ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ପାସ୍‌ପୋର୍ଟ ମିଳିବ ନାହିଁ: ସରକାର

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ତଦନ୍ତ ଚାଲିଥିବା, ଅଦାଲତରେ ବିଚାର ଚାଲିଥିବା କିଂବା ପ୍ରାରମ୍ଭିକ ତଦନ୍ତ ପରେ କୌଣସି ସରକାରୀ ବିଭାଗ ଦ୍ୱରା ଏଫ୍‌ଆଇଆର୍‌ ଦିଆଯାଇଥିବା ଅଧିକାରୀମାନଙ୍କୁ ପାସ୍‌ପୋର୍ଟ ଦିଆଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏ ଭଳି ଅଧିକାରୀମାନଙ୍କୁ ପାସ୍‌ପୋର୍ଟ ପାଇଁ ଆବଶ୍ୟକ ଭିଜିଲାନ୍‌ସ୍‌ କ୍ଲିୟରାନ୍‌ସ୍‌ ମଳିବ ନାହିଁ ବୋଲି ସଂଶୋଧିତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ନିଲମ୍ବନ ହୋଇ ରହିଥିବା କିଂବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ଚାର୍ଜସିଟ୍‌ ଜାରି କରାଯାଇଥିବା କୌଣସି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍‌ସ୍‌ କ୍ଲିୟରାନ୍‌ସ୍‌ ମିଳି ନ ପାରେ। ଅବଶ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ଚାଲିଥିଲେ ଭିଜିଲାନ୍‌ସ୍‌ କ୍ଲିୟରାନ୍‌ସ୍‌ ନ ମିଳିବା କଥା ନୂଆ ନୁହେଁ।

ଘରୋଇ ଅଭିଯୋଗ ଆଧାରରେ ହୋଇଥିବା ଏଫ୍‌ଆଇଆର୍‌ କ୍ଷେତ୍ରରେ ତଦନ୍ତକାରୀ ଏଜେନ୍‌ସି ଏକ ଚାର୍ଜସିଟ୍‌ ଦାଖଲ କରିଥିଲେ ମଧ୍ୟ ଭିଜିଲାନ୍‌ସ୍‌ କ୍ଲିୟରାରନ୍ସ୍‌ ଦେବାକୁ ମନା କରି ପାରିବ ନାହିଁ। କିନ୍ତୁ, ଏହି ଏଫ୍‌ଆଇଆର୍‌ରେ ଥିବା ସୂଚନା ପାସ୍‌ପୋର୍ଟ ଅଫିସ୍‌କୁ ଦିଆଯିବା ଜରୁରୀ। ପାସ୍‌ପୋର୍ଟ କର୍ତ୍ତୃପକ୍ଷ ସ୍ଥିର କରିବେ ତାଙ୍କୁ ପାସ୍‌ପୋର୍ଟ ମିଳିବ କି, ନାହିଁ।

କିନ୍ତୁ, ଡାକ୍ତରୀ ଚିକିତ୍ସା ପାଇଁ ଏବଂ ପରିବାରର କୌଣସି ସଦସ୍ୟ ବିଦେଶରେ ରହୁଥିଲେ ସେମାନଙ୍କୁ ଭେଟିବାକୁ ପାଇଁ କଟକଣା କୋହଳ କରାଯିବ ବୋଲି ନୂତନ ନିର୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଅବଶ୍ୟ ଏହା ମାମଲାର ଗରୁତ୍ୱ ଉପରେ ନିର୍ଭରଶୀଳ।

ସମ୍ବନ୍ଧିତ ଖବର