ସଂସଦରେ ତେଲ ତାତି, ଦିନକ ପାଇଁ ମୁଲତବୀ

ଆଜିଠୁ ସକାଳ ୧୧ଟାରୁ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସଂସଦର ଉଭୟ ଗୃହରେ ତୈଳଦର ବୃଦ୍ଧିକୁ ବିରୋଧ କରି ବିରୋଧୀମାନେ ହଙ୍ଗାମା କରିଥିଲେ। ଫଳରେ ଆସନ୍ତାକାଲି ସକାଳ ୧୧ଟା ଯାଏ ଉଭୟ ଗୃହକୁ ମୁଲତବୀ ରଖାଯାଇଛି। ଅପରପକ୍ଷେ, ଆସନ୍ତାକାଲି ଠାରୁ ଉଭୟ ଗୃହ ସକାଳ ୧୧ଟାରୁ ଚାଲିବ ବୋଲି ନୂଆ ସୂଚୀ ଘୋଷଣା କରାଯାଇଛି।

ସୂଚନା ଥାଉ କି, ଆଜି ସଂସଦରେ ବଜେଟ୍‌ ଅଧିବେଶନର ଦ୍ବିତୀୟାର୍ଦ୍ଧ ଆରମ୍ଭ ହୋଇଥିଲା। ସକାଳ ୯ଟାରେ ରାଜ୍ୟସଭା ଆରମ୍ଭ ମାତ୍ରେ ବିରୋଧୀ କଂଗ୍ରେସ ସାଂସଦମାନେ ତୈଳଦର ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ଦାବି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ହଙ୍ଗାମା କରିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ପୂର୍ବାହ୍ଣ ୧୧ଟା ଯାଏ ଗୃହକୁ ମୁଲତବୀ କରିଥିଲେ। ତେବେ ୧୧ଟାରେ ପୁଣି ଅଧିବେଶନ ଆରମ୍ଭ ମାତ୍ରେ ଅନୁରୂପ କାରଣ ପାଇଁ ଅପରାହ୍ଣ ଗୋଟାଏ ଯାଏ ଏବଂ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ ହୋଇଥିଲା। ତେବେ ବିଭିନ୍ନ ଦଳର ସଦସ୍ୟଙ୍କ ଅନୁମତି କ୍ରମେ ଆସନ୍ତାକାଲି ଠାରୁ ସକାଳ ୧୧ଟା ସନ୍ଧ୍ୟା ୬ଟା ଯାଏ ରାଜ୍ୟସଭା ଚାଲିବ ବୋଲି ଆସନରେ ଥିବା ସାଂସଦ ବନ୍ଦନା ଚୌହାନ ଘୋଷଣା କରିଥିଲେ। ସେହିପରି ଲୋକସଭାରେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ତୈଳଦର ବୃଦ୍ଧି ବିରୋଧରେ ସ୍ଳୋଗାନ ଦେଇଥିଲେ। ସେଥିପାଇଁ ଗୃହକୁ ପ୍ରଥମେ ସନ୍ଧ୍ୟା ୫ଟା ଯାଏ, ପରେ ୭ଟା ଯାଏ ଏବଂ ଶେଷରେ ଆସନ୍ତାକାଲି ଯାଏ ମୁଲତବୀ ରଖାଯାଇଥିଲା।
ଏଥିସହିତ ୫ଟି ରାଜ୍ୟରେ ମାର୍ଚ୍ଚ ଏବଂ ଏପ୍ରିଲରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଆଗୁଆ ଅଧିବେଶନ ସାରିବା ଲାଗି କିଛି ସାଂସଦ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର