ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ସୁପ୍ରିମକୋର୍ଟ ଚାଲିଥିବା ମାମଲାର ଶୁଣାଣି ଘୁଞ୍ଚିଛି। ଗତକାଲି ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ହୂଷିକେଶ ରାୟ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲା। ମାତ୍ର ଶୁଣାଣି ପୁର୍ବରୁ ଆବେଦନକାରୀ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି))ଙ୍କ ପକ୍ଷରୁ ମାମଲାର ଶୁଣ‌ାଣିକୁ ସ୍ଥଗିତ କରିବାକୁ ଲେଟର ସର୍କୁଲେଟ କରାଯାଇଥିବାରୁ ଶୁଣାଣିକୁ ସ୍ଥଗିତ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ଏହି ମାମଲ‌ାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ଉପସ୍ଥାପନ କରିବା ପାଇଁ ନିୟୋଜିତ ହୋଇଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ଏହି ମାମଲା ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ପ୍ରଭାବିତ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ଆଦେଶ ଯୋଗୁଁ ଓଡ଼ିଶାର ବିଶ୍ବବିଦ୍ୟାଳୟ ଶିକ୍ଷାରେ ପ୍ରଭାବ ପଡିଛି। ସ୍ଥାୟୀ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଆଗେଇପାରୁ ନାହିଁ। ନିୟମିତ ପ୍ରଫେସର ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି। ବହୁ ପଦବି ଖାଲି ରହିଥିବାରୁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅନୁମତି ଦେବାକୁ ଶ୍ରୀ ଦ୍ବିବେଦୀ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପପୀଠ ନିକଟରେ ଅନୁରୋଧ କରିଥିଲେ। ମାତ୍ର ମାମଲାର ଶୁଣାଣି କରୁଥିବା ଉକ୍ତ ଖଣ୍ଡପୀଠ ଅନୁରୋଧକୁ ପ୍ରତ୍ୟାଖାନ କରିବା ସହ ସ୍ଥଗିତାଦେଶକୁ ବଳବତ୍ତର ରଖିଥିଲେ। ଆସନ୍ତା ୬ ସପ୍ତାହ ପରେ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ତପୀଠ ଦର୍ଶାଇଛନ୍ତି।

ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ଓଡ଼ିଶାର ଉଚ୍ଚଶିକ୍ଷା ଭବିଷ୍ୟତ ନିର୍ଭର କରୁଛି। ଯଦି ମାମଲାରେ ଓଡ଼ିଶା ସରକାର ହାରିଯାଆନ୍ତି ତାହା ହେଲେ ବହୁ ପ୍ରଭାବିତ ହେବ। କାରଣ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଆଧାରରେ ଗତ ଦୁଇ ବର୍ଷ ମଧ୍ୟରେ ଓପିଏସ୍‌ସି ଦ୍ବାରା ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତ ହୋଇଛନ୍ତି। ଯଦି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଅଧିନିୟମକୁ ବେନିୟମ ଦର୍ଶାନ୍ତି ତାହା ହେଲେ ନିଯୁକ୍ତ ହୋଇଥିବା ପ୍ରଫେସରଙ୍କ ଭବିଷ୍ୟତ କ’ଣ ହେବ? ସେମାନଙ୍କ ଚାକିରି ରହିବ ନା ଚାଲିଯିବ? ଓପିଏସ୍‌ସି ନିଯୁକ୍ତି ପ୍ରକ୍ରିୟାରେ ଯେଉଁମାନଙ୍କ ଇଣ୍ଟରଭ୍ୟୁ ଅଧାରେ ଅଟକିଛି ସେମାନଙ୍କ ଭାଗ୍ୟ କ’ଣ ହେବ? ବିଶ୍ବବିଦ୍ୟାଳୟଗୁଡ଼ିକରେ ଯେଉଁ କୁଳପତି ନିଯୁକ୍ତ ହୋଇଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ ହେବ? କାର୍ଯ୍ୟକାଳ ୪ ବର୍ଷ ରହିବ ନା ୩ ବର୍ଷରେ ଶେଷ ହୋଇଯିବ? ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା ଫେରିବ କି ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।

ସୂଚନା ଅନୁଯାୟୀ ସଂ‌ଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ହେଲେ ହାଇକୋର୍ଟ ୨୦୨୨ ଜାନୁଆରି ୨୪ରେ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ରାୟରେ ଓଡ଼ିଶା ହାଇକୋର୍ଟ କହିଥିଲେ ଯେ ୟୁଜିସି ରେଗୁଲେସନ, ୨୦୧୮ର ସଂଶୋଧିତ ଅଧିନିୟମ ଓଭରଲାପିଂ ହୋଇ ନାହିଁ। ଉକ୍ତ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ବିରୋଧ କରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଓ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍‌ଏଲ୍‌ପି ଦାଖଲ କରିଥିଲେ। ୨୦୨୦ ମେ’ ୨୦ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ବିଲ୍‌, ୨୦୨୦ ଉପରେ ତିନିମ‌ାସ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଥିଲେ। ଯାହାକି ଏବେ ବଳବତ୍ତର ରହିଛି। ଏହି ମାମଲ‌ାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବୀ ସତ୍ୟପାଠ ଦାଖଲ ସହ ମାମଲାକୁ ବୃହତର ଖଣ୍ଡପୀଠରେ ଶୁଣାଣି କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଦନ ଦାଖଲ କରାଯାଇଛି।