ଓଡ଼ିଶାରୁ ଦିଲ୍ଲୀ ଯିବ ଅମ୍ଲଜାନ, ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଭୁବନେଶ୍ବର: ଦିଲ୍ଲୀକୁ ଅମ୍ଲଜାନ ଦେବ ଓଡ଼ିଶା । ଆଜି ଏନେଇ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅମ୍ଲଜାନ ଆସିବା ନେଇ କହିଛନ୍ତି କେଜ୍ରିୱାଲ । ଏହାସହ କେନ୍ଦ୍ର ଓ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ପ୍ରଶଂସା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀର ଆବଶ୍ୟକୀୟ ଅମ୍ଲଜାନ ଚାହିଦାକୁ ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ଅଧିକ ମାତ୍ରାରେ ଅମ୍ଲଜାନ ପହଞ୍ଚାଇବାକୁ ବିଭିନ୍ନ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

କିନ୍ତୁ ବିଭିନ୍ନ ରାଜ୍ୟରୁ ଆସୁଥିବା ଅମ୍ଲଜାନ ଗାଡି ଗୁଡିକ ଦିଲ୍ଲୀରେ ପହଞ୍ଚିପାରୁନି । କାରଣ ଗାଡିଗୁଡିକୁ ବିଭିନ୍ନ ରାଜ୍ୟରେ ଅଟକାଯାଉଛି, ଯାହା ଫଳରେ ଠିକ୍ ସମୟରେ ଅମ୍ଲଜାନ ପହଞ୍ଚି ନପାରିବାରୁ ଅମ୍ଲଜାନର ଅଭାବ ଦେଖିବାକୁ ମିଳୁଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେଜ୍ରିୱାଲ । ଏଭଳି ବିପତ୍ତି ସମୟରେ ଏକାଠି ହୋଇ ଲଢିବା ବଦଳରେ ଯଦି ରାଜ୍ୟଗୁଡିକ ପରସ୍ପରକୁ ସହଯୋଗ ନ କରନ୍ତି ତେବେ ଦେଶ ବଞ୍ଚିବନି । ତେଣୁ ସମସ୍ତ ରାଜ୍ୟଗୁଡିକୁ ପରସ୍ପରକୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି କେଜ୍ରିୱାଲ ।

ଏହାସହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ଯାହା ବି ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଯଦି ଦିଲ୍ଲୀ ପାଖରେ ଅଧିକ ଔଷଧ ରହିଛି ଓ ରୋଗୀ କମ ଅଛନ୍ତି ତେବେ ଅନ୍ୟ ରାଜ୍ୟକୁ ଔଷଧ ପଠାଇବେ ଦିଲ୍ଲୀ ସରକାର । କାରଣ ଏବେ ସବୁ ରାଜ୍ୟ ପରସ୍ପରକୁ ସହଯୋଗ କରିବା ସହ ଏକାଠି ହୋଇ ଲଢିଲେ ହିଁ ଦେଶ ମହାମାରୀ ସଙ୍କଟରୁ ରକ୍ଷା ପାଇବ । ଏବେ ଦିଲ୍ଲୀରେ ଅମ୍ଲଜାନର ପ୍ରବଳ ମାତ୍ରାରେ ଅଭାବ ଦେଖିବାକୁ ମିଳୁଥିବା ବେଳେ କେହି ରୋଗୀ ଯେପରି ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ ନ କରନ୍ତି ସେଥିପାଇଁ ମିଶନ ମୋଡରେ କାମ କରୁଛନ୍ତି କେଜ୍ରିୱାଲ ସରକାର । ହସ୍ପିଟାଲଗୁଡିକ ଉପରେ ନଜର ରଖାଯାଇଥିବା ବେଳେ ରୋଗୀଙ୍କୁ ସେବା ଯୋଗାଇଦେବା ସରକାରଙ୍କ ପ୍ରଥମ ପ୍ରାଥମିକତା ପାଲଟିଛି ।

ସମ୍ବନ୍ଧିତ ଖବର