‘ଓଡ଼ିଶା ସୋସାଇଟି ଅଫ୍ ସିଙ୍ଗାପୁର’ର ନୃତ୍ୟ ମହୋତ୍ସବ: ବିଭୋର୍‌ କଲା ଓଡ଼ିଶୀ, ମାଲେ ଓ ଚାଇନିଜ୍ ନୃତ୍ୟର ଯୁଗଳବନ୍ଦୀ

‌ବେଙ୍ଗାଲୁରୁ : ପ୍ରବାସୀ ଓଡ଼ିଆ ସଂଗଠନ ‘ଓଡ଼ିଶା ସୋସାଇଟି ଅଫ୍ ସିଙ୍ଗାପୁର’ ତରଫରୁ ସିଙ୍ଗାପୁରଠାରେ ଏକ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶୀ, ସିଙ୍ଗାପୁର, ଚାଇନିଜ୍ ତଥା ମାଲେ ନୃତ୍ୟର ଏକ ଯୁଗଳବନ୍ଦୀ ଦର୍ଶକଙ୍କୁ ନିଆରା ଅନୁଭୂତି ଦେଇଥିଲା। ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ନୃତ୍ୟ ସମାରୋହ ସିଙ୍ଗାପୁରର ସବୁଠୁ ବଡ଼ ଐତିହାସିକ ଅଡିଟୋରିୟମ୍‌ ଭିକ୍ଟୋରିଆ ମେମୋରିଆଲଠାରେ ଅନୁଷ୍ଠିତ ହୋଇଥିଲା। ପାଖାପାଖି ୬ଶହରୁ ଊର୍ଦ୍ଧ୍ବ ଦର୍ଶକ ଏଥିରେ ଯୋଗ ଦେଇଥିଲେ। ସିଙ୍ଗାପୁରସ୍ଥିତ ଓଡ଼ିଶୀ ନୃତ୍ୟ ଏକାଡେମି ତରଫରୁ ଗୁରୁ ସସ୍ମିତା ପାଲଙ୍କ ଛାତ୍ରଛାତ୍ରୀମାନେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ସାଥୀ କଳାକାରମାନଙ୍କ ଦ୍ବାରା ପରିବେଷିତ ଦଶାବତାର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

କାର୍ଯ୍ୟକ୍ରମରେ ସିଙ୍ଗାପୁରସ୍ଥିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ପି. କୁମାରନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସିଙ୍ଗାପୁର ଓଡ଼ିଆ ସଂଗଠନ ତରଫରୁ ଦିଲ୍ଲୀ, ସିଙ୍ଗାପୁର, ଓ ମାଲେସିଆଠାରେ ଥିବା କମ୍ପାନିର ଅଧକ୍ଷ ଅମିତାଂଶୁ ଶତପଥୀ, ସିଙ୍ଗାପୁରର ପ୍ରତିଷ୍ଠିତ ଓଡ଼ିଆ ଉଦ୍ୟୋଗପତି ଜଗଦୀଶ ପ୍ରସାଦ ଜୟସ୍ବାଲ, ହାଇଦ୍ରାବାଦର ଲିପିଡିମା ବିଶେଷଜ୍ଞ ଓଡ଼ିଆ ତେଲୁଗୁ ଡାକ୍ତର ଶ୍ରୀନାଗେଶ୍, ଟୋକିଓରେ ପ୍ରତିଷ୍ଠିତ ଉଦ୍ୟୋଗପତି ଦେବେନ୍ଦ୍ର ମହନ୍ତ ପ୍ରମଖଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସେହିପରି ସାମ୍ବାଦିକ ରଂଜନ ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସିଙ୍ଗାପୁର ଓଡ଼ିଆ ସଂଗଠନର ଅଧ୍ୟକ୍ଷ ଆଲୋକ ପଣ୍ଡା, ମୁଖ୍ୟ ପରିଚାଳକ ଶରତ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଲଗ୍ନଜିତ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିବା ବେଳେ ରୂପକ, ସୁବ୍ରତ, ଦିନେଶ, ନିରଞ୍ଜନ, ହେମନ୍ତ ତଥା ସଂଗଠନର ସମସ୍ତ କର୍ମକର୍ତ୍ତା ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର