ନୂଆଦିଲ୍ଲୀ : ଦେଶର ୨୧ଟି ରାଜ୍ୟରୁ ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ଓଡ଼ିଶାରେ ସର୍ବାଧିକ ୩ ହଜାର ୫୪୮ କୋଟି ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ କେନ୍ଦ୍ର ଖଣି ମନ୍ତ୍ରାଳୟକୁ ଅବଗତ କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ମୁଖ୍ୟ ଖଣିଜ ଓ ସାଧାରଣ ଖଣିଜ ଦ୍ରବ୍ୟ ପାଇଁ ୨୦୧୫ ମସିହା ଅଗଷ୍ଟ ୧୮ ତାରିଖରେ ଖଣିଜ ପାଣ୍ଠିର ଗଠନ କରାଯାଇଥିଲା।
ରାଜ୍ୟ ଦ୍ୱାରା କେନ୍ଦ୍ରକୁ ଦିଆଯାଇଥିବା ରିପୋର୍ଟ ମୁତାବକ, କୋଇଲା ଓ ଲିଗ୍ନାଇଟ ବାବଦରେ ଜିଲ୍ଲା ଖଣିଜ ପାଣ୍ଠିକୁ ୧ହଜାର ୨୯୫କୋଟି ଟଙ୍କା ମିଳିଥିଲା ବେଳେ ଅନ୍ୟ ଖଣିଜ ବାବଦକୁ ୨୬ ଲକ୍ଷ ଟଙ୍କା ଆଦାୟ ହୋଇଥିଲା। ମୁଖ୍ୟ ଖଣିଜ ବାବଦରେ ୨ହଜାର ୨୨୭କୋଟି ଟଙ୍କା ଆଦାୟ ହୋଇଥିଲା। ଗତବର୍ଷ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରୁ ସର୍ବାଧିକ ୩ହଜାର ୫୪୮କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ବାବଦକୁ ଆଦାୟ ହୋଇଥିବା ତଥ୍ୟ ଗତ ନଭେମ୍ବର ୩ ତାରିଖରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିଲେ। ବୋଲି ଖଣି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଏହି ପାଣ୍ଠିରୁ ଆଦାୟ ଅର୍ଥକୁ ରାଜ୍ୟ ସରକାର ଖଣି ଅଞ୍ଚଳର ଶକ୍ତି, ଶିକ୍ଷା, ଜଳସେଚନ,ଜନ ସୁବିଧା,ଉର୍ଜା , ମହିଳା ଓ ଶିଶୁ କଲ୍ୟାଣ, ଦକ୍ଷତା ବିକାଶ, ଭିତ୍ତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ, ପରିବେଶ ସଂରକ୍ଷଣ ତଥା ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ପାଇଁ ବିନିଯୋଗ କରିବେ। ଏତଦ୍ବ୍ୟତୀତ ସ୍ୱାସ୍ଥ୍ୟସେବା, ପରିମଳ, ଗୃହ ନିର୍ମାଣ, ବୃଦ୍ଧ ଓ ବିକଳାଙ୍ଗ କଲ୍ୟାଣ ତଥା କ୍ରୀଡାର ବିକାଶ ପାଇଁ ଏହି ପାଣ୍ଠିକୁ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ପାଣ୍ଠିରୁ ୧ହଜାର ୮୬୨କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୫୭କୋଟି ଟଙ୍କା ବିନିଯୋଗ କରାଯାଇଥିବା କେନ୍ଦ୍ର କୋଇଲା ମନ୍ତ୍ରାଳୟକୁ ରାଜ୍ୟ ସରକାର ଅବଗତ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/money.jpg)