ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିମଧ୍ୟରୁ କେତେକ ଯାତ୍ରୀଙ୍କ ପରିଚୟ ମିଳିଥିବା ବେଳେ ଆଉ କେତେକ ଯାତ୍ରୀଙ୍କ ପରିଚୟ ଏବେ ସୁଦ୍ଧା ମିଳି ପାରି ନାହିଁ। ଏହି କ୍ରମରେ କରମଣ୍ଡଳ ଏକ୍ସପ୍ରେସ ଭିତର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଦୁର୍ଘଟଣାର କିଛି ସମୟ ପୂର୍ବର ବୋଲି କୁହାଯାଉଛି।
ଜୁନ ୨ ତାରିଖ ସଂଧ୍ୟା ୭ଟାରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ସଫେଇ କର୍ମଚାରୀ ଟ୍ରେନ ଚଟାଣ ସଫା କରୁଛନ୍ତି। ଏତିକି ବେଳେ କିଛିଲୋକ ନିଜ ସିଟରେ ଶୋଇଥିବା ବେଳେ ଆଉ କିଛି ଜଣ ବସିଛନ୍ତି। ହଠାତ ଟ୍ରେନ ଭିତର ଅନ୍ଧାର ହୋଇଯାଉଛି, ଆଉ କିଛି କ୍ଷଣ ମଧ୍ୟରେ ଲୋକଙ୍କ ବିକଳ ଚିତ୍କାର ଶୁଣିବାକୁ ମିଳୁଛି। ତା’ପରର ପରିସ୍ଥିତି କ’ଣ ତାହା ସମସ୍ତଙ୍କୁ ଜଣା।
Disturbing video of the train accident in Balasore, Odisha has emerged, capturing the incident inside an AC compartment pic.twitter.com/RTkdT5GpWa
— Pooja Singh (@poojasingggh) June 8, 2023
ବାହାନଗା ବଜାର ଷ୍ଟେସନ୍ ନିକଟରେ ଦ୍ରୁତଗାମୀ କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ଟ୍ରେନ୍କୁ ଧକ୍କା ଦେବାପରେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ହଠାତ୍ କ’ଣ ହେଲା କେହିକିଛି ବୁଝି ପାରି ନଥିଲେ। ପରେ ଜଣାପଡ଼ିଥିଲା, କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ କରୁଣ ଚିତ୍କାର ଶୁଣି ସହାୟତା ପାଇଁ ଗାଁ ଲୋକେ ଦୌଡ଼ି ଆସିଥିଲେ। ଦୁର୍ଘଟଣା ପରେ ଷ୍ଟେସନ୍ ପରିସର ସମେତ ଆଖପାଖ ଅଞ୍ଚଳ ଅନ୍ଧାର ହୋଇ ଯାଇଥିଲା।
ଯୁଦ୍ଧକାଳୀନଭିତ୍ତିରେ ଟ୍ରେନ ବଗିରୁ ଉଦ୍ଧାରକାରୀ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। କିନ୍ତୁ ସେତେବେଳକୁ ଅନେକ ଲୋକଙ୍କ ଏହି ଦୁର୍ଘଟଣାରେ ପ୍ରାଣବାୟୁ ଉଡିଯାଇଥିଲା। ଏହି ଲୋମଟାଙ୍କୁରା ଦୁର୍ଘଟଣା ସହିତ ଦୁର୍ଘଟଣାସ୍ଥଳର ବିକଳ ଦୃଶ୍ୟ ଆଜି ବି ଆଖି ଆଗରେ ନାଚି ଉଠୁଛି।