ନୂଆଦିଲ୍ଲୀ ( ନଇମ ଅଖତର) : ଭାରତ ମଣ୍ଡପମ୍ରେ ଦୁଇ ଦିନିଆ ଜି ୨୦ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଛି। ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରି ଭାରତ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି। ତେବେ ଏଭଳି ଏକ ବିଶ୍ବସ୍ତରୀୟ ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଓଡ଼ିଆଙ୍କ ଅବଦାନର ଛାପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଜି ୨୦ ଶିଖର ସମ୍ମିଳନୀ ସ୍ଥଳ ଭାରତ ମଣ୍ଡପମ୍ରେ ବିଶ୍ବନେତା ଓ ପ୍ରତିନିଧିଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ ଏକ ପ୍ରମୁଖ ଘଟଣା ରହିଥିଲା। ଭାରତର ପରମ୍ପରା, ରୀତିନୀତି ଏବଂ ବିବିଧତାକୁ ଧ୍ୟାନରେ ରଖି ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ ମେନ୍ୟୁରେ ଶାକାହାରୀ ଖାଦ୍ୟ ରହିଥିଲା। ଐତିହାସିକ ଜି ୨୦ ଶିଖର ସମ୍ମିଳନୀ ଅବସରରେ ଅତିଥିମାନଙ୍କୁ ପ୍ରେସିଡେଣ୍ଟ ଅଫ ଭାରତ ରୂପେ ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ବେଶ୍ ଚର୍ଚ୍ଚାରେ ଥିଲା।
ସମ୍ମିଳନୀରେ କୋଣାର୍କ ଚକ୍ରର ପୃଷ୍ଠଭୂମିରେ ବିଶ୍ବନେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିବା ଫଳରେ ସାରା ବିଶ୍ବ ଓଡ଼ିଶାର ସମୃଦ୍ଧ କଳା ସଂପର୍କରେ ଅବଗତ ହୋଇଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ କେବଳ ଗୌରବର ମୁହୂର୍ତ୍ତ ନ ଥିଲା ବରଂ ଓଡ଼ିଶାର ଭାସ୍କର୍ଯ୍ୟ କଳାକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିବା ଦିଗରେ ନୂଆ ଧାରା ସୃଷ୍ଟି କଲା। କୋଣାର୍କ ଚକ୍ରର ବିଶେଷତ୍ବ ଓ କାରୁକାର୍ଯ୍ୟ ସଂପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ବୁଝାଇବା ପରେ କୋଣାର୍କ ଚକ୍ର ଚର୍ଚ୍ଚାର ପରିସରକୁ ଅଧିକ ମାତ୍ରାରେ ଆସିଥିଲା। ବିଶେଷ କରି ଜି ୨୦ର ଭାରତ ମଣ୍ଡପମ୍ ପରିସରରେ ସ୍ଥାପନ କରାଯାଇଥିବା ଅନ୍ତର୍ଜାତୀୟ ମିଡିଆ ସେଣ୍ଟରରେ ବିଭିନ୍ନ ଦେଶରୁ ଖବର ପରିବେଷଣ ପାଇଁ ଆସିଥିବା ଗଣମାଧ୍ୟମର ପ୍ରତିନିଧିମାନେ କୋଣାର୍କ ଚକ୍ର ସଂପର୍କରେ ସ୍ବତନ୍ତ୍ର ରିପୋଟିଂ କରିଥିଲେ। କୋଣାର୍କ ଚକ୍ରର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କରମର୍ଦ୍ଦନ କୂଟନୀତି (ହ୍ୟାଣ୍ଡସେକ୍ ଡିପ୍ଲୋମାସି)ର ଫଟୋଚିତ୍ର ସାରା ବିଶ୍ବରେ ଛାଇ ହୋଇ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇପାରିଥିଲା।
ଜି ୨୦ ଶିଖର ସମ୍ମିଳନୀ ଭଳି ଏକ ବଡ଼ ଧରଣର ଅନ୍ତର୍ଜାତୀୟ ସମ୍ମିଳନୀକୁ ସଫଳ ରୂପେ ଆୟୋଜନ କରିବାରେ ଯେଉଁ କେତେଜଣ ଓଡ଼ିଆଙ୍କ ଭୂମିକା ରହିଥିଲା ସେମାନଙ୍କ ମଧ୍ୟରେ ସବୁଠାରୁ ପ୍ରମୁ୍ଖ ଭୂମିକା ରହିଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ରଙ୍କର। ଡ. ମିଶ୍ର ଜି ୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ସହ ଜଡ଼ିତ ସମନ୍ବୟ କମିଟିର ଅଧ୍ୟକ୍ଷ ରୂପେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସମ୍ମିଳନୀ ଆୟୋଜନ ପାଇଁ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସଠିକ୍ ଭାବେ କରାଯାଇଛି କି ନାହିଁ ତାହାକୁ ସୁନିଶ୍ଚିତ କରିବା ଲାଗି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସେ ନିୟମିତ ସମୀକ୍ଷା କରୁଥିଲେ। ଭାରତ ମଣ୍ଡପମ୍ ସହିତ ରାଜଘାଟ, ସି-ହେକ୍ସାଗନ, ଇଣ୍ଡିଆ ଗେଟ୍, ବିମାନବନ୍ଦର ଟର୍ମିନାଲ-୩ ଏବଂ ଏହାର ଭିଆଇପି ଲାଉଂଜ,ଏରୋସିଟି କ୍ଷେତ୍ର ସମେତ ପ୍ରାୟ ୨୦ଟି ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଥିଲେ। ଜି ୨୦ ଶିଖର ସମ୍ମିଳନୀର ଉଦ୍ଯାପନ ପର୍ଯ୍ୟନ୍ତ ସେ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ସହିତ ଆବଶ୍ୟକ ପରାମର୍ଶ ଦେଉଥିଲେ।
ଜି ୨୦ ଶିଖର ସମ୍ମିଳନୀ ଅବସରରେ ସମଗ୍ର ଦିଲ୍ଲୀର ସୌନ୍ଦର୍ଯ୍ୟୀକରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଦିଲ୍ଲୀକୁ ସଂପୂର୍ଣ୍ଣ ରୂପେ ନୂଆ ରୂପ ଦିଆଯାଇଥିଲା। ଏହି ମର୍ମରେ ଦିଲ୍ଲୀ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ତଥା ହିମାଚଳ ପ୍ରଦେଶ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଧିକାରୀ ଶୁଭାଶିଷ ପଣ୍ଡାଙ୍କ କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ ରହିଥିଲା। ତାଙ୍କର ପ୍ରୋତ୍ସାହନରେ ଦିଲ୍ଲୀରେ ସ୍ବଚ୍ଛତା ଅଭିଯାନ ସହିତ ଅନେକ ଆଖିଦୃଶିଆ ୱାଟର ଫାଉଣ୍ଟେନ୍ ସ୍ଥାପନ କରାଯାଇଥିଲା। ରାଜଧାନୀ ଦିଲ୍ଲୀର ବିବିଧତାକୁ ଦର୍ଶାଇ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ପ୍ରତିମୂର୍ତ୍ତି ଲଗାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯାହା ଫଳରେ ଖ୍ୟାତନାମା ଓଡ଼ିଆ ସ୍ଥପତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଦ୍ବାରା ତିଆରି ଅନେକ ପ୍ରତିମୂର୍ତ୍ତି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଶୋଭା ପାଇଥିଲା। ଶିଖର ସମ୍ମିଳନୀ ପୂର୍ବରୁ ଆୟୋଜିତ ବୈଠକଗୁଡ଼ିକରେ ଆର୍ଥିକ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଭାରତର ପକ୍ଷକୁ ଜୋରସୋରରେ ଉପସ୍ଥାପନ କରିଥିଲେ। ବିଭିନ୍ନ ଜଟିଳ ଆର୍ଥିକ ପ୍ରସଙ୍ଗରେ ଶ୍ରୀ ଦାସଙ୍କ ସୁପାରିସ ଓ ପରାମର୍ଶକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଗ୍ରହଣ କରିଥିଲେ ଯାହା ଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ ଦିଗରେ ସହାୟକ ହୋଇଥିଲା। ସେହିଭଳି ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ଅମରେନ୍ଦ୍ର ଖଟୁଆ ଜି ୨୦ ଟ୍ରେଡ ଆଣ୍ଡ ଇନଭେଷ୍ଟମେଣ୍ଟ ଗୋଷ୍ଠୀର ବିଭିନ୍ନ ଆଲୋଚନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ(କେନ୍ଦ୍ରୀୟ ୟୁରୋପ) ଅରୁଣ ସାହୁ ଜି ୨୦ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ସଂଘର ସଦସ୍ୟମାନଙ୍କ ସହିତ ବିଚାରବିମର୍ଶ ପ୍ରକ୍ରିୟାରେ ସାମିଲ ଥିଲେ।
ଜି ୨୦ ଶିଖର ସମ୍ମିଳନୀ ଅବସରରେ ଓଡ଼ିଶାର ସାଂସ୍କୃତିକ ଝଲକ ମଧ୍ୟ ବିଶ୍ବନେତାଙ୍କୁ ମୁଗ୍ଧ କରିଥିଲା। ବିଦେଶୀ ଅତିଥିଙ୍କୁ ସ୍ବାଗତ କରିବା କ୍ରମରେ ସମ୍ବଲପୁରୀ ଲୋକନୃତ୍ୟ ଡାଲଖାଇ ପରିବେଷଣ କରାଯାଇଥିଲା। ଡାଲଖାଇର ତାଳେ ତାଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା ନାଚିବା ଦୃଶ୍ୟ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା। ବିଶ୍ବ ନେତାଙ୍କ ପତ୍ନୀଙ୍କ ସହିତ ଓଡ଼ିଶାର ଦୁଇ ଜଣ ମହିଳା ଆଦିବାସୀ ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଓ ରାଇମତୀ ଘିଉରିଆ ମାଣ୍ଡିଆ ଚାଷ ଉପରେ ସେମାନଙ୍କ ଅନୁଭୂତି ବଖାଣିବା ଦ୍ବାରା ମାଣ୍ଡିଆ ଉତ୍ପାଦନର ପ୍ରମୁଖ ରାଜ୍ୟ ଓଡ଼ିଶା ହୋଇଥିବା ଗୁରୁତ୍ବକୁ ପ୍ରତିପାଦିତ କରିଥିଲା। ସେହିଭଳି ଜି ୨୦ ଶିଖର ସମ୍ମିଳନୀ ଅବସରରେ ବିଦେଶୀ ଅତିଥିମାନଙ୍କୁ ଓଡ଼ିଶାର ବିଭିନ୍ନ ଉତ୍ପାଦ ଓ ସାମଗ୍ରୀ ସଂପର୍କରେ ଅବଗତ କରିବା ପାଇଁ ପ୍ରଗତି ମଇଦାନର ଅନ୍ତର୍ଜାତୀୟ ମିଡିଆ ସେଣ୍ଟର ନିକଟରେ ଥିବା ହଲ୍ ନମ୍ବର ୩ରେ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଓଡ଼ିଶା ଷ୍ଟଲ୍ରେ ରାଜ୍ୟର ବିଭିନ୍ନ କାରୁକାର୍ଯ୍ୟ ଓ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା। ଷ୍ଟଲକୁ ବହୁ ସଂଖ୍ୟାରେ ବିଦେଶୀ ପ୍ରତିନିଧି ପରିଦର୍ଶନ କରି ପସନ୍ଦର ସାମଗ୍ରୀ କିଣିଥିଲେ।