ଭୁବନେଶ୍ବର : ମହାନଦୀ ଓ ବଂଶଧାରା ଜଳକୁ ନେଇ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି। ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ମହାନଦୀ ଜଳ ନେଇ ପଡୋଶୀ ଛତିଶଗଡ଼ ସହିତ ଓଡିଶାର ଯେଉଁ ବିବାଦ ରହିଛି ତାହା ସମ୍ପୃକ୍ତ ଟ୍ରିବ୍ୟୁନାଲର ବିଚାରାଧୀନ। ତେବେ କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦର ସମାଧାନ ପାଇଁ ୨୦୧୦ରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଟ୍ରିବ୍ୟୁନାଲ ଇତି ମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିସାରିଛନ୍ତି। ୨୦୨୨ରେ ବଂଶଧାରା ଟ୍ରିବ୍ୟୁନାଲକୁ କେନ୍ଦ୍ର ସରକାର ଭାଙ୍ଗି ଦେଇଛନ୍ତି।

ସେହିଭଳି ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ରେ ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଏହି ଟ୍ରିବ୍ୟୁନାଲ ଉଭୟ ଓଡିଶା ଓ ଛତିଶଗଡର ପକ୍ଷଙ୍କର ୨୯ ଥର ଶୁଣାଣି କରିବା ପରେ ୪୬ଟି ଏ ସଂକ୍ରାନ୍ତ ପ୍ରସଙ୍ଗର ନ୍ୟାୟିକ ନିର୍ଣ୍ଣୟ ଚୂଡାନ୍ତ କରିଛନ୍ତି। ସେହିଭଳି ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡିଶାର ମାଲକାନଗିରି ଜିଲ୍ଲାରେ ଯେଉଁ ବୁଡି ଅଞ୍ଚଳ ସୃଷ୍ଟି ହେବ ତାହାକୁ ରୋକିବାକୁ ସିଲେରୁ ନଦୀର ଉଭୟ ପାର୍ଶ୍ୱରେ ସୁରକ୍ଷା ବନ୍ଧ ନିର୍ମାଣ କରିବା ସହିତ ଆବଶ୍ୟକ ସ୍ଲୁଇସ୍ ବ୍ୟବସ୍ଥା କରିବାକୁ ଉଭୟ ଓଡିଶା ଓ ଛତିଶଗଡ଼ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହା ସମ୍ଭବ ନ ହେଲେ ଓଡିଶାର ୧୦୦୨ ପରିବାର କ୍ଷତିଗ୍ରସ୍ତ ହେବେ। ତେଣୁ ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ଜନ ଶୁଣାଣି କରି ପ୍ରଭାବିତ ଇଲାକାରେ ମତାମତ ନେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ତେବେ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ଯେ ପୋଲାଭରମ୍ ମାମଲା ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବାରୁ ସମ୍ଭାବିତ ବୁଡି ଅଞ୍ଚଳରେ ଜନଶୁଣାଣି କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ତାଙ୍କ ଉତ୍ତରରେ କହିଥିଲେ।