ଓଡ଼ିଶାର ମୋ ବସ୍‌ ଓ ମୋ ଇ-ରାଇଡ୍‌କୁ ମିଳିଲା ପୁରସ୍କାର

ସ୍ମାର୍ଟ ସଲ୍ୟୁସନ୍ସ ଚ୍ୟାଲେଞ୍ଜ ଓ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ବର : କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁବାର ନୂଆଦିଲ୍ଲୀଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଥିବା ମୋ ବସ୍‌ ଓ ମୋ ଇ-ରାଇଡକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି। ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବର୍ଗରେ ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଥ୍ ପ୍ରାଇଡ୍‌’ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ୍ ଓ ମୋ ଇ-ରାଇଡ୍‌)କୁ ପୁରସ୍କାର ମିଳିଛି।

ଦିବ୍ୟାଙ୍ଗ, ମହିଳା, ବାଳିକା ଓ ବୟସ୍କମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର କରିବା ସହିତ ସେମାନଙ୍କୁ ସହରସ୍ତରୀୟ ଅଭିଗମ୍ୟତା ଓ ସମାବେଶିତା ପ୍ରଦାନ କରିବା ଲାଗି ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନ୍‌ଆଇୟୁଏ) ଏବଂ ଭାରତରେ ମିଳିତ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ଭାରତରେ ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶୋମ୍ବି ଶାର୍ପ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ କୁନାଲ କୁମାରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପୁରୀ କହିଥିଲେ ଯେ, ଅଭିନବ ସମାଧାନଗୁଡ଼ିକର ସୃଜନଶୀଳ କ୍ଷମତା ଏବଂ ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଏଥିରେ ରହିଥିବା ସମାଧାନ ଦେଖିବାକୁ ମିଳିବା ଆନନ୍ଦର ବିଷୟ। ଶ୍ରେଷ୍ଠ ସମାଧାନଗୁଡ଼ିକ ସବୁବେଳେ ସରଳ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିଥାଏ। ଏହି ସମାଧାନଗୁଡ଼ିକ ସାର୍ବଜନୀନ ଡିଜାଇନକୁ ସମନ୍ବିତ କରିବା ସହିତ ସବୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ନିରାପଦ, ସମାବେଶୀ ଓ ଅଭିଗମ୍ୟ, ସବୁଜ ଓ ସାର୍ବଜନୀନ ସ୍ଥାନ ଯୋଗାଇ ଦେବା ନିମନ୍ତେ ଏସ୍‌ଡିଜି ଲକ୍ଷ୍ୟ ୧୧.୭କୁ ହାସଲ କରିବାରେ ସହାୟକ ହେବ।

ଶ୍ରୀ ପୁରୀ କହିଥିଲେ ଯେ, ମିଳିତ ଜାତିସଂଘ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏସ୍‌ଡିଜି-୨୦୩୦କୁ ମୋଦୀ ସରକାର ପୂର୍ବରୁ କାର୍ଯ୍ୟକାରୀ କରି କରିସାରିଛନ୍ତି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ। ସବୁଠୁ ପଛରେ ରହିଥିବା ବ୍ୟକ୍ତିଙ୍କ କଲ୍ୟାଣ ନିମନ୍ତେ ଆମେ ସର୍ବୋଦୟରୁ ଅନ୍ତ୍ୟୋଦୟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ। ଏହା ଭାରତରେ ଏସ୍‌ଡିଜି ଲକ୍ଷ୍ୟକୁ ସଫଳ କରିପାରିବ।

ସମ୍ବନ୍ଧିତ ଖବର