ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଗୁରୁବାର ଦିନ ଛଅଟି ରାଜ୍ୟକୁ ଏନ୍ଡିଆର୍ଏଫ୍ ପାଣ୍ଠିରୁ ୩ ହଜାର ୬୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୧ରେ ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଆଦି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିପୂରଣ ପାଇଁ କେନ୍ଦ୍ରୀୟ ସହାୟତା ଓ ଅତିରିକ୍ତ କେନ୍ଦ୍ରୀୟ ସହାୟତା ବାବଦରେ ଏହି ପାଣ୍ଠି ମଞ୍ଜୁର ହୋଇଛି। ବୈଠକରେ ଗୁଜରାଟକୁ ୧,୧୩୩.୩୫ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୫୮୬.୫୯ କୋଟି ଟଙ୍କା, ଆସାମକୁ ୫୧.୫୩ କୋଟି ଟଙ୍କା, କର୍ଣ୍ଣାଟକକୁ ୫୦୪.୦୬ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୬୦୦.୫୦ କୋଟି ଟଙ୍କା ଏବଂ ଉତ୍ତରାଖଣ୍ଡକୁ ୧୮୭.୧୮ କୋଟି ଟଙ୍କାର ମଂଜୁରି ପ୍ରଦାନ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୨୧ରେ ବାତ୍ୟା ‘ୟାସ୍’ ଓ ‘ଜୱାଦ’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶାର ପ୍ରଭାବିତ ଅଞ୍ଚଳ ଗସ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ବାତ୍ୟା ‘ୟାସ୍’ର କ୍ଷୟକ୍ଷତି ଆକଳନ ପାଇଁ ଜୁନ୍ ପ୍ରଥମ ସପ୍ତାହରେ ଓ ‘ଜୱାଦ’ର କ୍ଷୟକ୍ଷତି ଆକଳନ ପାଇଁ ଚଳିତ ମାସ ଦ୍ବିତୀୟ ସପ୍ତାହରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରିଥିଲେ। ହେଲେ ଓଡ଼ିଶାର ଏହି ଦୁଇଟି ବାତ୍ୟାର କ୍ଷୟକ୍ଷତି ବାବଦରେ ସହାୟତା ପାଇଁ କେନ୍ଦ୍ରୀୟ ଟିମ୍ର ସୁପାରିସ ଆଜିର ବୈଠକରେ ଆଲୋଚନା ହୋଇଥିଲା ନା ନାହିଁ ସେ ସଂପର୍କରେ ସୂଚନା ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/money.jpg)