ଓଡ଼ିଶା ଟ୍ରେନ ଦୁର୍ଘଟଣା: ମୃତାହତ ପରିବାରକୁ ସହାୟତା କରିବ ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ/ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଓ ସେମାନଙ୍କ ପରିବାରକୁ ସହାୟତା କରାଯିବ ବୋଲି ସୋମବାର ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, ଓଡ଼ଶାର ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଭୟାନକ। ସେଥିପାଇଁ ସେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତାହତ ପରିବାରକୁ ସମବେଦନା ଜଣାଇଛନ୍ତି। ଘଟଣାସ୍ଥଳରେ ସହାୟତା କରିବାକୁ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ ମୁତୟନ କରାଯାଇଛି। ଶୋକସନ୍ତପ୍ତ ପରିବାରଗୁଡ଼ିକର ଭବିଷ୍ୟତ ଗଢ଼ିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏଥି ପାଇଁ ଫାଉଣ୍ଡେସନ ପକ୍ଷରୁ ୧୦-ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଆମ ଫାଉଣ୍ଡେସନ ଓ ବର୍ଦ୍ଧିତ ରିଲାଏନ୍ସ ପରିବାର ପ୍ରଭାବିତଙ୍କ ପଛରେ ରହି ସେମାନଙ୍କ ଥଇଥାନ ଚିନ୍ତା କରାଯାଇଛି।

ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣା ଇନ୍ଧନ ଯୋଗାଇ ଦିଆଯିବ। ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍‌ଗୁଡ଼ିକ ମାଧ୍ୟମରେ ପ୍ରଭାବିତ ପରିବାରଗୁଡ଼ିକୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗାଇ ଦିଆଯିବ। ଆହତମାନଙ୍କୁ ମାଗଣା ଔଷଧ ଦିଆଯିବ ଓ ହସପିଟାଲରେ ଥିବା ଆହତଙ୍କ ଚିକିତ୍ସା କରାଯିବ। ଆବେଗିକ ଓ ମନୋବୈଜ୍ଞାନିକ ସହାୟତା ଲାଗି ପରାମର୍ଶ ସେବା ମିଳିବ। ଆବଶ୍ୟକ ଅନୁଯାୟୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ନିଯୁକ୍ତି ଦିଆଯିବ। ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ହୁଇଲ ଚେୟାର ମିଳିବ। ନୂଆ ନିଯୁକ୍ତି ପାଇଁ ପ୍ରଭାବିତଙ୍କୁ ଦକ୍ଷତା ତାଲିମ ଦିଆଯିବ। ପରିବାରର ଏକମାତ୍ର ଆୟକାରୀ ସଦସ୍ୟଙ୍କୁ ହରାଇଥିବା ମହିଳାଙ୍କ ପାଇଁ ମାଇକ୍ରୋଫାଇନାନ୍ସ ଓ ତାଲିମ ସୁଯୋଗ ମିଳିବ।

ପ୍ରଭାବିତ ଗ୍ରାମୀଣ ପରିବାରଗୁଡ଼ିକୁ ବିକଳ୍ପ ଜୀବନଜୀବିକା ସହାୟତା ପ୍ରଦାନ କରିବା ଲାଗି ଗାଇ, ମଇଁଷି, ଛେଳି, କୁକୁଡ଼ା ଭଳି ପଶୁ ସମ୍ପଦ ପ୍ରଦାନ କରାଯିବ। ପ୍ରିୟଜନଙ୍କୁ ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ବର୍ଷେ ପାଇଁ ମାଗଣା ମୋବାଇଲ ସଂଯୋଗ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି। ବର୍ତ୍ତମାନ ରିଲାଏନ୍ସ ଫାଉଣ୍ଡେସନର ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ୍ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି । ରିଲାଏନ୍ସ ଫାଉଣ୍ଡେସନ ଆହତମାନଙ୍କୁ ବାହାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଂଚାଇବା, ମାସ୍କ, ଗ୍ଲୋଭ୍‌ସ, ଓଆରଏସ୍‌, ବେଡ୍‌ସିଟ୍‌, ଖାଦ୍ୟସାମଗ୍ରୀ, ଆଲୋକ ବ୍ୟବସ୍ଥା କରିବା ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ଜରୁରୀ ଉପକରଣ ଯଥା ଗ୍ୟାସ୍ କଟର ଆଦି ତୁରନ୍ତ ଉପଲବ୍ଧ କରାଇଛି । ଉଦ୍ଧାର କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବା ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱଳ୍ପ ସମୟରେ ପ୍ରାୟ ୧୨୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିଥିଲା । ଉଦ୍ଧାର କର୍ମୀ ଏବଂ ଦୁର୍ଘଟଣା ସ୍ଥଳକୁ ଆସିଥିବା ପ୍ରଭାବିତଙ୍କ ପରିବାର ସଦସ୍ୟଙ୍କୁ ଏହି ଭୋଜନ ପ୍ରଦାନ କରାଯାଇଥିଲା ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ କରାଯାଇଥିଲା ।

ସମ୍ବନ୍ଧିତ ଖବର