ଅଏଲ ଇଣ୍ଡିଆ, ଓଏନଜିସି ଉପରେ ହୋଇପାରେ ଉଗ୍ରବାଦୀ ଆକ୍ରମଣ! ଜାରି ହେଲା ସତର୍କ ସୂଚନା

ନୂଆଦିଲ୍ଲୀ: ଅଏଲ ଇଣ୍ଡିଆ ଲିମିଟେଡ (ଓଏଲ) ଏବଂ ଓଏନଜିସି ଉପରେ ଉଗ୍ରବାଦୀ ଆକ୍ରମଣ ହୋଇପାରେ ବୋଲି ଆଗୁଆ ସୂଚନା ପ୍ରଦାନ ସହିତ ଉଭୟ ସଂସ୍ଥାକୁ ଏକ ସତର୍କ ସୂଚନା ଜାରି କରିଛି ଆସାମ ପୁଲିସ। ଆସାମ ରାଜ୍ୟରେ ନିଷିଦ୍ଧ ଘୋଷିତ ହୋଇଥିବା ଉଲଫା ଆତଙ୍କବାଦୀଙ୍କ ଦ୍ୱାରା ରାଜ୍ୟରେ ସେମାନଙ୍କ ପ୍ରତିଷ୍ଠାନ ଉପରେ ସମ୍ଭାବ୍ୟ ବିଧ୍ୱଂସକାରୀ କାର୍ଯ୍ୟକଳାପ ସମ୍ପର୍କରେ ଏକ ‘ଆଡଭାଇଜରି’ ଜାରିକରି ଏନେଇ ସେମାନଙ୍କ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବୋଲି କମ୍ପାନିର ଜନୈକ ବରିଷ୍ଠ ଅଧିକାରୀ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି।

ଦେଶର ଏହି ଦୁଇ ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନି ଆସାମ ପୁଲିସର ଏହି ସୁରକ୍ଷା ଇନପୁଟକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସିଆଇଏସଏଫ ଏବଂ ଏଆଇଏସଏଫ ପରି ବିଭିନ୍ନ ସୁରକ୍ଷା ଏଜେନ୍‌ସି ସହିତ ବୈଠକ ପରେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଅନେକ ଗାଇଡ୍‌ ଲାଇନ ଜାରି କରିଛନ୍ତି।

ଅନ୍ୟପକ୍ଷରେ ଆସାମ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଉଲଫା ଦ୍ୱାରା ଏହି ଦୁଇ ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନର ଅଧିକାରୀମାନଙ୍କୁ ଅପହରଣ ସମେତ ପ୍ରତିଷ୍ଠାନ ଉପରେ ସମ୍ଭାବ୍ୟ ଆକ୍ରମଣ ନେଇ ଅଧିକାରୀମାନଙ୍କୁ ପରାମର୍ଶ ଜାରି କରାଯାଇଛି।

ଅଏଲ ଇଣ୍ଡିଆର ମୁଖପାତ୍ର ତ୍ରିଦିଭ ହଜାରିକା କହିଛନ୍ତି ଯେ କମ୍ପାନି ପୁଲିସ ଠାରୁ କିଛି ଗୁପ୍ତଚର ଇନପୁଟ୍‌ ପାଇବା ପରେ ତୁରନ୍ତ ଏକ ଆଭ୍ୟନ୍ତରୀଣ ବୈଠକ ଡକାଯାଇଥିଲା। ରେସିଡେଣ୍ଟ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଇନ୍‌-ଚାର୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିଆଇଏସଏଫ, ଏଆଇଏସଏଫ ତୈଳ ସୁରକ୍ଷା ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ସେ କହିଛନ୍ତି। ସୁରକ୍ଷାର ବିଭିନ୍ନ ପ୍ରସଙ୍ଗରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସମ୍ବେଦନଶୀଳ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଏବଂ ତଦନୁଯାୟୀ କିଛି ପଦକ୍ଷେପ ନିଆଯାଇଛି ବୋଲି ହଜାରିକା କହିଛନ୍ତି।

ସମ୍ବନ୍ଧିତ ଖବର