ଓଡ଼ିଶା ରେଳ ଦୁର୍ଘଟଣା: ରେଳ ଧାରଣା ସଂଯୋଗ ଚାଲିଛି; ଜୁନ୍‌ ୭ ସୁଦ୍ଧା ସ୍ବାଭାବିକ ହୋଇପାରେ ରେଳ ଚଳାଚଳ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ଗ୍ରାମ ନିକଟରେ ଘଟିଥିବା ରେଳ ଦୁର୍ଘଟଣାସ୍ଥଳରୁ ଭଙ୍ଗରୁଜା ଅଂଶ ସବୁ ସଫେଇ କରାଯାଇ ରେଳ ଧାରଣା ସଂଯୋଗ କାର୍ଯ୍ୟ ଚାଲିଛି ବୋଲି ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି।

ସେ କହିଛନ୍ତି, ଓଲଟି ପଡ଼ିଥିବା ରେଳଡବା ସବୁ ଉଠାଇ ନିଆଯାଇଛି। ଏବେ ଗୋଟିଏ ପଟରୁ ରେଳ ଧାରଣା ସଂଯୋଗ କାମ ଚାଲିଛି। ନୂଆ ‘ଟ୍ରାକ୍‌ ସ୍ଲିପର୍‌’, ‘ଟ୍ରାକ୍‌ ରେଲ୍‌’ ଏବଂ ଅନ୍ୟାନ୍ୟ ମେସିନ ନେଇ  ଭାରତୀୟ ରେଳବାଇର ‘ରେଷ୍ଟୋରେସନ୍‌ ଟ୍ରେନ୍‌’ ଦୁର୍ଘଟଣାସ୍ଥଳ ଉପସ୍ଥିତ ରହିଛି। ଯଥା ଶୀଘ୍ର ସମ୍ଭବ ରେଳ ସେବା ସ୍ବାଭାବିକ କରିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି।

Image: Screen Grab

ରେଳମନ୍ତ୍ରାଳୟ କହିବା ଅନୁସାରେ, ମରାମତି କାର୍ଯ୍ୟରେ ୧୦୦୦ରୁ ଅଧିକ ଲୋକଙ୍କୁ ନିୟୋଜନ କରାଯାଇଛି। ୭ରୁ ଅଧିକ ପୋକ୍ଲେନ୍‌ ମେସିନ୍‌, ୨ଟି ଆକ୍ସିଡେଣ୍ଟ୍‌ ରିଲିଫ୍‌ ଟ୍ରେନ୍‌, ୩/୪ଟି ରେଲ୍‌ୱେ ଓ ରୋଡ୍‌ କ୍ରେନ୍‌ ମଧ୍ୟ ମୁତୟନ କରାଯାଇଛି।

ଜୁନ୍‌ ୫ ତାରିଖ ସୁଦ୍ଧା ରେଳ ଧାରଣା ବା ଟ୍ରାକ୍‌ ମରାମତି ଶେଷ ହୋଇଯିବ ବୋଲି ବିଶେଷସୂତ୍ରରୁ ଉଦ୍ଧାର କରି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସେହିପରି, ଜୁନ୍‌ ୭ ତାରିଖ ସୁଦ୍ଧା ଉକ୍ତ ରେଳପଥରେ ରେଳସେବା ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଦୁର୍ଘଟଣା‌ଜନିତ ଅସୁବିଧା ଯୋଗୁଁ ଏଯାବତ୍‌ ପ୍ରାୟ ୯୦ ଟେନ୍‌ ବାତିଲ କରାଯାଇଥିବା ବେଳେ ଅନ୍ୟୂନ ୪୬ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର