୬ ବର୍ଷ ପରେ ଖୋଲିଲା ଓଡ଼ିଶା ନିବାସ କ୍ୟାଣ୍ଟିନ

ନୂଆଦିଲ୍ଲୀ :ଦୀର୍ଘ ୬ ବର୍ଷ ତଳେ ଦିଲ୍ଲୀରେ ସର୍ବସାଧାରଣଙ୍କ ପାଇଁ ବନ୍ଦ କରିଦିଆଯାଇଥିବା ଓଡ଼ିଶା ନିବାସ କ୍ୟାଣ୍ଟିନକୁ ଆଜି ଖୋଲାଯାଇଛି। ଏହାକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଥିଲେ ପ୍ରମୁଖ ଆବାସିକ କମିଶନର ଶ୍ରୀ ରବିକାନ୍ତ। ଭୁବନେଶ୍ବରର ଯାତ୍ରୀ ଭୋଜନ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ନିବାସରେ କ୍ୟାଣ୍ଟିନ ଚଳାଇବାର ଠିକାପାଇଛି।

୨୦୧୪ ପୂର୍ବରୁ ଦିଲ୍ଲୀର ଓଡ଼ିଶା ନିବାସ କ୍ୟାଣ୍ଟିନରେ ଓଡ଼ିଆ ତଥା ଅଣଓଡିଆମାନେ ଓଡ଼ିଆ ଖାଦ୍ୟ ଖାଇବା ପାଇଁ ପ୍ରବଳ ଭିଡ ଜମାଉଥିଲେ। କ୍ୟାଣ୍ଟିନରେ ବାହାର ଲୋକମାନେ ବିଶୃଙ୍ଖଳା ସୃଷ୍ଟି କରିବାରୁ ୨୦୧୪ରୁ ବାହାର ଲୋକମାନଙ୍କର ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ବେଳେ କେବଳ ଓଡ଼ିଶା ନିବାସରେ ରହୁଥିବା ଅତିଥି ଓ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର କର୍ମୀମାନଙ୍କ ପାଇଁ କ୍ୟାଣ୍ଟିନର ସୁବିଧା ରହିଥିଲା। ବିଭିନ୍ନ ମହଲରେ କ୍ୟାଣ୍ଟିନ ଖୋଲାଯିବକୁ ଦାବି କରାଯାଇଥିଲା। ଯାତ୍ରୀ ଭୋଜନ ପ୍ରାଇଭେଟ୍ ଲିମିଟେଡ୍ ଭୋଜନାଳୟ ଟେଣ୍ଡର ହାସଲ କରିବା ପରେ ଆଜିଠାରୁ କ୍ୟାଣ୍ଟିନ୍‌ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି।

ଓଡ଼ିଶା ଭବନରେ ଉତ୍କଳ ଦିବସ
ନୂଆଦିଲ୍ଲୀ :ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଦିଲ୍ଲୀରେ କରୋନାର ମୁକାବିଲା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରହିଥିବା ତଥା କରୋନା ପ୍ରଟୋକଲ ଅନ୍ତର୍ଗତ ନିରାଡ଼ମ୍ବର ସହକାର‌େ ଓଡ଼ିଶା ଦିବସକୁ ପାଳନ କରାଯାଇଥିଲା। ଓଡ଼ିଶା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ବ ବୃଦ୍ଧି କରିଥିବା ବରପୁତ୍ରମାନଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସାମିଲ ହୋଇଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ଓଡ଼ିଶା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୁଖ ଆବାସିକ କମିଶନର ରବିକାନ୍ତଙ୍କ ସମେତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶା ଭବନ, ନିବାସ ଓ ଓଡ଼ିଶା ସଦନର ସମସ୍ତ କର୍ମଚାରୀ ଏବଂ ପ୍ରବାସୀ ଓଡ଼ିଆମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର