କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ବିରୋଧ: ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର: ଅନ୍ୟ କେତେକ ରାଜ୍ୟମାନଙ୍କ ଭଳି କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ସରକାର ବି  ବିରୋଧ କରିଥିବା କୁହାଯାଉଛି। ଏନେଇ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟୁଇଟ୍ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ନିଜର ଟୁଇଟରେ ଲେଖିଛନ୍ତି, ସର୍ବଭାରତୀୟ ସେବା ନିୟମକୁ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ, କେନ୍ଦ୍ର ଏବଂ ରାଜ୍ୟମାନେ ଏହି କ୍ୟାଡରମାନଙ୍କ ଉପରେ  ଥିବା ନିୟନ୍ତ୍ରଣର ସନ୍ତୁଳନକୁ ଅଡ଼ୁଆାରେ ପକାଇବ। ଏହା ମଧ୍ୟ ଡେପୁଟେସନର ସଂଜ୍ଞା ବିରୁଦ୍ଧ ଅଟେ। ଏଥିଲାଗି ମଧ୍ୟ ସଂପୃକ୍ତ ଆଇଏଏସ୍ ଅଧିକାରୀଙ୍କ ସମ୍ମତି ଜରୁରୀ। ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ।

ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କୁହାଯାଉଛି, କିନ୍ତୁ ଓଡ଼ିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଇଏଏସ୍ ପ୍ରତିନିଯୁକ୍ତି ନିୟମ ଗୁଡିକରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସଂଶୋଧନ ଉପରେ ବିରୋଧ ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିରୋଧ କରିଛନ୍ତି। ଏହି ନୂଆ ନିୟମ ବିଷୟରେ ନରେନ୍ଦ୍ର ମୋଦୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।
କେନ୍ଦ୍ର ସରକାର, ଆଇଏଏସ୍(କ୍ୟାଡର) ନିୟମ ୧୯୫୪ ରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଏହି ନିୟମ ଅନୁସାରେ ରାଜ୍ୟ ସରକାରଙ୍କ ଆରକ୍ଷଣ ଅଧିକାରକୁ କମ୍ କରି କେନ୍ଦ୍ର ସରକାର ଯେକୌଣସି ଆଇଏଏସ୍ ଅଧିକାରୀଙ୍କୁ ଡେପୁଟେସନରେ ଡକାଇ ପାରିବେ।
ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଚିଠିକୁ ଟ୍ବିଟ୍ କରି କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଆଇଏଏସ୍ କ୍ୟାଡରଙ୍କ ସହିତ ସଂଶ୍ଳିଷ୍ଟ ନିିୟମଗୁଡିକର ସଂଶୋଧନକୁ ନେଇ ନିଜର ଆପତ୍ତି ଜଣାଇଛନ୍ତି। ସେ କହିଛନ୍ତି ଏହି ନିଷ୍ପତ୍ତି ଭାରତର ଏକତାକୁ ଦୁର୍ବଳ କରିଦେବ।
ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍ କହିଛନ୍ତି,ଏହାର ରାଜନୀତିକ ଦୁରୂପଯୋଗ ହୋଇପାରେ। ସେ କହିଛନ୍ତି, ଆଇଏଏସ୍ ନିୟମରେ ସଂଶୋଧନ,ରାଜ୍ୟ ସରକାର ଓ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହମତି ବିନା ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତି ଏକକରଫା ଭାବେ ହୋଇଥାଏ। ଏହା ସମ୍ବିଧାନରେ ଲିଖିତ ସଙ୍ଘୀୟ ଭାବନାର ବିରୋଧୀ ଅଟେ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଏହି ନିୟମରେ ସଂଶୋଧନ ପରେ କୌଣସି ବି ଆଇଏଏସ୍ ଅଧିକାରୀ ନିଷ୍ଠାର ସହିତ କାମ କରିପାରିବେ ନାହିଁ । ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଡର ଲାଗି ରହିଥିବ। ସେ ଏହା ମଧ୍ୟ କହିଛନ୍ତି, ଏହି ସଂଶୋଧନ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ନିର୍ଦ୍ଧାରିତ ହୋଇଥିବା ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ ହେବ।
ଏହା ପୂର୍ବରୁ ଅନ୍ୟ ଅଣବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ,ମହାରାଷ୍ଚ୍ର ଓ କେରଳର ସରକାର ମଧ୍ୟ ଏହି ନିୟମର ବିରୋଧ କରିଛନ୍ତି ।
ଆଇଏଏସ୍ କ୍ୟାଡର୍ ନିୟମ କ’ଣ ?
ନିଯୁକ୍ତି ପାଇଁ ଯଥେଷ୍ଟ ଆଇଏଏସ୍ ଅଧିକାରୀ ଅଛନ୍ତି ବୋଲି କହି ମୋଦୀ ସରକାର ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତିର ନିୟମରେ ସଂଶୋଧନର ପ୍ରସ୍ତାବ ଦେଇଛନ୍ତି। ଏବିଷୟରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ୨୫ ଜାନୁଆରି ସୁଦ୍ଧା ଏହା ଉପରେ ମତ ରଖିବାକୁ କହିଛନ୍ତି। ଖବର ଅନୁସାରେ ୩୧ ଜାନୁଆରି ଦିନ ଆରମ୍ଭ ହେଉଥିବା ସଂସଦର ବଜେଟ ଅଧିବେଶନରେ କେନ୍ଦ୍ର ସରକାରଏହି ସଂଶୋଧନକୁ ଆଣିପାରନ୍ତି। ୨୦୨୧ । ୧ ଜାନୁଆରି ୧ ତାରିଖସୁଦ୍ଧା ଦେଶରେ ମୋଟ ୫ ହଜାର ୨ ଶହ ଆଇଏଏସ୍ ଅଧିକାରୀ ଥିଲେ। ଏମାନଙ୍କ ମଧ୍ୟରୁ ୪୫୮ ଜଣ କେନ୍ଦ୍ରରେ ନିଯୁକ୍ତ ହୋଇଥିଲେ ।

ଆଇଏଏସ୍ ନିଯୁକ୍ତିରେ ହେବ ଏହି ୪ ପରିବର୍ତ୍ତନ –
୧. କୌଣସି ରାଜ୍ୟ କୌଣସି ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରକୁ ପଠାଇବାକୁ ବିଳମ୍ବ କଲେ ତାଙ୍କୁ କ୍ୟାଡରରୁ ବାହାର କରି ଦିଆଯିବ।
୨. କେନ୍ଦ୍ର ସରକାର ହିଁ କେନ୍ଦ୍ରରେ ନିଯୁକ୍ତି ହେବାକୁ ଯାଉଥିବା ଅଧିକାରୀଙ୍କ ସଂଖ୍ୟା ନିର୍ଦ୍ଧାରିତ କରିବେ । ରାଜ୍ୟଗୁଡ଼ିକ ଏହାକୁ ମାନିବେ।
୩. କୌଣସି ଆଇଏଏସ୍ ଅଧିକାରୀଙ୍କୁ ନେଇ ରାଜ୍ୟ-କେନ୍ଦ୍ର ମଧ୍ୟରେ କୌଣସି ଅସହମତି ହେଲେ, କେନ୍ଦ୍ରର ନିଷ୍ପତ୍ତିକୁ ଗ୍ରହଣ କରାଯିବ।
୪. ଜନହିତ ପାଇଁ କେନ୍ଦ୍ରକୁ ଆଇଏଏସ୍ ଅଧିକାରୀଙ୍କ ଆବଶ୍ୟକତା ହେଲେ ରାଜ୍ୟମାନେ ସଠିକ୍ ସମୟରେ ଅଧିକାରୀଙ୍କୁ ରାଜ୍ୟରୁ ଛାଡ଼ିବେ।

ସମ୍ବନ୍ଧିତ ଖବର