ସାଧାରଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ଦିଲ୍ଲୀ ରାଜପଥରେ ପରିବେଷଣ ହେବ ଓଡ଼ିଶୀ ନୃତ୍ୟ

୨ କିମି ଦୀର୍ଘ ପଟ୍ଟଚିତ୍ର ମଧ୍ୟ ପ୍ରଦର୍ଶିତ ହେବ

ନୂଆଦିଲ୍ଲୀ : ଆସନ୍ତା ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମଥର ପାଇଁ ପରିବେଷଣ ହେବ ଓଡ଼ିଶୀ ନୃତ୍ୟ। ଦିଲ୍ଲୀ ରାଜପଥରେ ସାରା ବିଶ୍ବବାସୀଙ୍କୁ ଏହି ଶାସ୍ତ୍ରୀୟ ନୃତ୍ୟର ମହକ ପରଶିବେ କଳାକାର। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ସର୍ବଭାରତୀୟ ସ୍ତର‌ରେ ଆୟୋଜିତ ‘ବନ୍ଦେ ମା’ ତରମ୍‌ ନୃତ୍ୟ ଉତ୍ସବ’ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫାଇନାଲ୍‌ରେ ଚୟନ ହୋଇ ଦିଲ୍ଲୀରେ ୪୮୦ କଳାକାର ପହଞ୍ଚିଛନ୍ତି। ଚୟନ ହୋଇଥିବା କଳାକାରମାନଙ୍କ ଦ୍ବାରା ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ଫ୍ୟୁଜନ୍‌ ନୃତ୍ୟ ପରିବେଷଣ କରାଯିବ। ଲୋକନୃତ୍ୟ ଏବଂ ଫ୍ୟୁଜନ୍‌ ବିଭାଗରେ କ‌ୌଣସି ଓଡ଼ିଆ କଳାକାରଙ୍କୁ ଚୟନ କରାଯାଇ ନାହିଁ। ତେବେ ୮ ଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ନୃତ୍ୟ ପାଇଁ ଅନୁଗୁଳର ‘ନୃତ୍ୟ ନିଳୟ’ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନରୁ ୧୦ ଜଣ କଳାକାରଙ୍କୁ ଚୟନ କରାଯାଇଛି। ଗୁରୁ ସ୍ବପ୍ନାରାଣୀ ସିହ୍ନା‌ଙ୍କ ନିର୍ଦ୍ଦେଶନା ତଥା କୋରିଓଗ୍ରାଫିରେ ଏହି କଳାକାରମାନେ ଦିଲ୍ଲୀ ରାଜପଥରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।

ଏହି ଅନୁଷ୍ଠାନର କଳାକାରମାନେ ଦେଶବିଦେଶରେ ବହୁ ସୁନାମ ଅର୍ଜନ କରିଛନ୍ତି। ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ସର୍ବୋତ୍ତମ ନୃତ୍ୟ ପରିବେଷଣ କରାଯିବ ସ୍ବପ୍ନାରାଣୀ କହିଛନ୍ତି। ସେହି ଭଳି ରାଜପଥରେ ଓଡ଼ିଶୀ ପରିବେଷଣ ପାଇଁ ଦିଲ୍ଲୀର ‘ସଂଚାରୀ ଫାଉଣ୍ଡେସନ୍‌’ର ୧୦ ଜଣ ଓଡ଼ିଶୀ ନୃତ୍ୟ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଚୟନ କରାଯାଇଛି। ଏମାନଙ୍କ ସହ ମଧ୍ୟ ’ନୃତ୍ୟାଞ୍ଜଳି କ୍ରିଏସନ’ର କଳକାରମାନେ ସାମିଲ ଅଛନ୍ତି। ‘ସଂଚାରୀ ଫାଉଣ୍ଡେସନ୍‌’ ଓ ‘ନୃତ୍ୟାଞ୍ଜଳି କ୍ରିଏସନ୍‌’ର କଳାକାରମାନଙ୍କୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନୃତ୍ୟ ଶିକ୍ଷା ଦିଆଯାଇଛି। ରାଜପଥରେ ‘ସଂଚାରୀ ଫାଉଣ୍ଡେସନ୍‌’ର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ଗର୍ବ ଓ ଗୌରବର ବିଷୟ ବୋଲି କବିତା କହିଛନ୍ତି।
ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ ପାଇଁ ଉଭୟ ‘ନୃତ୍ୟ ନିଳୟ’ ଓ ‘ସଂଚାରୀ ଫାଉଣ୍ଡେସନ୍‌’ର କଳାକାରମାନେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଜାରି ରଖିଛନ୍ତି। ପ୍ରସିଦ୍ଧ କଥକ ନୃତ୍ୟାଙ୍ଗନା ରାଣୀ ଖାନମ ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ ପାଇଁ ଓଡ଼ିଶୀ ସମେତ ୮ଟି ଶାସ୍ତ୍ରୀୟ ନୃତ୍ୟର କଳାକାରମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ୮ଟି ଶାସ୍ତ୍ରୀୟ ନୃତ୍ୟର କଳାକାର ଜାନୁଆରି ୨୬ରେ ରାଜପଥରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଷୟବସ୍ତୁରେ ସମୂହ ନୃତ୍ୟ ପ୍ରଦର୍ଶନ କରିବେ।
ଏହା ବାଦ୍‌ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ ପଟ୍ଟଚିତ୍ର। ‘ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରି’ ପକ୍ଷରୁ ଆୟୋଜିତ ‘କଳାକୁମ୍ଭ ପ୍ରଦର୍ଶନୀ’ରେ ଦୁଇ କିମି ବ୍ୟାପୀ ପଟ୍ଟଚିତ୍ର ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ। ପଟ୍ଟଚିତ୍ରରେ ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ସମେତ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ ଓ ପାଇକ ବିଦ୍ରୋହ ଆଦିକୁ ଚିତ୍ରିତ କରାଯାଇଛି। ଦେଶର ପ୍ରାୟ ୬୦୦ରୁ ଅଧିକ ଚିତ୍ରଶିଳ୍ପୀଙ୍କ ଦ୍ବାରା ଏହା ପ୍ରସ୍ତୁତ ହୋଇଛି। ଓଡ଼ିଶାରୁ ୧୦୦ରୁ ଅଧିକ ଆଦିବାସୀ ଚିତ୍ରକଳା ଶିଳ୍ପୀ ଓ ପ‌ାରମ୍ପରିକ କଳା ଶିଳ୍ପୀ ଯୋଗଦେଇ ଏହି ସବୁ ଚିତ୍ର ଆଙ୍କିଛନ୍ତି।

ସମ୍ବନ୍ଧିତ ଖବର