ସଂସଦରେ ଓଡ଼ିଶା ତାତି

ଭିନ୍ନ ରଣନୀତିରେ ଧର୍ମେନ୍ଦ୍ର ପ୍ରଧାନ
ଦୁଇ ବିଜେଡି ସାଂସଦଙ୍କୁ ସମାଲୋଚନା
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି କହିଲେ, ଭୀମଭୋଇଙ୍କ ଆଦର୍ଶରେ ମୋଦୀଙ୍କ ଶାସନ

ଭୁବନେଶ୍ବର/ ନୂଆଦିଲ୍ଲୀ : ରେଳ ବଜେଟ୍‌ ଅନୁଦାନକୁ ନେଇ ଗୋଟିଏ ପଟେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଅନ୍ୟପଟେ ଆଜି ସଂସଦରେ ଦୁଇଜଣ ବିଜେଡି ସାଂସଦଙ୍କ ନାଁ ନେଇ ସିଧା ସିଧା ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମୟରେ କହିଛନ୍ତି ଯେ ସ୍ବାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ବିଜେଡି ସାଂସଦ ସଠିକ୍ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସନ୍ଥକବି ଭୀମଭୋଇଙ୍କ ମନ୍ତ୍ର ତଥା ଆଦର୍ଶକୁ ପାଥେୟ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଶାସନ କରୁଥିବା କହି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଦେଶର ବିକାଶ ନକ୍ସା ପ୍ରସ୍ତୁତ ବେଳେ ପ୍ରଧାନମନ୍ତ୍ରୀ କିଭଳି ପୂର୍ବୋଦୟ ରାଜ୍ୟକୁ ପ୍ରାଥମିକତା ଦେଉଛନ୍ତି; ଯେଉଁଥିରେ ଓଡ଼ିଶା ରହିଛି ସେ କଥା ଏକାଧିକ ଉଦାହରଣ ଆଳରେ ଉଠାଇଥିଲେ। ସମାନ୍ତରାଳ ଭାବେ ବିଜେଡିର ଦୁଇ ଆଗୁଆ ସାଂସଦଙ୍କୁ ସମାଲୋଚନା କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏଇଥିପାଇଁ ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ଭବତଃ ଏଭଳି ଭୂମିକାରେ ଦେଖିବାକୁ ମିଳିନଥିଲା।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି ଯେ ବିଜେଡି-ବିଜେପି ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ କେବେ କୋଳାକୋଳି ଓ ଆଉ କେଉଁ ପ୍ରସଙ୍ଗରେ କଳି ତାହାକୁ ଲକ୍ଷ୍ୟ କରିବା କଥା। କିଛି ପ୍ରସଙ୍ଗରେ ଯେବେ କର୍ମୀ ଗର୍ଜନ ତର୍ଜନ କରୁଛନ୍ତି, ସେବେ ଉଭୟ ଦଳର ନେତା ନିରବ ରହୁଥିବା ଦେଖାଯାଉଛି। ଆଉ କିଛି ପ୍ରସଙ୍ଗରେ କର୍ମୀ ମୁହାଁମୁହିଁ ହୋଇ ରହୁଥିବା ବେଳେ ନେତାମାନଙ୍କ ଭିତରେ ନିବିଡ଼ତା ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ନଜର ଏଡ଼ାଇ ପାରୁନାହିଁ।

ଏମିତି ଏକ ସନ୍ଧିକ୍ଷଣରେ ସଂସଦରେ ବିଜେଡି-ବିଜେପିର ଭିନ୍ନ ରୂପ ଅନେକ ସଙ୍କେତ ଦେଉଛି। ଏଥର ବଜେଟ୍‌ ଅଧିବେଶନରେ ବିଜେଡି ସାଂସଦମାନେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଚାଉଳ ବିବାଦକୁ ସାଂସଦ ଭର୍ତ୍ତୃହରି ମହତାବ ସଂସଦକୁ ଟାଣି ନେବା ପରେ ବୁଧବାର ମହିଳା ସଂରକ୍ଷଣ ଓ ଏମଏସ୍‌ପି ଏବଂ ସ୍ବାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ଦୁଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ର ଗର୍ଜନ କରିଥିଲେ। ସାଂସଦ ଶ୍ରୀ ଆଚାର୍ଯ୍ୟ ନିଜ ଅଭିଭ‌ାଷଣରେ କେନ୍ଦ୍ର ସରକାର କାହିଁକି ସ୍ବାମୀନାଥନ୍‌ କମିଟି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏସବୁ ପ୍ରସଙ୍ଗରେ ବିଜେଡି ସାଂସଦଙ୍କ ଶାଣିତ ସମାଲୋଚନା ରାଜ୍ୟ ରାଜନୀତିରେ ଢେର୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଆଜି କେନ୍ଦ୍ରମନ୍ତ୍ରୀ ସେ ସଂକ୍ରାନ୍ତରେ ନିଜ ଅସନ୍ତୋଷ ଗୃହର ବିବରଣୀରେ ଲିପିବଦ୍ଧ କରାଇ ଏହାର ପ୍ରତିଜବାବ ଦେଇଥିବା କୁହାଯାଉଛି।

କୃଷି ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ନେଇ ଜାତୀୟ ସ୍ତରରେ ଆନ୍ଦୋଳନ ଚାଲିଥିବା ବେଳେ ବିବାଦଠାରୁ ସାମାନ୍ୟ ଦୂରରେ ଥିବା ବିଜେଡି ସରକାର ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲା। ରାଜ୍ୟ କ୍ୟାବିନେଟ୍‌ରେ ସରକାର ସ୍ବାମୀନାଥନ୍ କମିଟି ସୁପାରିସ କାର୍ଯ୍ୟାନ୍ବୟନ ପ୍ରସଙ୍ଗରେ ସଂକଳ୍ପ ପାରିତ କରିଥିଲେ। ବିଜେଡି ସଂସଦୀୟ ଦଳ ବୈଠକରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଠୋସ୍ ରଣନୀତି ଗ୍ରହଣ କରାଯାଇଥିଲା ଓ ସମାନ୍ତରାଳ ଭାବେ ମହିଳା କାର୍ଡ ବିଜେଡି ଖେଳିବ, ଏକଥା ଆଗୁଆ ନିଷ୍ପତ୍ତି ହୋଇଥିଲା।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟସଭାରେ କହିଥିଲେ, ଭାରତରେ ବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟ ଦଳମାନଙ୍କ ଦ୍ବାରା ଶାସିତ ରାଜ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସରକାର କୌଣସି ଭେଦଭାବ ରଖୁନାହାନ୍ତି। ଗରିବଙ୍କୁ କେନ୍ଦ୍ରବିନ୍ଦୁରେ ରଖି ବର୍ତ୍ତମାନର ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସରକାର କାର୍ଯ୍ୟକ୍ରମ ଘୋଷଣା କରିବା ସହିତ, ଦାୟିତ୍ବ ମୁତାବକ ସମୟ ପୂର୍ବକ କାର୍ଯ୍ୟକୁ ଶେଷ କରୁଛନ୍ତି। ଜନସାଧାରଣଙ୍କୁ ନେଇ ସରକାର ଚଳାଇବା କେନ୍ଦ୍ର ସରକାରଙ୍କ ମୂଳମନ୍ତ୍ର। ଅଧିକ ତଥ୍ୟ ରଖି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଦେଶରେ ୪୨ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି। ୧୦.୭ କୋଟି ଲୋକମାନଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଇଛି। ୨୦୧୪ରେ ଦେଶରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିବାବେଳେ ଆଜି ୨୯ କୋଟିରେ ପହଞ୍ଚିଛି। ସରକାରଙ୍କ ଦ୍ବାରା ଦେଶର ସବୁ ଗାଆଁ ଗୁଡିକରେ ପାଇପ ପାଣି ଓ ଇଣ୍ଟରନେଟ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ୨୦୧୪ରେ ଶାସନକୁ ଆସିବା ପରେ ଗରିବ, ଯୁବ, ମହିଳା, ପଛୁଆ ବର୍ଗକୁ ଆମେ ଗୁରୁତ୍ବ ଦେଇଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଭୁରିଭୁରି ପ୍ରଶଂସା କରିବା ସହିତ କହିଥିଲେ ଯେ ଦେଶର ସବୁଠୁ କର୍ମଠ ନେତାଭାବେ ସାରାବିଶ୍ବରେ ମୋଦୀଙ୍କ ଗୁରୁତ୍ବ ବୃଦ୍ଧି ପାଇଛି। ସେ ହେଉଛନ୍ତି ଜଣେ ନିର୍ଣ୍ଣାୟକ ନେତା, ଯିଏକି ସ୍ଳୋଗାନ୍‌ରେ ସୀମିତ ରୁହନ୍ତି ନାହିଁ। ପ୍ରତ୍ୟେକ ମାସରେ ରାଜ୍ୟ ତଥା କେନ୍ଦ୍ରର ସଚିବ ମାନଙ୍କର ବୈଠକ କରି ପ୍ରକଳ୍ପ ଗୁଡିକର ସମୀକ୍ଷା କରିବାରେ ସେ ହେଉଛନ୍ତି ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ। ତାଙ୍କ ନେତୃତ୍ବରେ ଦେଶରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ଚାଷୀ ଆନ୍ଦୋଳନ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ରଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ୟୁପିଏ ୨୦୧୩-୧୪ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇଁ ୬୩ ହଜାର କୋଟି ଟଙ୍କା ଦେଇଥିବା ବେଳେ ବର୍ତ୍ତମାନର ସରକାର ୨୦୨୦-୨୧ରେ ୧ ଲକ୍ଷ ୭୨ ହଜାର ୭୫୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗହମ ପାଇଁ ୟୁପିଏ ସରକାର ୩୩ ହଜାର ୮୭୪ କୋଟି ଟଙ୍କା, ଏନ୍‌ଡିଏ ସରକାର ୭୫ ହଜାର ୫୦ କୋଟି ତଥା ଡାଲି ପାଇଁ ୟୁପିଏ ସରକାର୨୩୬ କୋଟି ଟଙ୍କା ତଥା ଏନ୍‌ଡିଏ, ୧୦,୫୦୦ କୋଟି ଟଙ୍କା ଏମ୍‌ଏସ୍‌ପି ବାବଦରେ ଦେଇଛନ୍ତି। ଗୋଟିଏ ବର୍ଷରେ ୟୁପିଏ ସରକାର ୯୭ ହଜାର ୧୦୦ କୋଟି ଟଙ୍କାର ଏମ୍‌ଏସ୍‌ପି ଦେଇଥିବା ବେଳେ ଏନ୍‌ଡିଏ ସରକାର ଦୁଇ ଲକ୍ଷ ୬୦ ହଜାର କୋଟି ଟଙ୍କାର ଏମ୍‌ଏସ୍‌ପି ଦେଇଥିବାର ସେ ଭାଷଣରେ ଉଲ୍ଲେଖ କରିଥିଲେ।

ଏହି ସମୟରେ ବିରୋଧୀ ଦଳମାନଙ୍କୁ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ସତ୍ୟକୁ ସ୍ବୀକାର କରିବାକୁ ପଡିବ, ସତ୍ୟ ଶୁଣିଲେ ମୋକ୍ଷ ମିଳିବ।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଉଡାନ ଯୋଜନାରେ ଜାମସେଦପୁର, ଝାରସୁଗୁଡା, ଦରଭଙ୍ଗା, ଦେଉଘର, ଅରୁଣାଚଳର ପାସିଘାଟ, ଆସାମର ରୁପସୀ, ହୋଲାଙ୍ଗୀରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇଛି ବୋଲି ଉଦାହରଣ ଦେଇଥିଲେ। ସେହିଭଳି ଉଜ୍ଜ୍ବଳା ଯୋଜନା ସଂପର୍କରେ କହିବା ବେଳେ ଓଡ଼ିଶା କଥା ସୂଚାଇଥିଲେ।

ସମ୍ବନ୍ଧିତ ଖବର