ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌(ଓଆର୍‌ଆଇଡିଏଲ୍‌) ଓଡ଼ିଶାରେ ୫ଟି ରେଳ ପ୍ରକଳ୍ପ ଯଥା ଗୋପାଳପୁର-ରେଢ଼ାଖୋଲ ନୂଆ ଲାଇନ୍‌, ନରାଜ ମାର୍ଥାପୁର-କାଇପଦର ରୋଡ ନୂଆ ଲାଇନ୍‌,ବାଂଶପାଣି-ବଡ଼ବିଲ ନୂଆ ଲାଇନ୍‌,ବରଗଡ ରୋଡ୍‌-ନୂଆପଡ଼ା ରୋଡ୍‌ ନୂଆ ଲାଇନ ଓ ବୁରାମରା-ଚକୁଳିଆକୁ ବିକଶିତ କରିବା ପାଇଁ ଚିହ୍ନଟ କରାଯାଇଥିବା ସଂପର୍କରେ ଆଜି ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାଂସଦ ଡ.ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଆର୍‌ଆଇଡିଏଲ୍‌କୁ ରେଳ ବୋର୍ଡ ଦ୍ବାରା ଉପରୋକ୍ତ ୫ଟି ପ୍ରକଳ୍ପ ପାଇଁ ପ୍ରାକ୍‌-ପୁଂଜିନିବେଶ କାର୍ଯ୍ୟକ୍ରମ ନିମନ୍ତେ ନୀତିଗତ ଅନୁମୋଦନ ଦିଆଯାଇଥିଲା। ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ୨୭୦ କିଲୋମିଟର ଗୋପାଳପୁର-ରେଢ଼ାଖୋଲ ନୂଆ ରେଳ ଲାଇନ୍‌ର ଡିପିଆର୍‌ ଓଆର୍‌ଆଇଡି୍‌ଏଲ ଦ୍ବାରା ପ୍ରସ୍ତୁତ କରାଯାଇଛି। ୬୯.୫ କିଲୋମିଟର ନରାଜ ମାର୍ଥାପୁର –କାଇପଦର ରୋଡ୍‌ ନୂଆ ରେଳ ଲାଇନ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ଓଆର୍‌ଆଇଡିଏଲ୍‌ର ବିଚାରାଧୀନ ଏବେ ବି ରହିଛି। ସେହିଭଳି ବାଂଶପାଣି-ବଡ଼ବିଲ ନୂଆ ଲାଇନର ମଧ୍ୟ ଡିପିଆର୍‌ ପ୍ରସ୍ତୁତ କରାଯାଇଛି। ଓଆର୍‌ଆଇଡିଏଲ୍‌ ଦ୍ବାରା ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ୍‌ର ଡିପିଆର୍‌ ପ୍ରସ୍ତୁତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ରେଳ ବୋର୍ଡ ଏହି ପ୍ରକଳ୍ପକୁ ଆଗର କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରିଥିଲା। ତଦନୁସାରେ ୧୩୮.୩୨ କିଲୋମିଟର ବରଗଡ଼ ରୋଡ-ନୂଆପଡ଼ା ରୋଡ୍‌ ଭାୟା ପଦ୍ମପୁର ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ କରାଗଲା ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଏବଂ ୩୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରସ୍ତାବ ଦେଇଛନ୍ତି।

ବୁଡ଼ାମରା-ଚାକୁଳିଆ ପ୍ରକଳ୍ପର ସ୍ଥିତି ସଂପର୍କରେ ମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପର ନୀତିଗତ ଅନୁମୋଦନ ଓଆର୍‌ଆଇଡିଏଲ୍‌କୁ ପ୍ରଦାନ କରାଯିବା ସମୟରେ କୌଣସି ଋଣ ବୋଝକୁ ରେଳବାଇ ଦ୍ବାରା ଭରଣା କରାଯିବ ନାହିଁ ବୋଲି ସର୍ତ୍ତ ରଖାଯାଇଥିଲା। ଏହି ସର୍ତ୍ତରେ ଓଆର୍‌ଆଇଡିଏଲ୍‌ ରାଜି ହୋଇ ନଥିଲା। ଯାହା ଫଳରେ ରେଳ ବୋର୍ଡ ଦ୍ବାରା ଓଆର୍‌ଆଇଡିଏଲ୍‌କୁ ପୁଂଜିନିବେଶ ପାଇଁ ପ୍ରଦାନ କରାଯାଇଥିବା ନୀତିଗତ ଅନୁମୋଦନକୁ ପ୍ରତ୍ୟାହାର କରିନିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ଦକ୍ଷିଣ ପୂର୍ବ ରେଳପଥକୁ ଏହି କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା ଏବଂ ବୁଡ଼ାମରା-ଚାକୁଳିଆ ନୂଆ ରେଳ ଲାଇନ୍‌ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ଓଡ଼ିଶା ପାର୍ଶ୍ବର କାର୍ଯ୍ୟ ପାଇଁ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇଦେବା ପ‌ାଇଁ ରାଜି ହୋଇଥିଲେ ବୋଲି ରେଳମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଉତ୍ତରରେ ଏହା ମଧ୍ୟ କହିଛନ୍ତି ଯେ ଗୋପାଳପୁର-ରେଢ଼ାଖୋଲ ନୂଆ ରେଳ ଲାଇନ ପ୍ରକ‌ଳ୍ପର ଚୂଡ଼ାନ୍ତ ଅବସ୍ଥିତି ସର୍ଭେ ଓ ଡିପିଆର୍‌ ଚିଠା ଓଆର୍‌ଆଇଡିଏଲ୍‌ ଦ୍ବାରା ପ୍ରସ୍ତୁତ କରାଯାଇଛି। ଏକାଧିକ ସହରଗୁଡ଼ିକ ସହିତ ସଂଯୋଗୀକରଣର ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ବାରା ଚୂଡ଼ାନ୍ତ କରାଯିବ ବୋଲି ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।