ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ରାଜ୍ୟସଭା ନେତା ସସ୍ମିତ ପାତ୍ର ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗକୁ ଦୃଢ଼ଭାବେ ଉଠାଇଛନ୍ତି। ଡ. ପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଗତ ୨୦ବର୍ଷ ହେଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ବୈଠକରେ ବିହାର ଓ ଆନ୍ଧ୍ରପ୍ରଦେଶ ମଧ୍ୟ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିଲେ। ୧୦ ବର୍ଷ ହେଲା କୋଇଲା ରୟାଲ୍ଟି ସଂଶୋଧନ ହୋଇନଥିବା, ୨୦ ଲକ୍ଷରୁ ଅଧିକ ଗ୍ରାମୀଣ ଆବାସ ଓଡ଼ିଶାକୁ ଆବଣ୍ଟନ କରାଯାଇନଥିବା, ରାଜ୍ୟର ୧୬୨ଟି ଆଦିବାସୀ ସଂପ୍ରଦାୟକୁ ଜନଜାତି ତାଲିକାରେ ସାମିଲ କରାନଯିବା, ଓଡ଼ିଶାକୁ ଆର୍ଥିକ ଅନୁଦାନ କଟାଯାଉଥିବା, ରାଜ୍ୟପାଳଙ୍କ ପୁଅଙ୍କ ଦ୍ବାରା ଏଏସ୍ଓଙ୍କୁ ମାଡମରାଯିବା ପ୍ରସଙ୍ଗ ବିଜେଡି ବୈଠକରେ ଉପସ୍ଥାପନ କରିବା ସହ ଏହି ସବୁ ପ୍ରସଙ୍ଗ ସଦନରେ ଉଠାଇବ।
ଅନ୍ୟପକ୍ଷେ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ବୈଠକରେ ବିଜେଡିର ରାଜ୍ୟସଭା ନେତା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ୨୦୧୪ ବିଧାନସଭା ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ବିଜେପି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ସ୍ମରଣ କରାଇଛନ୍ତି। କିଭଳି ରାଜନୀତି ପାଣିପାଗ ବଦଳୁଛି ବୋଲି ସେ କଟାକ୍ଷ କରିଛନ୍ତି। ସେହିଭଳି ଓଡ଼ିଶାର ବିଜେପି ସାଂସଦମାନେ ରାଜ୍ୟ ସ୍ବାର୍ଥ ସଂକ୍ରାନ୍ତ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅଧିକରୁ ଅଧିକ ଆବାସ, ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର ଦେବା ଆଦି ପ୍ରସଙ୍ଗକୁ ସଂସଦରେ ଆଲୋଚନା ଅବସରରେ ବିଜେପି ସାଂସଦମାନେ ଉପସ୍ଥାପନ କରିପାରନ୍ତି ବୋଲି ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି। ଅଧିବେଶନରେ କଂଗ୍ରେସ ଜାତୀୟ ପ୍ରସଙ୍ଗ ସହିତ ଓଡ଼ିଶାର ପ୍ରମୁଖ ପ୍ରସଙ୍ଗଗୁଡିକୁ ସଦନରେ ଉଠାଇବ ବୋଲି ସାଂସଦ ସପ୍ତଗିରି ଶଙ୍କର ଉଲାକା କହିଛନ୍ତି।