ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଆଜିଠୁ ଆରମ୍ଭ ହୋଇଥିବା ୪୨ତମ ଭାରତ ବିଶ୍ବ ବାଣିଜ୍ୟ ମେଳା (ଆଇଆଇଟିଏଫ୍-୨୦୨୩)ରେ ଓଡ଼ିଶା ପାଭିଲିୟନ ଉଦ୍ଘାଟିତ ହୋଇଛି। ରାଜ୍ୟର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ସଂଧ୍ୟାରେ ଆନୁଷ୍ଠାନିକ ଭାବେ ପ୍ରଗତି ମଇଦାନର ହଲ ନମ୍ବର ୨ରେ ପାଭିଲିୟନ୍କୁ ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ବସୁଧୈବ କୁଟୁମ୍ବକମ୍-ୟୁନାଇଟେଡ ବାଏ ଟ୍ରେଡ। ପାଭିଲିୟନରେ ଗୋଟିଏ ବୋଇତ ମାଧ୍ୟମରେ ଉକ୍ତ ବିଷୟକୁ ଦର୍ଶାଯାଇଛି। ବୋଇତଟି ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ପ୍ରତୀକ ରୂପେ ପ୍ରଦର୍ଶିତ ହୋଇଛି। ବୋଇତରେ ଓଡ଼ିଶାର କଳା, ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ସଂସ୍କୃତିର ସାତଟି ଲାଇଭ ଷ୍ଟ୍ରିମିଂ କରାଯାଉଛି।
ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ସକ୍ରିୟ ଯୋଗଦାନ ତଥା ମହିଳା ସଶକ୍ତୀକରଣର ଏକାଧିକ ଉପଲବ୍ଧିକୁ ପାଭିଲିୟନରେ ଆକର୍ଷଣୀୟଭାବେ ଉପସ୍ଥାପନ କରାଯାଇଛି। ଓଡ଼ିଶା ପାଭିଲିୟନରେ ମୋଟ ୨୫ଟି ଷ୍ଟଲ ରହିଛି। ସେହିଭଳି ଓଡ଼ିଶାର କୁଟୀର ଶିଳ୍ପର ବିଭିନ୍ନ ଉପଲବ୍ଧିକୁ ପାଭିଲିୟନରେ ପ୍ରଦର୍ଶନ କରାଯାଇଛି। ମିଲେଟ, ଅଦା, ହଳଦୀ, କୋରାପୁଟ କଫି ଆଦିର ପ୍ରର୍ଦଶନ ମଧ୍ୟ ମେଳାରେ କରାଯାଇଛି। ଏଥି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି, ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଅଳଙ୍କାର ମଧ୍ୟ ଓଡ଼ିଶା ପାଭିଲିୟନରେ ସ୍ଥାନ ପାଇଛି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ମଧ୍ୟ ଏଠାରେ ଉପସ୍ଥାପନ କରାଯାଇଛି।
ଓଡ଼ିଶା ପାଭିଲିୟନ ଦର୍ଶକମାନଙ୍କୁ ନିଶ୍ଚିତ ରୂପେ ଆକର୍ଷିତ କରିବ। ଓଡ଼ିଶାର କଳା,ସଂସ୍କୃତି ଓ ଉପଲବ୍ଧିକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ଦର୍ଶକମାନେ ଅବଗତ ହେବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଥିଲେ। ଆଇଆଇଟିଏଫ୍-୨୦୨୩ ଅବସରରେ ରାଜ୍ୟ ଦିବସ ଚଳିତ ମାସ ୨୦ ତାରିଖରେ ପାଳନ କରାଯିବ। ରାଜ୍ୟ ଦିବସରେ ଓଡ଼ିଶାର କଳା ଓ ସଂସ୍କୃତି ସଂପର୍କିତ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଆଜିର ଉଦଘାଟନୀ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂହ ଓ ଆବାସିକ କମିସନର ରବି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଆଇଆଇଟିଏଫ୍ର ୪୨ତମ ସଂସ୍କରଣ ୧.୨୦ ଲକ୍ଷ ବର୍ଗ ମିଟର ଅଂଚଳରେ ଆୟୋଜନ କରାଯାଇଛି। ମେଳାରେ ୧୩ ଟି ଦେଶ ସମେତ ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭାଗ ନେଇଛନ୍ତି। ଏଥି ସହିତ ମେଳାରେ ଦେଶ ଓ ବିଦେଶର ୩୫୦୦ ଷ୍ଟଲ ସ୍ଥାପନ ହୋଇଛି। ଚଳିତ ବର୍ଷ ମେଳାରେ ସହଯୋଗୀ ରାଜ୍ୟ ରୂପେ ବିହାର ଓ କେରଳ ଭାଗ ନେଇଥିବା ବେଳେ ଦିଲ୍ଲୀ,ଜମ୍ମୁ-କାଶ୍ମୀର ଓ ଝାଡ଼ଖଣ୍ଡ ଫୋକସ ରାଜ୍ୟ ରୂପେ ଭାଗ ନେଇଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ରହିଥିବାରୁ ମେଳା ପରିସରରେ ଆଣ୍ଟି ସ୍ମଗ ଗନ୍ର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆଇଆଇଟିଏଫ୍କୁ ସର୍ବସାଧାରଣଙ୍କ ପାଇଁ ୧୯ ତାରିଖରୁ ଖୋଲାଯିବ।