ସଂଘର୍ଷ ହିଁ ଓଡ଼ିଆର ଚରିତ୍ର: ଜଷ୍ଟିସ୍‌ ଦୀପକ ମିଶ୍ର

ନୂଆଦିଲ୍ଲୀରେ ଓଡ଼ିଶା ପର୍ବ ଉଦ୍‌ଘାଟିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ଲନ୍‌ରେ ଆଜି ‘ଓଡ଼ିଶା ପର୍ବ’ର ଦ୍ୱିତୀୟ ସଂସ୍କରଣ ଆଜି ଠାରୁ ଆରମ୍ଭ ହୋଇଛି। ଓଡ଼ିଆ ସମାଜ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ତିନି ଦିନିଆ ଉତ୍ସବର ଥିମ୍‌ ରହିଛି ପାଇକ ବିଦ୍ରୋହ। ଆଜି ଉତ୍ସବକୁ ଉଦ୍‌ଘାଟନ କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଲେ, ସମଗ୍ର ଦେଶରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ। ସଂଘର୍ଷ କରିବା ହିଁ ଓଡ଼ିଆଙ୍କ ଚରିତ୍ର। ଓଡ଼ିଆମାନଙ୍କ ଏହି ବୀରତ୍ୱ ଯୋଗୁଁ ଗୋଟିଏ ସମୟରେ ଓଡ଼ିଶାର ସୀମା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଲମ୍ବିଥିଲା।

ଜଷ୍ଟିସ୍‌ ମିଶ୍ର ଆହୁରି କହିଥିଲେ, ମୁଁ ପାଇକ ମାଟିର ପୁଅ। ମୋ ଘର ବାଣପୁର। ଏହି ମାଟିରୁ ହିଁ ସେ ଓଡ଼ିଆ ଲୋକର ବୀରତ୍ୱର ପରିଚୟ ପାଇଛନ୍ତି।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଆ ଜାତିର ଶୌର୍ଯ୍ୟ, ବୀରତ୍ୱ, କଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ ଓଡ଼ିଆ ପର୍ବରେ ନିଖୁଣ ଭାବେ ପ୍ରତିଫଳିତ ହୋଇଛି। ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଉଥିଲା ବେଳେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢ଼ିଥିଲା। ପାଇକ ବିଦ୍ରୋହ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କ ଆତ୍ମ ସ୍ୱାଭିମାନ ଓ ଗୌରବକୁ ବହୁଗୁଣିତ କରୁଛି।

ଓଡ଼ିଆ ସମାଜ ସଂସ୍ଥାର ସଭାପତି ସଦ୍ଧାର୍ଥ ପ୍ରଧାନ ଏହି ପର୍ବ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲା ବେଳେ ସନ୍ଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର