ପ୍ରମାଣ ଦେଲା ଓଡ଼ିଶା: କୋଟିଆ ଆମର

ନୂଆଦିଲ୍ଲୀ : କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି। କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବ୍‌ଦାଲ ଅଖ୍‌ତରଙ୍କ ଦ୍ବାରା ୫୦୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି।

ସତ୍ୟପାଠରେ ଦର୍ଶାଯାଇଛି ଯେ କୋଟିଆରେ ଆନ୍ଧ୍ର ପ୍ରଦେଶ ଜାଣିଶୁଣି ସୁପ୍ରିମ କୋର୍ଟଙ୍କ ସ୍ଥିତାବସ୍ଥା ଆଦେଶର ଉଲଂଘନ କରୁଛି। କୋଟିଆକୁ ନେଇ ଆନ୍ଧ୍ର ପ୍ରଦେଶ ତାର ସତ୍ୟପାଠରେ ଯେଉଁସବୁ ପ୍ରସଙ୍ଗ ଉଠାଇଛି ତାହାକୁ ଓଡ଼ିଶା ପକ୍ଷରୁ ଖଣ୍ଡନ କରାଯାଇଛି। ଓଡିଶାର ପକ୍ଷରୁ କୁହାଯାଇଛି ଯେ ଆନ୍ଧ୍ର ପ୍ରଦେଶ କୋଟିଆରେ ବେଆଇନ ଭାବେ ପଞ୍ଚାୟତ ନିର୍ବାଚନ ପାଇଁ ଉଦ୍ୟମ କରିଆସୁଛି। ପ୍ରତ୍ୟେକ ଥର ଉଚ୍ଚସ୍ତରୀୟ ହସ୍ତକ୍ଷେପ ପରେ ନିର୍ବାଚନକୁ ବନ୍ଦ କରାଯାଉଛି। ପ୍ରମାଣ ସ୍ବରୁପ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଅକ୍ଟୋବର ୧୪, ୧୯୬୬ର ଆନ୍ଧ୍ରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲେଖା ଯାଇଥିବାର ଏକ ପତ୍ରକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଓଡିଶା ଦ୍ବାରା ଦାଖଲ କରାଯାଇଥିବା ଜବାବୀ ସତ୍ୟପାଠରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେତେବେଳର ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ଦେଇଥିବା ପତ୍ର କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ପତ୍ର ଲେଖି ବିଜୁ ପଟ୍ଟନାୟକ କହିଥିଲେ ଯେ କୋଟିଆ ଗାଁଆରେ ଆନ୍ଧ୍ରକୁ ସବୁ ପ୍ରକାର ବିକାଶମୂଳକ କାର୍ଯ୍ୟରୁ ନିବୃତ୍ତ କରାଯାଉ।

କୋଟିଆରେ ଓଡିଶାର ପ୍ରଶାସନିକ ନିୟନ୍ତ୍ରଣ ରହିଛି ବୋଲି ସତ୍ୟପାଠରେ କୁହାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଫେବୃୟାରୀ ୨୮, ୨୦୦୯ରେ ରାଜ୍ୟ ସରକାରଙ୍କର ଗୃହ ବିଭାଗ ଦ୍ବାରା କୋଟିଆ ପୋଲିସ ଷ୍ଟେସନ ସ୍ଥାପନ କରାଯାଇଛି ଏବଂ ଉକ୍ତ ଅଞ୍ଚଳ ଏହି ପୋଲିସ ଷ୍ଟେସନ ଅନ୍ତର୍ଗତ ରହିଛି। କୋରାପୁଟ ଜିଲ୍ଲାପାଳଙ୍କ ପ୍ରଶାସନିକ ଜୁରିଡିକ୍‌ସନ୍‌ରେ ସବ୍-ରେଜିଷ୍ଟ୍ରାରଙ୍କ ଅଫିସରେ ବିବାଦୀୟ ଗାଁଆ ଗୁଡିକର ନଥିପତ୍ର ପଞ୍ଜୀକରଣ ସଂପର୍କରେ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସତ୍ୟପାଠରେ ୨୦୧୧ର ଜନଗଣନାର ତଥ୍ୟ ଅନୁସାରେ ବିବାଦୀୟ ଗାଁଆ ପଟାଙ୍ଗୀ ତାଲୁକରେ ଥିବା ଦର୍ଶାଯାଇଛି। କୋଟିଆରେ ରାଜ୍ୟ ସରକାର ୧୫୦ କୋଟି ବିନିଯୋଗରେ ବିକାଶ ମୂଳକ କାର୍ଯ୍ୟକୁ ତ୍ବରାନିତ କରାଯାଉଛି ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ଓଡିଶାର ଗାଁଆକୁ ଆନ୍ଧ୍ର ପ୍ରଦେଶ ପ୍ରଶାସନ କ୍ରମାଗତ ଭାବେ ଅଧିଗ୍ରହଣ କରିବା ପାଇଁ ପ୍ରୟାସ କରୁଛି ବୋଲି ସତ୍ୟପାଠରେ କୁହାଯାଇଛି।

ସମ୍ବନ୍ଧିତ ଖବର