ମୋଦୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଖାଇଲେ ଡେନମାର୍କ ପ୍ରଧାନମନ୍ତ୍ରୀ

କୋପନହାଗେନ : ୟୁରୋପୀୟ ଦେଶ ଡେନମାର୍କରେ ଓଡ଼ିଶାର ପଟ୍ଟଚିତ୍ରର ଚର୍ଚ୍ଚା । ଡେନମାର୍କ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଖାଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମାଟେ ଫେଡେରିକସେନ । ପଟ୍ଟଚିତ୍ରଟି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲଗାଯାଇଛି । ଭାରତ ଗସ୍ତ ସମୟରେ ଏହି ପଟ୍ଟଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ବୋଲି ଫେଡେରିକସେନ ମୋଦୀଙ୍କୁ କହିଛନ୍ତି ।

ଏହା ପରେ ଫେଡେରିକସେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ମୋଦୀ କହିଛନ୍ତି ଯେ ରୁଷ ଓ ୟୁକ୍ରେନ ତୁରନ୍ତ ଯୁଦ୍ଧ ବିରତି କରିବା ସହ ଆଲୋଚନା ଓ କୂଟନୈତିକ ଉପାୟରେ ବିବାଦର ସମାଧାନ କରନ୍ତୁ । ଅନ୍ୟପକ୍ଷରେ ଏକ ମୁକ୍ତ ଓ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ  ସପକ୍ଷରେ ଭାରତ ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଫେଡେରିକସେନ କହିଛନ୍ତି ଯେ ମୋଦୀଙ୍କ ଆଲୋଚନା ବେଳେ ୟୁକ୍ରେନ ଯୁଦ୍ଧ ବେଳେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଓ ହତ୍ୟା କଥା ଉଠିଥିଲା । ବିଶେଷକରି ବୁଚାଠାରେ ହୋଇଥିବା ଭୟଙ୍କର ଗଣହତ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ।

 

 

ଏ ସମ୍ପର୍କରେ ଏକ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତ ସମୟରେ ଆଜି ଡେନମାର୍କ ଗସ୍ତ କରିଛନ୍ତି । ଡ଼େନମାର୍କର ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନଙ୍କୁ ସାକ୍ଷାତ୍ କରିବା ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡ଼ିଶାର ପଟ୍ଟଚିତ୍ରକୁ ଦେଖାଇଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଓଡ଼ିଶାର ଏହି ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଓଡ଼ିଶା ଏବଂ ଓଡ଼ିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ । ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ମୁଁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି ।

 

 

ସମ୍ବନ୍ଧିତ ଖବର