ନୂଆଦିଲ୍ଲୀ: ଭାରତରେ ଅତିକମ୍ରେ ଗୋଟିଏ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୮.୭ ପ୍ରତିଶତ ହେଉଛନ୍ତି ମହିଳା। ଡିସେମ୍ବର ୮ ତାରିଖ ସୁଦ୍ଧା ଏହି ସ୍ଥିତି ରହିଛି ବୋଲି ସଂସଦରେ ଗତ ମଙ୍ଗଳବାର ସରକାର ସୂଚନା ଦେଇଛନ୍ତି। ସଚେତନତା ଅଭାବରୁ ଭାରତରେ ଟିକା ନେଉଥିବା ମହିଳାଙ୍କ ସଂଖ୍ୟା କମ୍ ରହିଛି କି ବୋଲି ପ୍ରଶ୍ନରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣା ପାୱାର ରାଜ୍ୟସଭାରେ କହିଛନ୍ତି ଟିକା ଅଭିଯାନ ଆରମ୍ଭରେ ଗର୍ଭବତୀ ଓ ସନ୍ତାନଙ୍କୁ ସ୍ତନ୍ୟପାନ କରାଯାଉଥିବା ମହିଳାମାନଙ୍କୁ ଏହା ଦିଆଯାଉ ନଥିଲା। କିନ୍ତୁ ପରେ ଉପଲବ୍ଧ ବିଜ୍ଞାନ ସମ୍ମତ ପ୍ରମାଣକୁ ଅନୁଧ୍ୟାନ, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଏବଂ ବିଶେଷଜ୍ଞମାନଙ୍କ ସୁପାରିସ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମେ ୧୯ ତାରିଖରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକାଦାନ ପାଇଁ ମଞ୍ଜୁରି ଦେଇଥିଲା। ସେହିଭଳି ଜୁଲାଇ ୨ ତାରିଖରେ ଗର୍ଭବତୀ ମହିଳାଙ୍କୁ ଟିକାଦାନ ପାଇଁ ମଞ୍ଜୁରି ଦେଇଥିଲା। ୨୦୨୧ ଡିସେମ୍ବର ୮ ତାରିଖ ସୁଦ୍ଧା ଟିକା ନେଇଥିବା ସବୁ ବ୍ୟକ୍ତିଙ୍କ ମଧ୍ୟରୁ ୪୮.୭୦ ପ୍ରତିଶତ ମହିଳା ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp