ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ ଗୌରବାନ୍ୱିତ ଏବଂ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ: ଧର୍ମେନ୍ଦ୍ର

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏକାଠି ହେଲେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀ

ନୂଅଦିଲ୍ଲୀ/ଭୁବନେଶ୍ବର: ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି । ଏହି ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି । ସେଠାରେ ପାରମ୍ପରିକ ନୃତ୍ୟ ଗୀତ ସହ ଏକ ଉତ୍ସବର ବାତାବରଣ ତିଆରି ହୋଇଛି । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଉତ୍ସବରେ ସାମିଲ ହୋଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବିକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି । ଏକ ସାଧାରଣ ପରିବାରରୁ ଆସି ଏକ ସାଧାରଣ କାର୍ଯ୍ୟକର୍ତ୍ତା ଦେଶର ରାଷ୍ଟ୍ରପତି ହେବା ଆମ ଗଣତନ୍ତ୍ରର ସବୁଠୁ ବଡ଼ ଉପଲବ୍ଧି ।

ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ ଗୌରବାନ୍ୱିତ ଏବଂ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ତାଙ୍କ କାର୍ଯ୍ୟରୁ ଜନଜାତି ଓ ମହିଳାଙ୍କ ପ୍ରତି ଥିବା ତାଙ୍କର ସମ୍ବେଦନଶୀଳତା, କର୍ତ୍ତବ୍ୟବୋଧର ପ୍ରମାଣ ମିଳେ । ଦେଶରେ ପ୍ରାୟ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମହିଳା ଥିବା ବେଳେ ଏହି ପୃଷ୍ଠଭୂମିର ନେତୃତ୍ୱଙ୍କୁ ରାଷ୍ଟ୍ରପତି କରି ଦେଶ ନୂଆ ଇତିହାସ ସୃଷ୍ଟି କରିଛି । ଜନଜାତି ସମାଜର ଭଗବାନ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ମାଧୋ ସିଂହ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ । ଆଜି ସେହି ସମାଜରୁ ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି, ଯାହା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର