ଭୁବନେଶ୍ବର: ୨୦୨୪-୨୫ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଟିକସ ଏବଂ ଶୁଳ୍କ ବାବଦରେ ୫୬ ହଜାର ୪୭୩ କୋଟି ୭୪ ଲକ୍ଷ ଟଙ୍କା ପାଇବ। ୨୦୨୩-୨୪ ବଜେଟ୍ରେ ଓଡ଼ିଶାକୁ ଏ ବାବଦରେ ୫୦ ହଜାର ୧୧ କୋଟି ୬୭ ଲକ୍ଷ ଟଙ୍କା ମିଳିଥିଲା। ତେଣୁ ଗତ ବଜେଟ୍ ତୁଳନାରେ ଚଳିତ ବଜେଟ୍ରେ ୬୪୬୨ କୋଟି ୭ ଲକ୍ଷ ଟଙ୍କା ଅଧିକ ମିଳିଛି। କେନ୍ଦ୍ର ସରକାରଙ୍କ ଟିକସ ଓ ଶୁଳ୍କ ରାଜସ୍ବ ଗତବର୍ଷ ତୁଳନାରେ ୧ ଲକ୍ଷ ୪୨ ହଜାର ୭୧୭ କୋଟି ୫୭ ଲକ୍ଷ ଟଙ୍କା ବଢ଼ିଥିବାରୁ ଓଡ଼ିଶାର ପ୍ରାପ୍ୟ ବଢ଼ିଛି। ଚଳିତ ବଜେଟ୍ରେ ଦେଶର ୨୮ଟି ରାଜ୍ୟକୁ ଟିକସ ଓ ଶୁଳ୍କ ବାବଦରେ ମୋଟ ୧୨ ଲକ୍ଷ ୪୭ ହଜାର ୨୧୧ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ଏଥିରେ ଓଡ଼ିଶାର ଅଂଶ ୪.୫୨୮ ପ୍ରତିଶତ ରହିଛି। ଓଡ଼ିଶାକୁ କମ୍ପାନି ଟିକସରୁ ୧୬୯୫୭ କୋଟି ୯୨ ଲକ୍ଷ, ଆୟକରରୁ ୧୯୫୩୦ କୋଟି ୬୩ ଲକ୍ଷ, କେନ୍ଦ୍ରୀୟ ଜିଏସ୍ଟିରୁ ୧୬୮୭୧ କୋଟି ୬୩ ଲକ୍ଷ, ସୀମା ଶୁଳ୍କରୁ ୨୪୯୩ କୋଟି ୩୨ ଲକ୍ଷ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ୫୨୫ କୋଟି ୫୬ ଲକ୍ଷ, ସେବା ଟିକସରୁ ୧ କୋଟି ୮୬ ଲକ୍ଷ ଏବଂ ଅନ୍ୟାନ୍ୟ ଟିକସ ଓ ଶୁଳ୍କରୁ ୯୨ କୋଟି ୮୨ ଲକ୍ଷ ଟଙ୍କା ମିଳିବ ବୋଲି ବଜେଟ୍ ଦସ୍ତାବିଜ୍ରୁ ଜଣାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ଆଧାରରେ ରାଜ୍ୟଗୁଡ଼ିକୁ ୪୧ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି। ତେବେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଓଡ଼ିଶା କେତେ ଅର୍ଥ ପାଇଛି ତା’ର ହିସାବ ମିଳିବା ପରେ ଓଡ଼ିଶାକୁ ମୋଟ କେତେ ଟଙ୍କା ବଜେଟ୍ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ପ୍ରଦାନ କରିଛି ତାହା ଜଣାପଡ଼ିବ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/eeee-aaaa.jpg)