ଖଣି ଖନନ ହୋଇଛି କି ନାହିଁ? ଲିଜଧାରୀମାନେ ସରକାରଙ୍କ ବିନା ଅନୁମ୍ତିରେ ଅନ୍ୟମାନଙ୍କୁ ସବଲିଜ୍ ଦେଇଛନ୍ତି କି? ନିର୍ଧାରିତ ଅଞ୍ଚଳଠାରୁ ଅଧିକ ସ୍ଥାନରେ ଖନନ କରାଯାଇଛି କି ନାହିଁ? ଏହିସବୁ ପ୍ରଶ୍ନ ଏବଂ ଏସଂକ୍ରାନ୍ତ ଅଭିଯୋଗ ଉପରେ କମିଟି ଯାଞ୍ଚ କରିବେ। କମିଟି ନିକଟରେ ରୁଲ୍ ୩୭ର ଉଲ୍ଲଂଘନ କରିଥିବା ୭ ଜଣ ଖଣି ଲିଜ୍ଧାରୀ ଓ ସେକ୍ସନ୍ ୬ (ଖ)ର ଉଲ୍ଲଂଘନ କରିଥିବା ୪ ଜଣ ଲିଜ୍ଧାରୀ ଆବଶ୍ୟକ ନଥିପତ୍ର ସହ ସେମାନଙ୍କ ପକ୍ଷ ରଖିବେ। କମିଟି ଲିଜ୍ଧାରୀଙ୍କ ଆବେଦନକାରୀ କମନ୍ କଜ୍ ସଂସ୍ଥା, ରାଜ୍ୟ ସରକାର ସିଇସି ତଥା ନ୍ୟାୟମିତ୍ରଙ୍କ ପକ୍ଷ ମଧ୍ୟ ଶୁଣିବେ। କମିଟି ପ୍ରଥମ ଶୁଣାଣିର ୧୨ ସପ୍ତାହ ଭିତରେ ସୁପ୍ରିମକୋର୍ଟରେ ବିସ୍ତତ ରିପୋର୍ଟ ଦାଖଲ କରିବେ। କମିଟିର ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ପରବର୍ତ୍ତୀ ପଦକ୍ଷେପ ନେବେ।
ଉଲ୍ଲେଖଯୋଗ୍ୟ ଓଡ଼ିଶାରେ ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟ କମନ୍ କଜ୍ ନାମକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୨ ତାରିଖରେ ଦୁର୍ନୀତିରେ ସମ୍ପୃକ୍ତ ଲିଜ୍ଧାରୀମାନଙ୍କଠାରୁ ୧୦୦ ପ୍ରତିଶତ ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ରୁଲ୍ ୩୭ର ଉଲ୍ଲଂଘନ ପାଇଁ ଅଭିଯୋଗକାରୀମାନଙ୍କ ପକ୍ଷ ଶୁଣିବାପରେ ମାମଲାର ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ରୁଲ୍ ୩୭ ଅନୁଯାୟୀ କୌଣସି ଲିଜଧାରୀ ସରକାରଙ୍କ ବିନା ଅନୁମତିରେ ସବ୍ଲିଜ ଦେଇପାରିବେ ନାହିଁ କି ଅତିରିକ୍ତ ଅଞ୍ଚଳରେ ଖନନ କରିପାରିବେ ନାହିଁ।