ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟ୍ କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା ଏକ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ୍। ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁଠୁ ବଡ଼ ଲାଭାର୍ଥୀ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହାକୁ କଳ୍ପନାରେ ରଖି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ୨୦୨୫-୨୬ର ବଜେଟ୍ ପ୍ରସ୍ତୁତ ହୋଇଛି। ବଜେଟରୁ ଡବଲ ଇଞ୍ଜିନ ସରକାରର ସହଯୋଗରେ ଓଡ଼ିଶା ଭଳି ଅପାର ସମ୍ଭାବନାର ରାଜ୍ୟର ଅଭିବୃଦ୍ଧି ହେବ। ଶିଳ୍ପ, ଶକ୍ତି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଆହୁରି ଅଧିକ ଅଧିକ ଗତି ମିଳିବ। ଓଡ଼ିଶାରେ ରୋଜଗାର ବଢ଼ିବ। ନିକଟରେ ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଭିଜନ ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ଏହି ବଜେଟ୍ ବେଶ୍ ସହାୟକ ହେବ।
ଏହାସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମରେ ଓଡ଼ିଶାର ୩୬ ଲକ୍ଷରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ। ଆସନ୍ତା ୫ ବର୍ଷରେ ଓଡ଼ିଶାର ବହୁ ସରକାରୀ ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବ। ଭାରତନେଟ୍ ପ୍ରକଳ୍ପ ଅଧୀନରେ ଓଡ଼ିଶାର ସମସ୍ତ ଗ୍ରାମାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ। ସେହିପରି ଓଡ଼ିଶା ଭଳି କୃଷି ଭିତ୍ତିକ ରାଜ୍ୟ ପିଏମ୍ ଧନ ଧାନ୍ୟ କୃଷି ଯୋଜନାରେ ଉପକୃତ ହେବ। କପା ଉତ୍ପାଦକତା ମିସନରେ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଭଳି ଜିଲ୍ଲାରେ କପା ଉତ୍ପାଦନ ପ୍ରତି ପ୍ରୋତ୍ସାହନ ବଢ଼ିବ। ଓଡ଼ିଶାରେ ଥିବା ୪୦ ଲକ୍ଷ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ କ୍ରେଡିଟ ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବଢ଼ିବ।
ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ୍କୁ ପୂରଣ କରିବ
ରେକର୍ଡ ରେଳ ବଜେଟ୍ ପାଇଁ ଧନ୍ୟବାଦ ଜଣାଇଲେ
ମେରିଟାଇମ୍ ଡେଭଲପମେଣ୍ଟ ଫଣ୍ଡ ଆକାରରେ ୨୫,୦୦୦ କୋଟି ଟଙ୍କାର ଏକ କର୍ପସ ଗଠନ ଦ୍ୱାରା ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରରେ ବନ୍ଦରର ବିକାଶ, ନୂତନ ବନ୍ଦର ପ୍ରତିଷ୍ଠା ସହ ସାମୁଦ୍ରିକ ବାଣିଜ୍ୟ ତ୍ୱରାନ୍ୱିତ ହୋଇପାରିବ। ସିପ୍ ବିଲଡିଂ ଫାଇନାନ୍ସଆଲ ଆସିଷ୍ଟାନ୍ସ ପଲିସି ୨.୦ ଦ୍ୱାରା ଜାହାଜ ନିର୍ମାଣ କ୍ଲଷ୍ଟର ଥିବା ଓଡ଼ିଶା ଭଳି ରାଜ୍ୟ ଲାଭ ପାଇବ। ସଂଶୋଧିତ ଉଡାନ ଯୋଜନାରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳକୁ ସଂଯୋଗ କରାଯିବ। ଏହା ଅଧୀନରେ ସମ୍ବଲପୁର ଜମାଦରପାଲି, ଢେଙ୍କାନାଳର ବିରସାଲ, ମୟୂରଭଞ୍ଜର ରାସଗୋବିନ୍ଦପୁର, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ କେନ୍ଦୁଝରର ରାଇକଳାରେ ବିମାନବନ୍ଦରର ବିକାଶ କରାଯାଇ ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ହୋଇପାରିବ। ଉଦୀୟମାନ ଟାୟାର-୨ ସହରଗୁଡିକରେ ଗ୍ଲୋବାଲ କାପାବିଲିଟି ସେଣ୍ଟରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ଭାବରେ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯିବ। ଏହାଦ୍ୱାରା ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ଭଳି ସହର ଉପକୃତ ହେବ। ଖେଳନା କ୍ଷେତ୍ର ପାଇଁ ହୋଇଥିବା ଯୋଜନା ଓଡ଼ିଶାରେ କ୍ଲଷ୍ଟର ବିକାଶକୁ ସୁନିଶ୍ଚିତ କରିବ। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ତଥା କ୍ରିଟିକାଲ ମିନେରାଲ୍ସର ପୁନରୁଦ୍ଧାର ପାଇଁ ଏକ ନୀତି ଅଣାଯିବ। ଏଥିରେ ଓଡ଼ିଶାରେ ଥିବା ଲୁହାପଥର ଓ ବକ୍ସାଇଟ୍ ଖଣିରୁ ଯେଉଁ ବର୍ଜ୍ୟବସ୍ତୁ ବାହାରୁଛି ସେଥିରୁ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥର ପୁନରୁଦ୍ଧାର ହୋଇପାରିବ।
ଦେଶର ଶ୍ରେଷ୍ଠ ୫୦ ପର୍ଯ୍ୟଟନସ୍ଥଳୀର ବିକଶିତ ହେବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି। ଏଥିରେ ଓଡ଼ିଶାର ୨ରୁ ୪ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇପାରିବ। ହୋମ ଷ୍ଟ୍ରେଙ୍କ ପାଇଁ ମୁଦ୍ରା ଋଣ ପ୍ରଦାନ ବ୍ୟତୀତ କେନ୍ଦ୍ର ସରକାରଙ୍କ ବଜେଟ୍ରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣା ଦ୍ୱାରା ଓଡ଼ିଶାର ମଧ୍ୟବିତ୍ତ ପରିବାରର ଆୟ ବଢ଼ିବା ସହ ସେମାନଙ୍କ ଅର୍ଥ ସଞ୍ଚୟ ହେବ। କେନ୍ଦ୍ର ବଜେଟ ୨୦୨୫-୨୬ରେ ହୋଇଥିବା ଆନୁଷଙ୍ଗିକ ଯୋଜନା ଓ ବ୍ୟବସ୍ଥା ଓଡ଼ିଶାର ନୂଆପିଢ଼ିକୁ ନୂଆ ଦିଶା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ଚଳିତ ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ରେକର୍ଡ ସଂଖ୍ୟକ ଅନୁଦାନ ଦିଆଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।