ରାଜ୍ୟସଭା ଓ ଲୋକସଭାର ଶୂନ୍ୟକାଳରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇଲେ ଓଡ଼ିଶାର ୬ ସାଂସଦ

ନୂଆଦିଲ୍ଲୀ: ସୋମବାର ପୁଣିଥରେ ରାଜ୍ୟସଭା ଓ ଲୋକସଭାର ଶୂନ୍ୟକାଳରେ ଓଡ଼ିଶାର ୬ ଜଣ ସାଂସଦ ରାଜ୍ୟ ସଂପର୍କିତ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କରିଥିଲେ। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ସସ୍ମିତ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ,୨୦୧୮ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ଜାତୀୟ କମିଟିର ପ୍ରଥମ ବୈଠକରେ ଏହି ପ୍ରସଙ୍ଗକୁ ଉଠାଇବା ସହିତ ପୁଣିଥରେ ଡିସେମ୍ବର ୨୦୧୯ର ଦ୍ବିତୀୟ ବୈଠକରେ ମଧ୍ୟ ଦାବି ଦୋହରାଇଥିଲେ। ସେ ପୁଣି କହିଥିଲେ ‌ମାର୍ଚ୍ଚ ୨୦୨୧ରେ ଓଡ଼ିଶା ବିଧାନସଭାରେ ଦଳମତ ନିର୍ବିଶେଷରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ସଂପର୍କିତ ସଂକଳ୍ପ ପାରିତ ହୋଇଥିଲା। ସସ୍ମିତ କହିଥିଲେ ଅହିଂସାର ବାର୍ତ୍ତା ଦେଶ ଓ ବିଶ୍ବର ଭବିଷ୍ୟତ ପିଢ଼ିକୁ ପ୍ରେରିତ କରିବ ତଥା ଦାରିଦ୍ୟ ଦୂରୀକରଣ, ବିକାଶ, ସମାଜିକ ନ୍ୟାୟକୁ ଅହିଂସା ବିନା ହାସଲ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବୈଠକରେ ମତବ୍ୟକ୍ତ କରିଥିଲେ। କ୍ରମାଗତଭାବେ ଏହି ଦାବିକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଏହାକୁ ପୂରଣ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରନ୍ତୁ ବୋଲି ସସ୍ମିତ କହିଥିଲେ।

ଏକଲବ୍ୟ ମଡେଲ ଆବାସିକ ସ୍କୁଲ ବିଳମ୍ବ ପ୍ରସଙ୍ଗ ଉଠାଇଲେ ସୁଜିତ
ବିଜେଡି ସାଂସଦ ସୁଜିତ କୁମାର ଏକଲବ୍ୟ ମଡେଲ ଆବାସିକ ସ୍କୁଲ (ଇଏମ୍‌ଆର୍‌ଏସ୍‌)ର ଜନସଂଖ୍ୟା ମାନଦଣ୍ଡ ଓ ମଂଜୁରିପ୍ରାପ୍ତ ବିଦ୍ୟାଳୟଗୁଡ଼ିକର କ୍ରିୟାନ୍ବୟନରେ ହେଉଥିବା ବିଳମ୍ବ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ସୁଜିତ କୁମାର କହିଥିଲେ ଇଏମ୍‌ଆର୍‌ଏସ୍‌ ସ୍କୁଲ ସ୍ଥାପନ ପାଇଁ ବ୍ଲକରେ ଅତିକମ୍‌ରେ ୫୦ ପ୍ରତିଶତ ଆଦିବାସୀ ଜନସଂଖ୍ୟା ସଂପର୍କିତ ୨୦୨୦ର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଂଶୋଧିତ ଗାଇଲଲାଇନ୍ସ ରହିଛି। ଏଭଳି ଜନସଂଖ୍ୟା ମାନଦଣ୍ଡ ନିର୍ଦ୍ଧାରଣ ଗାଇଡଲାଇନ୍ସକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ସଂପର୍କିତ ଷ୍ଟାଣ୍ଡିଂ କମିଟି ୨୦୨୦ର ୩୧ତମ ଓ ୪୧ତମ ରିପୋର୍ଟରେ ଭେଦଭାବପୂର୍ଣ୍ଣ ଓ ଅନୁଚିତ ବୋଲି ଦର୍ଶାଯାଇଥିଲା ବୋଲି ସୁଜିତ କହିଥିଲେ। ସେ କହିଥିଲେ ଦେଶରେ ଏମିତି ଅନେକ ବ୍ଲକ ରହିଛି ଯେଉଁଠା‌ରେ ୫୦ ପ୍ରତିଶତ ଆଦିବାସୀ ଜନସଂଖ୍ୟା ନାହିଁ। ଯାହାଦ୍ବାରା ସେସବୁ ବ୍ଲକର ପିଲାମାନେ ଇଏମ୍‌ଆର୍‌ଏସ୍‌ ଗୁଣବତ୍ତା ଶିକ୍ଷାରୁ ବଂଚିତ ହେଉଛନ୍ତି। ସେ କହିଥିଲେ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକରେ ୪୦ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକରେ ୪୩ ପ୍ରତିଶତ ଓ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକରେ ୩୬ ପ୍ରତିଶତ ଆଦିବାସୀ ଜନସଂଖ୍ୟା ଥିବାରୁ ସେଠାରେ ଜନସଂଖ୍ୟା ମାନଦଣ୍ଡ ଅନ୍ତର୍ଗତ ଇଏମ୍‌ଆର୍‌ଏସ୍‌ ବିଦ୍ୟାଳୟ ସ୍ଥାପନ ହୋଇପାରୁନାହିଁ। ଜନସଂଖ୍ୟା ମାନଦଣ୍ଡର ସମୀକ୍ଷା କରାଯାଉ ବୋଲି ସେ ଦାବି କରିଥିଲେ। ତତ୍କାଳୀନ ‌କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ୨୦୨୫-୨୬ରୁ ଏହି ଦାବିର ପୁନର୍ବିଚାର କରାଯିବ ବୋଲି ତାଙ୍କୁ ପତ୍ରରେ ଦର୍ଶାଇଥିବା ମଧ୍ୟ ପ୍ରସଙ୍ଗ ଉପସ୍ଥାପନ ଅବସରରେ ସୁଜିତ କହିଥିଲେ। ହେଲେ ଏହାକୁ ଶୀଘ୍ର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସୁଜିତ କହିଥିଲେ। ସେ ପୁଣି କହିଥିଲେ ଓଡ଼ିଶାରେ ଇଏମ୍‌ଆର୍‌ଏସ୍‌ର ମୋଟ ୧୦୪ଟି ସ୍କୁଲକୁ ମଂଜୁରି ପ୍ରଦାନ କରାଯାଇଥିବାବେଳେ କେବଳ ୩୨ଟି ସ୍କୁଲ କାର୍ଯ୍ୟକ୍ଷମ ରହିଛି। ୭୨ଟି ସ୍କୁଲ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଇଏମ୍‌ଆର୍‌ଏସ୍‌ ସ୍କୁଲ ମାନଙ୍କରେ ଶିକ୍ଷକମାନଙ୍କ ନିଯୁକ୍ତି ନେଇ ୪୦ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଥିବାବେଳେ ସ୍କୁଲ କାର୍ଯ୍ୟକ୍ଷମ ହେଉନଥିବାରୁ ଶିକ୍ଷକ ନିଯୁକ୍ତିର କ’ଣ ଆବଶ୍ୟକତା ବୋଲି ସୁଜିତ ପ୍ରଶ୍ନ କରିଥିଲେ।

କଳାକାରଙ୍କ ପେନସନ୍‌ ବନ୍ଦ ହେବା ଖୁବ୍‌ ଯନ୍ତ୍ରଣା ଦାୟକ: ପ୍ରଶାନ୍ତ
ରାଜ୍ୟସଭାରେ ବିଜେଡି ସାଂସଦ ଡ.ପ୍ରଶାନ୍ତ ନନ୍ଦ କଳାକାରମାନଙ୍କର ପେନସନ ବନ୍ଦ ହେଉଥିବା ପ୍ରସଙ୍ଗକୁ ଅତ୍ୟନ୍ତ ଭାବପୂର୍ଣ୍ଣ ଢଙ୍ଗରେ ଉପସ୍ଥାପନ କରିଥିଲେ। ସେ କହିଥିଲେ କଳାକାର ମାନେ ଦେଶର ଅସ୍ମିତାକୁ ବଂଚାଇ ରଖିବା ପାଇଁ ସେମାନଙ୍କ ଜୀବନକୁ ଉତ୍ସର୍ଗ କରିଥିବାବେଳେ ସେମାନଙ୍କୁ ଠିକ୍‌ ସମୟରେ ପେନସନ ମିଳୁନଥିବା ତଥା ପେନସନ ବନ୍ଦ ହେବା ଖୁବ୍‌ ଯନ୍ତ୍ରଣା ଦାୟକ। ଯେଉଁ କଳାକାରମାନଙ୍କ ପାଇଁ ଦେଶର ଅସ୍ମିତା ଲାଗି ଦିନ ରାତି କାମ କରୁଥିଲେ ଖାଇବା ପାଇଁ ସେମାନଙ୍କ ପାଖରେ ସମୟ ମିଳୁନଥିଲା ହେଲେ ସ୍ଥିତି ଆଜି ଏମିତି ଯେ ଆଜି ଖାଇବା ପାଇଁ ସେମାନଙ୍କ ପାଖରେ ପଇସା ନାହିଁ ବୋଲି ଡ. ନନ୍ଦ କହିଥିଲେ। ସେ ବିଶେଷଭାବେ ଓଡ଼ିଶାର କଳାକାର ସରସ୍ବତୀ ଦେବୀଙ୍କର ପେନସନ ଏପ୍ରିଲ ୨୦୦୦ରୁ ବନ୍ଦ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଭଳି ଅନେକ କଳାକାରଙ୍କର ପେନସନ ବନ୍ଦ ହୋଇଛି ବୋଲି ସେ କହିଥିଲେ। ସରକାରଙ୍କୁ କଳାକାରମାନଙ୍କ ପେନସନ ବନ୍ଦ ‌ସଂପର୍କରେ ବାରମ୍ବାର ଲେଖି ଜଣାଇ ଥକିଗଲେଣି କିନ୍ତୁ ଏ ଦିଗରେ ‌କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ତତ୍କାଳ ହସ୍ତକ୍ଷେପ କରନ୍ତୁ ବୋଲି ଡ. ନନ୍ଦ କହିଥିଲେ।

ସିଜିଏଚ୍‌ଏସ୍‌- ୱେଲନେସ୍‌ ସେଣ୍ଟର ଖୋଲିବାକୁ ଦାବି କଲେ ଅଚ୍ୟୁତ
ଲୋକସଭାରେ ଶୂନ୍ୟକାଳରେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଭାଗରେ ସିଜିଏଚ୍‌ଏସ୍‌- ୱେଲନେସ ସେଣ୍ଟର ଖୋଲିବା ପାଇଁ ଦାବି କରିଥିଲେ। ଓଡ଼ିଶାର ୩୦ଟି ଜିଲ୍ଲାରେ କେବଳ ୫ଟି ସିଜିଏଚ୍‌ଏସ୍‌- ୱେଲନେସ୍‌ ସେଣ୍ଟର (୩ଟି ଭୁବନେଶ୍ବର ଓ କଟକ ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ) ରହିଛି ଯାହାଦ୍ବାରା ରାଜ୍ୟର ଥିବା ସିଜିଏଚ୍‌ଏସ୍‌-ହିତାଧିକାରୀଙ୍କ ଆବଶ୍ୟକତାକୁ ପୂରଣ କରିପାରିବାରେ ପର୍ଯ୍ୟାପ୍ତ ହେଉନାହିଁ ବୋଲି ଶ୍ରୀ ସାମନ୍ତ କହିଥିଲେ।

ଓପିଜିସି ପାଉଁଶ ପୋଖରୀ ଭୁଶୁଡ଼ିବା ପ୍ରସଙ୍ଗ ଉଠାଇଲେ ସୁରେଶ
ଲୋକସଭାରେ ଶୂନ୍ୟକାଳରେ ବିଜେପି ସାଂସଦ ସୁରେଶ ପୂଜାରୀ ତାଙ୍କ ନିର୍ବାଚନ ମଣ୍ଡଳୀର ଝାରସୁଗୁଡ଼ାର କୁମାରବନ୍ଧ ପଂଚାୟତ ଶରଧାବାଲି ଗ୍ରାମରେ ଥିବା ଓପିଜିସିର ତୃତୀୟ ଆସପଣ୍ଡ (ପାଉଁଶ ‌ପୋଖରୀ) ଶନିବାର ଭୁଶୁଡ଼ିବା ପ୍ରସଙ୍ଗ ଉପସ୍ଥାପନ କରିବା ସହିତ ଏହି ମାମଲାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ଶକ୍ତି ମନ୍ତ୍ରାଳୟ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରୁ କୈଫିୟତ ତଲବ କରାଯାଉ ବୋଲି ଦାବି କରିଥିଲେ। ଏଥି ସହିତ ଜୁଡିସିଆଲ କମିସନ ଗଠନ କରାଯାଇ ଏହାର କାରଣ ଖୋଜାଯାଉ ବୋଲି ମଧ୍ୟ ସେ କହିଥିଲେ। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ପଦକ୍ଷେପ ନିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସେ ଦାବି କରିଥିଲେ। ପ୍ରସଙ୍ଗ ଉପସ୍ଥାପନ ପରିପେକ୍ଷୀରେ ସେ କହିଥିଲେ ଆସପଣ୍ଡ ଭାଙ୍ଗିଯିବା ‌ଯୋଗୁ କଣ୍ଟାଟିକ୍ରା, ଶରଧାପାଲି ଗାଁ ଓ ଏହାର ଆଖପାଖ ଅଂଚଳର ୧୨୦ ଏକରରୁ ଅଧିକ ଚାଷ ଜମି ନଷ୍ଟ ହୋଇଯାଇଛି। ଏହା ସହିତ ପାଉଁଶ ଓ ବିଷାକ୍ତ ପାଣି ମହାନଦୀରେ ମିଶି ପରବର୍ତ୍ତୀ ସମୟରେ ସିଧାସଳଖ ହୀରାକୁଦ ଜଳଭଣ୍ଡାରରେ ମିଶିଛି। ଆଇଆଇଟି ମାଡ୍ରାସ ଦ୍ବାରା ଆସପଣ୍ଡର ଡିଜାଇନ ହୋଇଥିବା ବେଳେ ଓପିଜିସି ଡିଜାଇନର ଅନୁରୂପ କାର୍ଯ୍ୟ କରି ନଥିବା ତଥା ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଆସପଣ୍ଡ ଭୁଶୁଡ଼ି ଯାଇଥିବା ଶ୍ରୀ ପୂଜାରୀ ଅଭିଯୋଗ କରିଥିଲେ।

ମାଛକୁଣ୍ଡ ପାୱାର ଜେନେରେସନ ପ୍ରକଳ୍ପ ଉଠାଇଲେ ସପ୍ତଗିରି
ଲୋକସଭାର ଶୂନ୍ୟକାଳରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମାଛକୁଣ୍ଡ ପାୱାର ଜେନେରେସନ ପ୍ରକଳ୍ପର ଅନିୟମିତିତା ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ଉଲ୍ଲାକା କହିଥିଲେ ୫୦ ବର୍ଷ ପୂର୍ବେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କ ଦ୍ବାରା ଯୌଥ ଉଦ୍ୟୋଗ ଅନ୍ତର୍ଗତ ମାଛକୁଣ୍ଡ ପ୍ରକଳ୍ପରେ ୭୦ ପ୍ରତିଶତ ଶକ୍ତି ଆନ୍ଧ୍ର ପ୍ରଦେଶ ଓ ୩୦ ପ୍ରତିଶତ ଶକ୍ତି ବ୍ୟବହାର ନେଇ ବୁଝାମଣା ହୋଇଥିଲା। ବୁଝାମଣା ଅନ୍ତର୍ଗତ ୫୦ ବର୍ଷ ପୂର୍ତ୍ତି ହେବାପରେ ଉଭୟ ରାଜ୍ୟ ୫୦-୫୦ ପ୍ରତିଶତ ଶକ୍ତିର ଉପଯୋଗ କରିପାରିବେ। ଏହି ଅନୁପାତର କ୍ରିୟାନ୍ବୟନ ଆଜି ପର୍ଯ୍ୟନ୍ତ ହୋଇନାହିଁ ଏବଂ ଏହାର ପରିଚାଳନା ସଂପୂର୍ଣ୍ଣ ରୂପେ ଆନ୍ଧ୍ର ପ୍ରଦେଶ ପାଖରେ ରହିଛି ବୋଲି ଶ୍ରୀ ଉଲ୍ଲାକା କହିଥିଲେ। କୋରାପୁଟର ସାମଗ୍ରିକ ବିକାଶ ତଥା କର୍ମଚାରୀଙ୍କ ବୁହତ୍ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଉପଯୁକ୍ତ ପରିଚଳାନା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସପ୍ତଗିରି ଦାବି କରିଥିଲେ।

ସମ୍ବନ୍ଧିତ ଖବର