ନୂଆଦିଲ୍ଲୀ: ଅନେକ ସମୟରେ ଅଭିଯୋଗ ହେଉଛି ଯେ ଆମ ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ କ୍ଷମତା ତୁଳନାରେ ଅଧିକ ବନ୍ଦୀ ରହିଛନ୍ତି। ତେବେ, ଓଡ଼ିଶାରେ ସ୍ବତନ୍ତ୍ର ଜେଲ୍‌ର ଅବସ୍ଥା ଟିକେ ଭିନ୍ନ। ଏଥିରେ ରହିଥିବା କ୍ଷମତା ତୁଳନାରେ କମ୍‌ କଏଦୀ ରହୁଛନ୍ତି। ସଦ୍ୟ ପ୍ରକାଶିତ ଏନ୍‌ସିଆରବି ଜେଲ୍ ପରିସଂଖ୍ୟାନ ରିପୋର୍ଟ-୨୦୧୮ରୁ ହିଁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଓଡ଼ିଶାର ସ୍ବତନ୍ତ୍ର ଜେଲ୍‌ମାନଙ୍କରେ କଏଦୀମାନଙ୍କର ରହିବାର କ୍ଷମତା ୧୫୫୧ ଥିବାବେଳେ ୧୨୭୫ ଜଣ ରହୁଛନ୍ତି। ଏ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ହେଉଛି ଦେଶରେ ଦ୍ବିତୀୟ। ପ୍ରଥମ ସ୍ଥାନରେ ରହିଛି କେରଳ, ଯେଉଁଠି ସ୍ବତନ୍ତ୍ର ଜେଲ୍‌ରେ ୧୬୬୫ ଜଣ କଏଦୀ ରହିଛନ୍ତି।

Advertisment

ରିପୋର୍ଟ ଅନୁସାରେ, ସମଗ୍ର ଦେଶରେ ଜେଲ୍‌ମାନଙ୍କରେ କଏଦୀମାନଙ୍କର ରହିବାର କ୍ଷମତା ୩,୯୬,୨୨୩। କିନ୍ତୁ, ସବୁ ଜେଲ୍‌କୁ ମିଶାଇ ସମୁଦାୟ ୪,୬୬,୦୮୪ ଜଣ କଏଦୀ ରହୁଛନ୍ତି। ସର୍ବାଧିକ ଜେଲ୍‌ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ଷଷ୍ଠ। ରିପୋର୍ଟ ଅନୁସାରେ, ଓଡ଼ିଶାରେ ମୋଟ ୯୧ଟି ଜେଲ୍‌ ରହିଛି। ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୫ଟି କେନ୍ଦ୍ରୀୟ ଜେଲ୍‌, ୯ଟି ଜିଲ୍ଲା ଜେଲ୍‌, ୭୩ଟି ସବ୍‌-ଜେଲ୍‌, ୨ଟି ସ୍ବତନ୍ତ୍ର ଜେଲ୍‌ ଏବଂ ଗୋଟିଏ ଲେଖାଏଁ ମୁକ୍ତାକାଶ ଓ ମହିଳା ଜେଲ୍‌ ଥିବାର ଉଲ୍ଲେଖ ଅଛି। ୨୦୧୮ରେ ଓଡ଼ିଶାର ବିଭିନ୍ନ ଜେଲରେ କଏଦୀମାନଙ୍କ ସଂଖ୍ୟା ୧୬୫୦୧ ଥିବାର ରିପୋର୍ଟରେ ଉଲ୍ଲେଖ ଅଛି, ଯାହାର ପ୍ରତିଶତ ହେଉଛି ୮୬.୧ । ଓଡ଼ିଶା ଜେଲ୍‌ମାନଙ୍କରେ ବାସ୍ତବରେ କଏଦୀମାନଙ୍କର ରହିବାର କ୍ଷମତା ହେଉଛି ୧୯୧୭୬ ଜଣ। ୨୦୧୮ ରିପୋର୍ଟ ଅନୁସାରେ, କେବଳ ଓଡ଼ିଶାର କେନ୍ଦ୍ରୀୟ ଓ ଜିଲ୍ଲା ଜେଲ୍‌ମାନଙ୍କରେ କ୍ଷମତାରୁ ଅଧିକ କଏଦୀ ରହିଛନ୍ତି। ଓଡ଼ିଶାର ୫ଟି କେନ୍ଦ୍ରୀୟ ଜେଲ୍‌ ମାନଙ୍କରେ ୩୧୨୨ ଧାର୍ଯ୍ୟ କ୍ଷମତାରୁ ୪୦୬୮ କଏଦୀ ରହୁଥିବାବେଳେ ୯ଟି ଜିଲ୍ଲା ଜେଲ୍‌ ମାନଙ୍କରେ ୩୫୧୮ ଧାର୍ଯ୍ୟ କ୍ଷମତାରୁ ୩୬୫୩ କଏଦୀ ରହୁଛନ୍ତି। ଓଡ଼ିଶାର ଜେଲ୍‌ମାନଙ୍କରେ ୪୧ ଜଣ ମହିଳା କଏଦୀ ସେମାନଙ୍କର ଶିଶୁମାନଙ୍କ ସହିତ ରହୁଥିବା ବେଳେ ଶିଶୁମାନଙ୍କ ସଂଖ୍ୟା ହେଉଛି ୪୨।

publive-image image source-scroll.in

ଜେଲ୍‌ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ଷଷ୍ଠ
ନିଜ ପିଲାଙ୍କ ସହିତ ରହୁଛନ୍ତି ୪୧ ମହିଳା କଏଦୀ
୬୭୭ ଜଣ କଏଦୀ ମାନସିକ ରୋଗରେ ପୀଡ଼ିତ

୨୦୧୮ରେ ଓଡ଼ିଶାର ବିଭିନ୍ନ ଜେଲ୍‌ମାନଙ୍କରେ ସମୁଦାୟ କଏଦୀ ମାନଙ୍କର ସଂଖ୍ୟା ଥିଲା ୧୬୫୦୧ , ସେଥିମଧ୍ୟରୁ ଦୋଷୀ କଏଦୀ ମାନଙ୍କ ସଂଖ୍ୟା ୩୮୩୩ , ବିଚାରାଧୀନ କଏଦୀ ମାନଙ୍କ ସଂଖ୍ୟା ୧୨୬୪୯ ତଥା ୧୪ ଜଣ ଅଟକ କଏଦୀ ଥିଲେ। ଏତଦ୍‌ବ୍ୟତୀତ ବିଦେଶୀ କଏଦୀ ମାନଙ୍କ ସଂଖ୍ୟା ଥିଲା ୧୨ ଜଣ। ସର୍ବାଧିକ ୨୨୬୬ କଏଦୀ ହତ୍ୟା ଅପରାଧରେ ଦଣ୍ଡିତ ହୋଇଥିଲେ ତଥା ୩୫୧୭ ଜଣ କଏଦୀ ଆଇପିସି ଅନ୍ତର୍ଗତ ଅପରାଧରେ ଜେଲ୍‌ରେ ଥିଲେ। ୨୦୧୮ ରେ ୯ ଜଣ କଏଦୀ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବାବେଳେ ୨୫୪୫ ଜଣ କଏଦୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୨୦୧୮ରେ ୪୨୮ ଜଣ କଏଦୀ ଅବଧି ପୂରଣ ହେବା ପରେ ଜେଲ୍‌ରୁ ଖଲାସ ହୋଇଥିଲେ। ୧୦୪୭ ଜଣ କଏଦୀଙ୍କୁ ଜାମିନରେ ଖଲାସ କରାଯାଇଥିବା ବେଳେ ୧୨୯ ଜଣଙ୍କୁ ଅନ୍ୟତ୍ର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ୪୨ ଜଣ କଏଦୀଙ୍କୁ ପ୍ୟାରୋଲରେ ଖଲାସ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ସେଥିରୁ ଜଣେ ପ୍ୟାରୋଲରୁ ଖଲାସ ହୋଇ ନିଖୋଜ ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୮ର ଜେଲ୍‌ ପରିସଂଖ୍ୟାନର ରିପୋର୍ଟରେ ଜେଲ୍‌ରେ ମାନସିକ ରୋଗୀ କଏଦୀଙ୍କ ସଂଖ୍ୟାରେ ଓଡ଼ିଶା ଦେଶରେ ଦ୍ବିତୀୟ ଥିବାର ଉଲ୍ଲେଖ କରାଯାଇଛି। ଓଡ଼ିଶାର ଜେଲମାନଙ୍କରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କ ସଂଖ୍ୟା ୬୭୭ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି, ରିପୋର୍ଟରେ ଓଡ଼ିଶାର ବିଭିନ୍ନ ଜେଲରେ ୫୧ ଜଣ କଏଦୀଙ୍କର ମୃତ୍ୟୁ ହୋଇଥିବାର ଉଲ୍ଲେଖ ଅଛି। ସେମାନଙ୍କ ମଧ୍ୟରୁ ୪୭ ଜଣ କଏଦୀଙ୍କର ସ୍ବାଭାବିକ କାରଣରୁ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅସ୍ବାଭାବିକ କାରଣରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ ଅଛି। ୨୦୧୮ର ତଥ୍ୟ ଅନୁସାରେ ଓଡ଼ିଶାରେ କଏଦୀ ମାନଙ୍କୁ ୫୨୭୧ ଥର ଜେଲ୍‌ରୁ ହସ୍ପିଟାଲକୁ ନିଆଯାଇଥିଲା। ଜେଲରୁ କୋର୍ଟକୁ କଏଦୀ ମାନଙ୍କୁ ୪୩୯୧୭ ଥର ନିଆଯାଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୮ରେ ଓଡ଼ିଶା ଜେଲରୁ ୧୪ କଏଦୀ ଚମ୍ପଟ ମାରିଥିଲେ ତଥା ଜେଲରେ ଗୋଷ୍ଠୀ ସଂଘର୍ଷରୁ ଜଣେ କଏଦୀର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ, ୨୦୧୮ରେ ଓଡ଼ିଶାର ବିଭିନ୍ନ ଜେଲ୍‌ରୁ କଏଦୀମାନେ ଖଲାସ ହେବା ପରେ ୧୨୯ ଜଣ କଏଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ତଥା ୩୬ ଜଣଙ୍କୁ ଥଇଥାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।