ସାରା ଦେଶକୁ ଛୁଇଁଲା ମୌସୁମୀ, ହେଲେ ୨୪ ଯାଏ ବଡ଼ ବର୍ଷା ନାହିଁ

ଗୋପାଳପୁରରେ ୧୦୫.୨ ମିମି ବର୍ଷା

ଭୁବ‌ନେଶ୍ବର : ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୮ ଦିନ ବିଳମ୍ବରେ ଭାରତକୁ ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସାରା ଦେଶକୁ ଛୁଇଁଛି। ଜୁଲାଇ ୧୯(‌ଆଜି) ପଶ୍ଚିମ ରାଜସ୍ଥାନରେ ସକ୍ରିୟ ହୋଇଛି ମୌସୁମୀ। ପ୍ରଭାବରେ ସେଠାରେ ବର୍ଷା ଲାଗି ରହିଛି। ଏଥିସହ ମୌସୁମୀ କେରଳ ଛୁଇଁବାର ପ୍ରାୟ ୪୦ ଦିନ ମଧ୍ୟରେ ସମଗ୍ର ଭାରତ ଭୂଖଣ୍ଡରେ ପ୍ରବେଶ କରିଥିଲେ ମଧ୍ୟ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ରହିଥିବା ଭା‌ରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ନାହିଁ। ୧୭ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ଘୂର୍ଣ୍ଣିବଳୟ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ନେଇ ଯେଉଁ ଆକଳନ ‌କରାଯାଇଥିଲା, ତାହା ହୋଇ ନଥିବାରୁ ଓଡ଼ିଶା ଉପରେ ବଡ଼ ବର୍ଷା ହେବାର ନାହିଁ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଗତ ଦୁଇ ଦିନ ହେଲା ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆସନ୍ତା‌ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୦ ତାରିଖ ମଧ୍ୟାହ୍ନ ମଧ୍ୟରେ ଗଜପତି, ରାୟଗଡ଼ା, କେରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଖୋର୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି। ୨୧ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୨ ତାରିଖ ବେଳକୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅନ୍ୟପକ୍ଷ‌ରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୧୦୫.୨ମିମି ବର୍ଷା ହୋଇଛି। ଏହାବ୍ୟତୀତ କୋରାପୁଟରେ ୧୬.୨, କଟକରେ ୧୫.୬, ଦାରିଙ୍ଗବାଡ଼ିରେ ୧୫, ଭୁବନେଶ୍ବରେ ୧୪.୧, ଭବାନୀପାଟଣାରେ ୧୩.୩, ପୁରୀରେ ୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଉ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର