ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସାଧାରଣ ଓ ପୁଲିସ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରିଛନ୍ତି। ଏଥିରେ ଦେଶର ବିଭିନ୍ନ ରାଜ୍ୟର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ସାମିଲ ଅଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଇସିଆଇଙ୍କ ଦ୍ବାରା ନିଯୁକ୍ତ ୧୩୯ ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କ ତାଲିକାରେ ତିନି ଜଣ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ରହିଛନ୍ତି। ସେମାନେ ହେଲେ ତ୍ରିଲୋଚନ ମାଝୀ, ଲକ୍ଷୀକାନ୍ତ ପ୍ୟାରେଲାଲ ପ୍ରଧାନ ଓ ମହମ୍ମଦ ସାଦିକ ଆଲାମ। ଶ୍ରୀ ମାଝି ଆଇରୋଲି ଓ ବେଲାପୁର, ଶ୍ରୀ ପ୍ରଧାନ ଆଉସା ଓ ନିଲଙ୍ଗା ଏବଂ ଶ୍ରୀ ଆଲାମ୍ଙ୍କୁ ସୋଲାପୁର ସିଟି ନର୍ଥ ଓ ସୋଲାପୁର ସିଟି ସେଣ୍ଟ୍ରାଲ ବିଧାନସଭା କ୍ଷେତ୍ର ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ମହାରାଷ୍ଟ୍ର ପାଇଁ ଆୟୋଗଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିବା ୪୧ଜଣିଆ ପୁଲିସ ପର୍ଯ୍ୟବେକ୍ଷକ ତାଲିକାରେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ବାତୁଲା ଗଙ୍ଗାଧର ରହିଛନ୍ତି। ଶ୍ରୀ ଗଙ୍ଗାଧରଙ୍କୁ ବାଦନେରା, ଅମରାବତୀ, ତିଓସା, ଦରିଆପୁର, ମେଲଘାଟ, ଆଚଲପୁର, ଧାମନଗାଁ ରେଲୱେ ଓ ମୋର୍ସି ବିଧାନସଭା କ୍ଷେତ୍ରର ପୁଲିସ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି।
ଇସିଆଇଙ୍କ ପକ୍ଷରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୮୧ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରାଯାଇଛି। ସେଥିରେ ୪ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ରହିଛନ୍ତି। ସେମାନେ ହେଲେ- କୁଲାଙ୍ଗ ବିଜୟ ଅମୃତ, ୟେଦୁଲା ବିଜୟ, ଚକ୍ରବର୍ତ୍ତୀ ସିଂହ ରାଠୋଡ଼ ଓ ଡି. ପ୍ରଶାନ୍ତ କୁମାର ରେଡ୍ଡି। ଶ୍ରୀ ଅମୃତଙ୍କୁ ଜୁଗସଲାଇ, ଶ୍ରୀ ବିଜୟଙ୍କୁ ଦୁମକା, ଶ୍ରୀ ରାଠୋଡ଼ଙ୍କୁ ଜାମୁଣ୍ଡି ଓ ଶ୍ରୀ ରେଡ୍ଡିଙ୍କୁ ଝରିଆ ବିଧାନସଭା କ୍ଷେତ୍ରର ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଝାଡ଼ଖଣ୍ଡ ପାଇଁ ନିଯୁକ୍ତ ୨୪ ଜଣିଆ ପୁଲିସ ପର୍ଯ୍ୟବେକ୍ଷକ ତାଲିକାରେ ଦୁଇଜଣ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ରହିଛନ୍ତି। ସେମାନେ ହେଲେ, ବି ଯୁଗଳ କିଶୋର ଓ ସଫିନ ଅହମ୍ମଦ କେ। ଶ୍ରୀ କିଶୋରଙ୍କୁ ପୁରିଆହାଟ, ଗୋଡ଼ା ଓ ମହାଗମା, ଶ୍ରୀ ଅହମ୍ମଦଙ୍କୁ ଗୋମିଆ, ବେରମୋ, ବୋକାରୋ ଓ ଚନ୍ଦନକିଆରି ବିଧାନସଭା କ୍ଷେତ୍ରର ପୁଲିସ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି। ଆସନ୍ତାମାସ ୨୦ରେ ମହାରାଷ୍ଟ୍ର ବିଧାନସଭାର ସମୁଦାୟ ୨୮୮ଟି ଆସନ ପାଇଁ ତଥା ଆସନ୍ତାମାସ ୧୩ ଓ ୨୦ରେ ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ପାଇଁ ମତଦାନ ହେବ।