ନୂଆଦିଲ୍ଲୀ: ଦିଲ୍ଲୀର ଦ୍ବାରିକା ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର ଯଶଭୂମିରେ ଆୟୋଜିତ ଦୁଇ ଦିନିଆ ନବମ ପାର୍ଲାମେଣ୍ଟ-୨୦ ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ପି-୨୦ ସମ୍ମିଳନୀରେ ଓଡ଼ିଶାର ଛାପ ଦେଖିବାକୁ ମିଳିଛି। ଅତିଥିମାନଙ୍କ ସ୍ବାଗତ ଦ୍ବାରରେ ବିଭିନ୍ନ ଦେଶର ପତାକା ସହିତ ଏକ ଚକ୍ର ଶୋଭା ପାଇଛି। ସମ୍ମିଳନୀ ସ୍ଥଳର ବିଭିନ୍ନ ସ୍ଥାନରେ ଶଂଖକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି ଯାହା ସବୁଠାରୁ ଆକର୍ଷଣୀୟ ହେବା ସହିତ ସେଲ୍ଫି ପଏଣ୍ଟ ପାଲଟିଯାଇଛି।

Advertisment

ଟ୍ରାଇବ୍ସ ଇଣ୍ଡିଆ ପକ୍ଷରୁ ସମ୍ମିଳନୀରେ ସ୍ଥାପନ କରାଯାଇଥିବା ଷ୍ଟଲ୍‌ରେ ଓଡ଼ିଶାର ଏକାଧିକ ଉତ୍ପାଦକୁ ପ୍ରଦର୍ଶନ କରାଯାଇଛି। ଏଥିରେ ଆଦିବାସୀମାନଙ୍କ କଳା, ଚିତ୍ରକଳା, ହସ୍ତତନ୍ତ୍ର ଓ ଜୈବିକ ପ୍ରାକୃତିକ ଉତ୍ପାଦ ସାମିଲ ଅଛି। ଏଠାରେ ଓଡ଼ିଶାର ଆଦିବାସୀଙ୍କର ସଉରା ଚିତ୍ରକଳାକୁ ପ୍ରମୁଖତାର ସହ ପ୍ରଦର୍ଶନ କରାଯାଇଛି। ଏଥି ସହିତ ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ସାଲ୍‌, ଗଣ୍ଡ ଆଦିବାସୀଙ୍କ ଡୋକ୍ରା ଆଭୂଷଣ ସ୍ଥାନ ପାଇଛି। ବିଭିନ୍ନ ଷ୍ଟଲରେ ସମ୍ବଲପୁରୀ ଶାଢି ଏବଂ ଖଦି ପୋଷାକ ରଖାଯାଇଛି। ଓଡ଼ିଶାର ସଉରା ଚିତ୍ରକଳାକୁ ବିଦେଶୀ ଅତିଥିମାନେ ବିଶେଷଭାବେ ପସନ୍ଦ କରୁଥିବା ଟ୍ରାଇବ୍ସ ଇଣ୍ଡିଆ କର୍ତ୍ତୃପକ୍ଷ ସମ୍ବାଦକୁ କହିଥିଲେ।