ଦିଲ୍ଲୀରେ ୪୫ ପାର୍ କହି ପାଇଥିଲେ ମାତ୍ର ୮: ବିଜେପିର ୪୦୦ ପାର୍ ବିରୋଧରେ କଂଗ୍ରେସର ସ୍ଲୋଗାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି ସମେତ ଅନ୍ୟ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ବିଜେପି ଚଳିତ ଥର ୪୦୦ ଆସନ ଜିତିବ ବୋଲି ଦାବି କରିଛନ୍ତି। ବିଜେପି ପକ୍ଷରୁ ‘ଅବକି ବାର ୪୦୦ ପାର୍’ ସ୍ଲୋଗାନ୍ ଦେଉଛି। ଏପରିସ୍ଥଳେ ଏହି ସ୍ଲୋଗାନ ବିରୋଧରେ କଂଗ୍ରେସ ନୂଆ ସ୍ଲୋଗାନ ଅଭିଯାନ ଆରମ୍ଭ କରିଛି।

କଂଗ୍ରେସ ଗତ କିଛି ନିର୍ବାଚନରେ ବିଜେପିର ସ୍ଲୋଗାନ ଆଧାରରେ ନୂଆ ସ୍ଲୋଗାନ ପ୍ରସ୍ତୁତ କରିଛି। କଂଗ୍ରେସ କହିଛି ବିଜେପିର ସ୍ଲୋଗାନ ପୂର୍ବରୁ ମଧ୍ୟ ମିଥ୍ୟା ସାବ୍ୟସ୍ତ ହୋଇ ସାରିଛି। କଂଗ୍ରେସ ନେତା ଜୟରାମ ରମେଶ ବିଜେପିର ସ୍ଲୋଗାନ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ୨୦୧୭ରେ ବିଜେପି ଗୁଜୁରାଟରେ ୧୫୦ ପାର୍ ସ୍ଲୋଗାନ ଦେଇଥିଲା ମିଳିଲା ୯୯ ଆସନ। ୨୦୨୮ରେ ଛତିଶଗଡ଼ରେ ୫୦ ପାର୍ ସ୍ଲୋଗାନ ଦେଇଥିଲା ମିଳିଥିଲା ୧୫ ଆସନ। ୨୦୨୮ରେ ମିଜୋରାମରେ ୨୧ ପାର୍ ସ୍ଲୋଗାନ ଦେଇ ବିଜେପି ପାଇଥିଲା ଗୋଟିଏ ଆସନ। ୨୦୧୯ରେ ହରିୟାଣାରେ ୭୫ ପାର୍ ସ୍ଲୋଗାନ ଦେଇଥିବା ବିଜେପି ହାତେଇଥିଲା ୪୦ ସିଟ୍।

୨୦୧୯ରେ ଝାଡ଼ଖଣ୍ଡରେ ୬୫ ପାର୍ ସ୍ଲୋଗାନ ଦେଇ ନିର୍ବାଚନ ଲଢ଼ିଥିବା ବିଜେପି ପାଇଥିଲା ୨୫ ଆସନ। ୨୦୨୦ରେ ଦିଲ୍ଲୀରେ ୪୫ ପାର୍ ସ୍ଲୋଗାନ ଦେଇଥିବା ବିଜେପିକୁ ମିଳିଥିଲା ୮ ସିଟ୍। ୨୦୨୧‌ରେ ତାମିଲନାଡୁରେ ୧୧୮ ପାର୍ ସ୍ଲୋଗାନ ଦେଇ ବିଜେପି ପାଇଥିଲା ୪ ଆସନ।

୨୦୨୧ରେ ପଶ୍ଚିମବଙ୍ଗରେ ୨୦୦ ପାର୍ ସ୍ଲୋଗାନ ଦେଇ ବିଜେପିକୁ ମିଳିଥିଲା ୭୭ ଆସନ। ୨୦୨୨ରେ ହିମାଚଳ ପ୍ରଦେଶରେ ୪୫ ପାର୍ ସ୍ଲୋଗାନ ଦେଇ ବିଜେପି ୨୫ ସିଟ୍ ପାଇଥିଲା ବୋଲି ଜୟରାମ ରମେଶ ଏକ ତାଲିକା ପ୍ରଦାନ କରିଛନ୍ତି।

ଏହା ସହିତ କଂଗ୍ରେସ ଦାବି କରିଛି ବିଜେପିକୁ ପରାଜୟର ଭୟ ଡରାଉଛି। ତେଣୁ ଦଳ ଦେଶକୁ ଧୋକ୍କା ଦେବାକୁ ଚେଷ୍ଟା କରୁଛି। ଏହା ସହିତ କଂଗ୍ରେସ ନୂଆ ସ୍ଲୋଗାନ ଆରମ୍ଭ କରିଛି ‘ଦିଲ୍ଲୀରେ ୪୫ ପାର୍ କହି ପାଇଥିଲେ ମାତ୍ର ୮’।

 

ସମ୍ବନ୍ଧିତ ଖବର