ନୂଆଦିଲ୍ଲୀ : ‌କେନ୍ଦ୍ର ସରକାର ଆବଣ୍ଟିତ ଟିକସ ରାଶିରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ ୪୫ ହଜାର କୋଟି ଟଙ୍କା ଜାରି କରିଛନ୍ତି। ଫଳରେ ଓଡ଼ିଶାକୁ ଅତିରିକ୍ତ ୨୦୮୩ କୋଟି ଟଙ୍କା ମିଳିଛି। ଆଲୋଚ୍ୟ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ୨୫,୪୬୦ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଥିଲା। ମାତ୍ର ଅତିରିକ୍ତ ୨୦୮୩ କୋଟି ଟଙ୍କା ମିଳିବା ପରେ ସାରା ବର୍ଷ ପାଇଁ ରାଜ୍ୟକୁ ୨୭,୫୪୩ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

Advertisment

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ୫,୪୯,୯୫୯ କୋଟି ଟଙ୍କାର ଆବଣ୍ଟିତ ପାଣ୍ଠି ଜାରି କରାଯିବ ବୋଲି ସଂଶୋଧିତ ଆକଳନ କରାଯାଇଥିଲା। ମାତ୍ର ଚତୁର୍ଥ ତ୍ରୟମାସ ଅର୍ଥାତ ୨୦୨୧ର ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଟିକସ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଘଟିବାରୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ରାଜ୍ୟଗୁଡ଼ିକୁ ଅତିରିକ୍ତ ୪୫ ହଜାର କୋଟି ଟଙ୍କା ଜାରି କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇଟି କିସ୍ତିରେ ଏହି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୬ରେ ପ୍ରଥମ କିସ୍ତିରେ ୧୪,୫୦୦ କୋଟି ଟଙ୍କା ଓ ‌ମାର୍ଚ୍ଚ ୩୧ରେ ୩୦,୫୦୦ କୋଟି ଟଙ୍କା ଜାରି କରାଯାଇଥିଲା।