ଓଲିଙ୍କ ପାଇଁ କାଳ ହେଲା ଭାରତ ବିରୋଧୀ ମନ୍ତବ୍ୟ

ନୂଆଦିଲ୍ଲୀ: ଭାରତ ବିରୋଧରେ ନକାରାତ୍ମକ ଟିପ୍ପଣୀ ଦେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶାସକ ଦଳ ନେପାଳ କମୁନିଷ୍ଟ ଦଳ ଭିତରେ ଭୀଷଣ ବିଦ୍ରୋହର ସାମନା କରିବାକୁ ପଡ଼ିଛି। ନିଜ ପଦବିରୁ ଇସ୍ତଫା ଦେବା ପାଇଁ ଦଳ ଭିତରେ ଦାବି ଶାଣିତ ହେବା ପରେ ସମାଧାନର ବାଟ ବାହାର କରିବା ଲାଗି ଓଲି ଗୁରୁବାର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଓ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ସାକ୍ଷାତ କରିଛନ୍ତି। ଏପରିକି ରାଷ୍ଟ୍ରପତିଙ୍କ ଅନୁମତିକ୍ରମେ ତତ୍କାଳ କ୍ୟାବିନେଟ୍ ବୈଠକ ଡାକି ସେ ଚାଲୁ ରହିଥିବା ସଂସଦ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାରେ ସଫଳ ହୋଇଛନ୍ତି। ଅବଶ୍ୟ ଏହାଦ୍ବାରା ଗୃହରେ ସମ୍ଭାବ୍ୟ ଅନାସ୍ଥା ପରୀକ୍ଷାରୁ ସେ ନିଜକୁ ବଞ୍ଚାଇ ପାରିଛନ୍ତି। ଏପରିକି ଏହି ଅବସରରେ ସେ ଅଧ୍ୟାଦେଶ ଜାରି କରି ସମ୍ଭାବ୍ୟ ଦଳ ବିଭାଜନକୁ ମଧ୍ୟ ରୋକିଦେଇପାରିବେ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ନିଜ କମ୍ୟୁନିଷ୍ଟ୍‌ ଦଳ ଭିତରେ ତୀବ୍ର ଅସନ୍ତୋଷର ସମ୍ମୁଖୀନ ହୋଇଥିବା ଓଲି ଏଥିପାଇଁ ଭାରତକୁ ଦାୟୀ କରିଥିଲେ। ଭାରତର ଉତ୍ତରାଖଣ୍ଡ ସୀମାରେ କେତେକ ଅଂଚଳକୁ ନେପାଳ ନିଜ ଦେଶର ନୂତନ ମାନଚ୍ଚିତ୍ରରେ ସ୍ଥାନୀତ କଲା ପରଠାରୁ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଭାରତୀୟ ଦୂତାବାସ ଏବଂ ଅନ୍ୟ ଅଧିକାରୀମାନେ ମସୁଧା ଚଳାଇଛନ୍ତି ବୋଲି ଓଲି ଅଭିଯୋଗ କରିଥିଲେ। ଅପରପକ୍ଷେ, ନେପାଳ ଶାସନରେ ଓଲି ଏକଛତ୍ରବାଦୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ତାଙ୍କ ପ୍ରତିଦ୍ବନ୍ଦ୍ବୀ ପି କେ ଦହଲ ପ୍ରଚଣ୍ଡ ଆକ୍ଷେପ କରିବା ପରେ ଦଳରେ ବିଦ୍ରୋହ ଉଠିଥିବା ସ୍ପଷ୍ଟ ହୋଇଥିଲା। ନେପାଳ କମୁନିଷ୍ଟ ଦଳର ସହସଭାପତି ଥିବା ପ୍ରଚଣ୍ଡଙ୍କ ପ୍ରତି ଦଳର ୪୪ ଜଣ ପରିଷଦ ସଦସ୍ୟଙ୍କ ମଧ୍ୟରୁ ୩୧ ଜଣଙ୍କର ସମର୍ଥନ ରହିଛି।

ସମ୍ବନ୍ଧିତ ଖବର