ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତାହତ ‌ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି ଭାରତୀୟ ବାୟୁସେନା କେତୋଟି ‘ଏମ୍‌ଆଇ-୧୭’ ହେଲିକପ୍ଟର୍‌ ମୁତୟନ କରିଥିବା କଥା ‘ଇଷ୍ଟର୍ଣ୍ଣ କମାଣ୍ଡ୍‌’ ସୂଚନା ଦେଇଛି।

Advertisment

ଇଷ୍ଟର୍ଣ୍ଣ କମାଣ୍ଡ୍‌ କହିବା ଅନୁସାରେ, ଉଦ୍ଧାର କାର୍ଯ୍ୟରେ ସାଧାରଣ ପ୍ରଶାସନ ଓ ଭାରତୀୟ ରେଳବାଇକୁ ଭାତୀୟ ବାୟୁସେନା ସହଯୋଗ କରୁଛି।

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲାର ବାହାନଗା ଗ୍ରାମ ନିକଟରେ ବେଙ୍ଗାଲୁରୁ-ହାୱଡ଼ା ଏକ୍ସ୍‌ପ୍ରେସ୍‌, ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଏବଂ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୩୮ ବୋଲି ଦକ୍ଷିଣପୂର୍ବ ରେଳବାଇ କହୁଥିବା ବ‌େଳେ ମୃତ୍ୟୁସଂଖ୍ୟା ୨୮୦୦ରୁ ଊର୍ଦ୍ଧ୍ବ ଏବଂ ଆହତଙ୍କ ସଂଖ୍ୟା ପ୍ରାୟ ୯୦୦ ବୋଲି ବିଭିନ୍ନ ଜାତୀୟସ୍ତରୀୟ ଗଣମାଧ୍ୟମ ବିଭିନ୍ନସୂତ୍ରରୁ ଉଦ୍ଧାର କରି ରିପୋର୍ଟ କରିଛନ୍ତି।

publive-image Image Courtesy of India Today

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓଡ଼ିଶା ଗସ୍ତରେ ଯିବେ। ଦିନ ୨.୩୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କିର ସେଠାରୁ ହେଲିକପ୍ଟର୍‌ ଯୋଗେ ବାଲେଶ୍ବର ଯିବେ। ପ୍ରଥମେ ସେ ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିବା ପରେ ବାଲେଶ୍ବର ଓ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଆହତ ଯାତ୍ରୀଙ୍କୁ ଭେଟିବେ।

ସେହିପରି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଆଜି ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ ଦେବେ। ପରିସ୍ଥିତିର ସମୀକ୍ଷା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଚେନ୍ନାଇସ୍ଥିତ ତାମିଲନାଡୁ ‘ଷ୍ଟେଟ୍‌ ଏମର୍ଜେନ୍‌ସି ଅପରେସନ୍‌ ସେଣ୍ଟର୍‌’ରେ ପହଞ୍ଚିଥିଲେ। ଏହାଛଡ଼ା, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା କରି ସବୁ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି।