ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଭାରତର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ମଧ୍ୟରୁ ଗୋଟିଏ

ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟାବେଳେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାକୁ ଦେଶରେ ଏଯାବତ୍‌ ଘଟିଥିବା ସବୁଠୁ ଭୟାବହ ଟ୍ରେନ୍‌ ଦୁର୍ଘଟଣା ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଅନ୍ୟୂନ ୨୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ଗତ କିଛି ଦଶନ୍ଧି ତଳେ ମଧ୍ୟ ଦେଶର କେତେକ ପ୍ରାନ୍ତରେ ଏଭଳି ଭୟାବହ ରେଳ ଦୁର୍ଘଟଣା ଘଟିଛି। ସେଥିରୁ ଗୋଟିଏ ହେଉଛି ୧୯୯୫ ଅଗଷ୍ଟ ୨୦ ତାରିଖରେ ଘଟିଥିବା ଫିରୋଜାବାଦ ଟ୍ରେନ୍‌ ଦୁର୍ଘଟଣା। ଉତ୍ତର ପ୍ରଦେଶର ଫିରୋଜାବାଦ୍‌ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏବଂ କାଳିନ୍ଦୀ ଏକ୍ସ୍‌ପ୍ରେସ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୩୫୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

୧୯୯୯, ଅଗ‌ଷ୍ଟ ୨ ତାରିଖରେ ଘଟିଥିବା ଗୈସାଲ୍‌ ଟ୍ରେନ୍‌ ଦୁର୍ଘଟଣା ମଧ୍ୟ ଖୁବ୍‌ ଭୟାବହ ଥିଲା। ବ୍ରହ୍ମପୁତ୍ର ମେଲ୍‌ ଆସାମର ଗୈସାଲ୍‌ ନିକଟରେ ଅୱଧ-ଆସାମ ଏକ୍ସ୍‌ପ୍ରେସ୍‌ ସହିତ ଧକ୍କା ଖାଇବାରୁ ଅନ୍ୟୂନ ୨୯୦ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

୧୯୯୮ ନଭେମ୍ବର ୨୬ ତାରିଖରେ ଖାନ୍ନା ରେଳ ଦୁର୍ଘଟଣା ଥିଲା ଆଉ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା। ପଞ୍ଜାବର ଖାନ୍ନା ନିକଟରେ ଜମ୍ମୁ ତାୱି-ସିଆଲଦା ଏକ୍ସପ୍ରେସ୍‌ କାଲିନ୍ଦୀ ଏକ୍ସପ୍ରେସ ସହିତ ଧକ୍କା ଖାଇଥିଲା। ଏଥିରେ ପ୍ରାୟ ୨୧୨ଜଣଙ୍କର ପ୍ରାଣହାନୀ ଘଟିଥିଲା।

ସେହିପରି, ୧୯୮୨, ଜୁଲାଇ ୮ ତାରିଖ ଦିନ ପେରୁମନ୍‌ ଟ୍ରେନ୍‌ ଦୁର୍ଘଟଣା ବି ଥିଲା ଖୁବ୍‌ ଭୟାବହ। କେରଳର ପେରୁମନ୍‌ ନିକଟରେ ଆଇଲାଣ୍ଡ୍‌ ଏକ୍ସପ୍ରେସ୍‌ ଗୋଟାଏ ସ୍ଥାନୀୟ ପାସେଞ୍ଜର୍‌‌ ଟ୍ରେନ୍‌ ସହିତ ଧକ୍କା ଖାଇବାରୁ ପ୍ରାୟ ୨୧୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ଏହାଛଡ଼ା, ୨୦୧୬ ନଭେମ୍ବର ୨୦ ତାରିଖରେ ପୁଖରାୟାଁ ଟ୍ରେନ୍‌ ଧାରଣାଚ୍ୟୁତ ହେବା ଘଟଣାକୁ ମଧ୍ୟ ଦେଶର ଅନ୍ୟତମ ବଡ଼ ଟ୍ରେନ୍‌ ଦୁର୍ଘଟଣା ବୋଲି ବିବେଚନା କରାଯାଏ। ଉତ୍ତର ପ୍ରଦେଶର ପୁଖରାୟାଁ ନିକଟରେ ଇନ୍ଦୋର୍‌-ପାଟନା ଏକ୍ସ୍‌ପ୍ରେସ୍‌ ଧାରଣାରୁ ବାହାରି ଯାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୦ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର