ଆପତ୍ତିଜନକ ମନ୍ତବ୍ୟ: ଦିଲ୍ଲୀପ-ସୁପ୍ରିୟାଙ୍କୁ ନିର୍ବାଚନ ଆୟୋଗଙ୍କ ତାଗିଦ୍, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବାରୁ ବିଜେପି ନେତା  ଥା ସାଂସଦ ଦିଲ୍ଲୀପ ଘୋଷ ଏବଂ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କୁ ତାଗିଦ୍ କରିଛନ୍ତି। ଏହା ସହିତ ଏହି ଦୁଇ ନେତାଙ୍କୁ କୌଣସି ମନ୍ତବ୍ୟ ପ୍ରଦାନ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଉଭୟ ନେତାଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଉଭୟ ନେତା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଥିବା ଆୟୋଗ କହିଛନ୍ତି। ଭବିଷ୍ୟତରେ ଏଭଳି ଆପତ୍ତିଜନକ ମନ୍ତବ୍ୟରୁ ଦୂରେଇ ରହିବାକୁ ନିର୍ବାଚନ ଆୟୋଗ ଉଭୟଙ୍କୁ ତାଗିଦ୍ କରିଛନ୍ତି।

ନିର୍ବାଚନ ଆୟୋଗ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ଅଭିଯୋଗ ଆଧାରରେ ଉଭୟ ନେତାଙ୍କୁ ନୋଟିସ୍ ଜାରି କରି ଜବାବ୍ ତଲବ କରିଥିଲେ। ନିଜ ନିଜ ଜବାବ୍‌ରେ ଉଭୟ ନେତା ସ୍ବୀକାର କରିଥିଲେ ଯେ, ସେମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଜବାବ୍ ମିଳିବା‌ ପରେ ନିର୍ବାଚନ ଆୟୋଗ ସାର୍ବଜନୀକ ମନ୍ତବ୍ୟ ସମୟରେ ସତର୍କତା ଅବଲମ୍ବନ କରିବାକୁ ଉଭୟ ନେତାଙ୍କୁ ଚେତାବନୀ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଉଭୟ ନେତାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ମନ୍ତବ୍ୟର ବିଶେଷ ସମୀକ୍ଷା କରାଯିବ ବୋଲି ଆୟୋଗ କହିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଉଭୟ ନେତା ନିମ୍ନସ୍ତରର ବ୍ୟକ୍ତିଗତ ଟାର୍ଗେଟ ଆଧାରରେ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଂଘନ। ନିର୍ବାଚନ ଆୟୋଗ ନିଜର ଚେତାବନୀ ନୋଟିସ୍‌ର ନକଲ ଉଭୟ ଦଳର ଦଳୀୟ ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଛନ୍ତି।

 

 

ସମ୍ବନ୍ଧିତ ଖବର