ନୂଆଦିଲ୍ଲୀ: ଆଜି ସପ୍ତଦଶ ଲୋକସଭା ଅଧିବେଶନର ଦ୍ବିତୀୟ ବର୍ଷ ପୂର୍ତ୍ତି ହୋଇଛି। ଜୁନ ୧୬, ୨୦୧୯ ରେ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆୟୋଜିତ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ତଦଶ ଲୋକସଭାର ସମୁଦାୟ ୫ଟି ଅଧିବେଶନ ହୋଇଯାଇଛିା। ଗତବର୍ଷ କରୋନା କଟକଣା ଯୋଗୁଁ ଶୀତକାଳୀନ ଅଧିବେଶନକୁ ସଂପୂର୍ଣ୍ଣ ରୂପେ ବାତିଲ କରିଦିଆଯାଇଥିଲା। ସପ୍ତଦଶ ଲୋକସଭାର ପ୍ରଥମ ଦୁଇବର୍ଷର ୫ଟି ଅଧିବେଶନରେ ଓଡିଶାର ସାଂସଦମାନେ ସମୁଦାୟ ୧୩୨୯ ପ୍ରଶ୍ନ ପଚାରିଥିଲେ ଏବଂ୪୭୪ ଟି ଆଲୋଚନାରେ ଭାଗ ନେଇଥିଲେ। ପ୍ରଥମ ବର୍ଷ ତୁଳନାରେ ଦ୍ବିତୀୟ ବର୍ଷର ଅଧିବେଶନମାନଙ୍କରେ ସାଂସଦମାନଙ୍କ ଦ୍ବାରା ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗ ନେବାର ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଥିଲା। ପ୍ରଥମ ବର୍ଷର ଅଧିବେଶନରେ ଓଡିଶାର ସାଂସଦମାନେ ୭୬୯ ଗୋଟି ପ୍ରଶ୍ନ ପଚାରିଥିଲେ ଓ ୨୯୫ଟି ଆଲୋଚନାରେ ଭାଗ ନେଇଥିଲେ। ଅପରପକ୍ଷେ ଦ୍ବିତୀୟ ବର୍ଷରେ ସାଂସଦମାନେ ୫୬୦ଟି ପ୍ରଶ୍ନ ପଚାରିଥିଲେ ଏବଂ ୧୭୯ଟି ଆଲୋଚନାରେ ଭାଗ ନେଇଥିଲେ। ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ତୁଳନାରେ ଦ୍ବିତୀୟ ବର୍ଷର ଅଧିବେଶନରେ ଓଡିଶାର ସାଂସଦମାନଙ୍କ ଦ୍ବାରା ପ୍ରଶ୍ନ ପଚାରିବା ଏବଂ ଆଲୋଚନାରେ ଭାଗନେବା ସଂଖ୍ୟାରେ ହ୍ରାସ ପଛରେ ଗତବର୍ଷ ଶୀତକାଳିନ ଅଧିବେଶନ ନ ହେବା ଏକ ପ୍ରମୁଖ କାରଣ ବୋଲି ଅନୁମାନ କରାଯାଇପାରେ।

Advertisment

ପିଆରଏସ୍ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟ ଅନୁସାରେ ସପ୍ତଦଶ ଲୋକସଭାର ଦୁଇ ବର୍ଷର ୫ଟି ଅଧିବେଶନରେ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସବୁଠାରୁ ଅଧିକ ପ୍ରଶ୍ନ ପଚାରିଛନ୍ତି। ସଙ୍ଗୀତା ସର୍ବାଧିକ ୨୧୫ ଗୋଟି ପ୍ରଶ୍ନ ପଚାରିଥିବାବେଳେ ବିଜେପି ସାଂସଦ ବିଶ୍ବେଶର ଟୁଡୁ ଗୋଟିଏ ମଧ୍ୟ ପ୍ରଶ୍ନ ପଚାରିନାହାନ୍ତି। ସପ୍ତଦଶ ଲୋକସଭାର ଦୁଇ ବର୍ଷର ୫ଟି ଅଧିବେଶନରେ ପ୍ରଶ୍ନ ପଚାରିବାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁା। ତଥ୍ୟ ଅନୁସାରେ ଶ୍ରୀ ସାହୁ ପଚାରିଛନ୍ତି ୧୭୫ଟି ପ୍ରଶ୍ନ। ପ୍ରଶ୍ନ ପଚାରିବାରେ ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ପଚାରିଛନ୍ତି ୧୪୨ଟି ପ୍ରଶ୍ନ। ବିଜେଡି ସାଂସଦ ପିନାକୀ ମିଶ୍ର ୧୧୨ଟି ପ୍ରଶ୍ନ ପଚାରିଥିବାବେଳେ କଂଗ୍ରେସ ସାଂସଦ ସପ୍ତଗିରି ଭଲ୍ଲାକା ପଚାରିଛନ୍ତି ୧୦୬ଟି ପ୍ରଶ୍ନ। ସେହିଭଳି ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ ୮୧ଟି, ବିଜେଡି ସାଂସଦ ଅନୁଭବ ମହାନ୍ତି ୭୧ଟି, ବିଜେପି ସାଂସଦ ବସନ୍ତ ପଣ୍ଡା ୬୮ଟି, ଜୁଏଲ ଓରାମ ୬୭ଟି, ବିଜେଡିର ଅଚ୍ୟୁତାନନ୍ଦ ସାମନ୍ତ ୬୫ଟି ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, ବିଜେପି ସାଂସଦ ସୁରେଶ ପୂଜାରୀ ୪ଟି ଓ ବିଜେଡିର ଡାକ୍ଟର ରାଜଶ୍ରୀ ମଲ୍ଲିକ କେବଳ ଗୋଟିଏ ପ୍ରଶ୍ନ ପଚାରିଥିବାର ତଥ୍ୟରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଓଡିଶାର ମୋଟ ୨୧ ଜଣ ଲୋକସଭା ସାଂସଦ ଥିବାବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କୁ ବାଦ ଦେଇ ଅନ୍ୟସବୁ ସାଂସଦମାନେ ପ୍ରଶ୍ନ ପଚାରିଛନ୍ତି। ଅନ୍ୟ ସାଂସଦମାନଙ୍କ ମଧ୍ୟରେ ବିଜେପିର ନୀତୀଶ ଗଙ୍ଗଦେବ ୪୮ଟି, ବିଜେଡିର ମହେଶ ସାହୁ ୪୫, ଶର୍ମିଷ୍ଠା ସେଠି ୪୧ଟି ଓ ରମେଶ ମାଝୀ ୩୨ଟି ପ୍ରଶ୍ନ ପଚାରିଛନ୍ତି। ଅପରପକ୍ଷେ,ବିଜେଡିର ସାଂସଦ ଡାକ୍ଟର ରାଜଶ୍ରୀ ମଲ୍ଲିକ ସପ୍ତଦଶ ଲୋକସଭାର ଦୁଇ ବର୍ଷର ୫ଟି ଅଧିବେଶନରେ କେବଳ ଗୋଟିଏ ପ୍ରଶ୍ନ ପଚାରିଛନ୍ତି।

ସେହିଭଳି ସପ୍ତଦଶ ଲୋକସଭାର ପ୍ରଥମ ଦୁଇ ବର୍ଷର ଅଧିବେଶନରେ ବିଭିନ୍ନ ଆଲୋଚନାରେ ଭାଗ ନେବା ପ୍ରସଙ୍ଗରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସବୁଠାରୁ ଆଗରେ ରହିଛନ୍ତି। ଶ୍ରୀ ମହତାବ ତଥ୍ୟ ଅନୁସାରେ ୧୦୮ଟି ଆଲୋଚନାରେ ଭାଗ ନେଇଛନ୍ତି। କଂଗ୍ରେସ ସାଂସଦ ସପ୍ତଗିରି ଭଲ୍ଲାକା ୭୧ଟି ଆଲୋଚନାରେ ଭାଗ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତି ୫୧ ଏବଂ ପିନାକୀ ମିଶ୍ର ୩୦ଟି ଆଲୋଚନାରେ ଭାଗନେଇଛନ୍ତି। ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ୨୫ଟି, ବିଜେଡିର ଅଚ୍ୟୁତାନନ୍ଦ ସାମନ୍ତ ୨୨ଟି, ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ ୨୦ଟି, ବିଜେପି ସାଂସଦ ସୁରେଶ ପୁଜାରୀ ଓ ଅପରାଜିତା ଷଢଙ୍ଗୀ ୧୭ଟି ଲେଖାଏଁ, ବିଜେଡିର ଚନ୍ଦ୍ରଶେଖର ସାହୁ ଓ ମହେଶ ସାହୁ ୧୬ଟି ଲେଖାଏଁ ଏବଂ ବିଜେପିର ନୀତୀଶ ଗଙ୍ଗଦେବ ୧୬ଟି ଆଲୋଚନାରେ ଭାଗ ନେଇଥିବାର ତଥ୍ୟରେ ଉଲ୍ଲେଖ ଅଛି। ସେହିପରି ବିଜେପିର ସାଂସଦ ବସନ୍ତ ପଣ୍ଡା ୧୫ଟି, ବିଜେଡିର ଶର୍ମିଷ୍ଠା ସେଠି ୧୨ଟି ଓ ଡାକ୍ଟର ରାଜଶ୍ରୀ ମଲ୍ଲିକ ୧୦ଟି ଆଲୋଚନାରେ ଭାଗ ନେଇଥିବା ବେଳେ ବିଜେଡି ସାଂସଦ ପ୍ରମିଳା ବିଷୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ବିଜେପିର ସାଂସଦ ଜୁଏଲ ଓରାମ ଓ ବିଶ୍ବଶର ଟୁଡୁ ୧୦ରୁ କମ୍ ଆଲୋଚନାରେ ଭାଗନେଇଛନ୍ତି। ବିଜେଡିର ସାଂସଦ ପ୍ରମିଲା ବିଷୋଇ ଓ ବିଜେପିର ଜୁଏଲ ଓରାମ ସବୁଠାରୁ କମ୍ ୪ଟି ଲେଖାଏଁ ଆଲୋଚନାରେ ଭାଗ ନେଇଥିବାର ତଥ୍ୟରେ ଉଲ୍ଲେଖ ଅଛି।

ସପ୍ତଦଶ ଲୋକସଭାର ପ୍ରଥମ ଦୁଇବର୍ଷରେ ଶ୍ରମ ଓ ପ୍ରତିରକ୍ଷା ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରୁପେ ଦୁଇଜଣ ଓଡିଆ ସାଂସଦ ରିପୋର୍ଟ ଦାଖଲ କରିଛନ୍ତି। ବିଜେପି ସାଂସଦ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ସଂପର୍କିତ ଷ୍ଟାଣ୍ଡିଂ କମିଟି ପ୍ରଥମ ଦୁଇ ବର୍ଷରେ ୨୨ଟି ରିପୋର୍ଟ ଦାଖଲ କରିଥିବାବେଳେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରମ ସଂପର୍କିତ ଷ୍ଟାଣ୍ଡିଂ କମିଟି ପ୍ରଥମ ଦୁଇବର୍ଷରେ ମୋଟ ୧୯ଟି ରିପୋର୍ଟ ଦାଖଲ କରିଥିଲା।

ସପ୍ତଦଶ ଲୋକସଭା ଗଠନର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଉପ ବାଚସ୍ପତି ପଦ ଖାଲି ପଡିଛି। ଲୋକସଭା ବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହ ପରିଚାଳନା ପାଇଁ ଗଠନ କରାଯାଇଥିବା ପ୍ୟାନାଲ ଅଫ୍ ସ୍ପିକର ତାଲିକାରେ ବିଭିନ୍ନ ସମୟରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ଅଧ୍ୟକ୍ଷତା କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ବଜେଟ ଅଧିବେଶନର ଶେଷ ଦିବସରେ ପ୍ରଥମ ଥର ପାଇଁ ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ ହୋଇ ଅନୁପସ୍ଥିତ ରହିବାଯୋଗୁ ଶ୍ରୀ ମହତାବ ଗୃହରେ ଉଦଯାପନୀ ବକ୍ତବ୍ୟ ରଖିଥିଲେ।