ସଂସଦର ଶୀତ ଅଧିବେଶନର ପ୍ରଥମ ସପ୍ତାହ: ତିନିଟି ପ୍ରସଙ୍ଗରେ ନିରାଶ ହେଲା ଓଡ଼ିଶା

ନୂଆଦିଲ୍ଲୀ : ସଂସଦର ଚଳିତ ଶୀତ ଅଧି‌ବେଶନର ପ୍ରଥମ ସପ୍ତାହରେ ଓଡ଼ିଶାକୁ ତିନିଟି ପ୍ରସଙ୍ଗରେ ନିରାଶ ହେବାକୁ ପଡ଼ିଛି। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ ବୋଲି ଓଡ଼ିଶାର ଦାବିକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡି ଅଗ୍ରାହ୍ୟ କରିଦେଇଛନ୍ତି। ଶୀତଳାପଲ୍ଲୀରେ ରେଳ ୱାଗନ୍‌ କାରଖାନା ସ୍ଥାପନର କୌଣସି ପ୍ରସ୍ତାବ ନଥିବ‌ା କେନ୍ଦ୍ର ‌ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏହା ସହ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ମନା କରିଦେଇଛନ୍ତି।

ଏହି ତିନିଟି ପ୍ରସଙ୍ଗକୁ ନେଇ ବିଜେଡି ପୂର୍ବରୁ ବହୁବାର ସଂସଦ ଭିତରେ ଓ ବାହାରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶୀତ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବି‌ଜେଡି ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଇବା ଓ ଖାଦ୍ୟ ସବ୍‌ସିଡି ବାବଦରେ ବକେୟା ଅର୍ଥକୁ ତୁରନ୍ତ ପ୍ରଦାନ ପାଇଁ ଦାବି କରିଥିଲା। ଅଧିବେଶନ‌ର ଅବଶିଷ୍ଟ କାର୍ଯ୍ୟ ଦିବସରେ ଦଳ ପକ୍ଷରୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ‌ଦୃଢ଼ ଭ‌ାବେ ଉଭୟ ଗୃହରେ ଉପସ୍ଥାପନ କରାଯିବା ସହ କେନ୍ଦ୍ର ମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସଂସଦର ଗତ ମୌସୁମୀ ଅଧିବେଶନ ସ୍ବାଭାବିକ ଭାବେ ଚାଲିପାରି ନଥିବା ବେଳେ ଚଳିତ ଅଧିବେଶନ ସ୍ବାଭାବିକ ଚାଲିଛି। ଏଥିରେ ରାଜ୍ୟର ବିଜେଡି, ବିଜେପି ଓ କଂଗ୍ରେସ ସାଂସଦମାନଙ୍କ ସକ୍ରିୟ ଯୋଗଦାନ ରହିଛି। ବିଭିନ୍ନ ପ୍ରସଙ୍ଗରେ ଖାଦ୍ୟ ମନ୍ତ୍ରୀ, ଶ୍ରମ ମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ପ୍ରଶ୍ନକାଳରେ ମୌଖିକ ପ୍ରଶ୍ନ କରିଥିଲେ।

ରାଜ୍ୟସଭାରେ ପାରିତ ହୋଇଥିବା ନଦୀ ବନ୍ଧ ଡ୍ୟାମ ସୁରକ୍ଷା ବିଲରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଭାଗନେଇ ବିଲ୍‌ରେ ଥିବା କିଛି ବ୍ୟବସ୍ଥାର ପୁନର୍ବିଚାର ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲା। ରାଜ୍ୟସଭ‌ାରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ ନଦୀ ଉତ୍ସକୁ ବଂଚାଇବା ପାଇଁ ସ୍ବତନ୍ତ୍ର ପିଟିସନ ଉପସ୍ଥାପନ କରିଥିଲେ। ଯାହାକୁ କି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟାନାଇଡ଼ୁ ଗ୍ରହଣ କରିଛନ୍ତି। ଲୋକସଭାରେ ଅଧିବେଶନର ପ୍ରଥମ ଦୁଇ ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସ ସାଂସଦ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ।

କୋଭିଡ ମହାମାରୀ ସ୍ଥିତିକୁ ନେଇ ଲୋକସଭାରେ ୧୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏଥିରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଂଗ୍ରେସର ସପ୍ତଗିରି ଉଲାକା ଭାଗ ନେଇଥିଲେ। ଲୋକସଭାରେ ହୋଇଥିବା ଏଆର୍‌ଟି ବିଲ୍‌ ବିତର୍କରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଅଂଶ ଗ୍ରହଣ କରିଥିଲେ। ବିଲ୍‌କୁ ତରବରିଆ ଭାବେ ପାରିତ କରାଯାଉଥିବା ସେ କହିଥିଲେ। ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସଂପର୍କରେ ଲୋକସଭାରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମୁଲତବୀ ନୋଟିସ ଦେଇଥିଲେ। ତେବେ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇଥିଲେ।

ପ୍ରଥମ ସପ୍ତାହର ୫ଟି କାର୍ଯ୍ୟ ଦିବସରେ ଓଡ଼ିଶାର ସାଂସଦମାନଙ୍କ ଦ୍ବାରା ଲୋକସଭାରେ ୯୯ଟି ଓ ରାଜ୍ୟସଭାରେ ୬୩ଟି ପ୍ରଶ୍ନ କରାଯାଇଥିଲା। ପ୍ରଥମ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଲୋକସଭାରେ ଦୁଇ ବିଜେଡି ଓ ଜଣେ କଂଗ୍ରେସ ସାଂସଦ ଏବଂ ରାଜ୍ୟସଭାରେ ଦୁଇ ବିଜେଡି ସାଂସଦଙ୍କ ଦ୍ବାରା ବେସରକାରୀ ବିଲ୍‌ ଆଗତ କରାଯାଇଛି।

ସମ୍ବନ୍ଧିତ ଖବର